ବିଜେଡିର ତିର୍ତ୍ତୋଲ ଉପନିର୍ବାଚନ ପ୍ରସ୍ତୁତି: ଆରମ୍ଭରୁ ଦେବାଶିଷଙ୍କୁ ବିରୋଧ, ଧସ୍ତାଧସ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା କଟକଣା ମଧ୍ୟରେ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ବିଜେଡି କର୍ମୀ ସମ୍ମିଳନୀ ଡାକିବା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଦେବାଶୀଷ ସାମନ୍ତରାୟଙ୍କୁ ମହଙ୍ଗା ପଡ଼ିଛି। ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ବିରିଡି ଓ ତିର୍ତ୍ତୋଲ ବ୍ଲକରେ କର୍ମୀ ସମ୍ମିଳନୀରେ ବହୁ ସଂଖ୍ୟକ ଦଳୀୟ କର୍ମୀମାନେ ଦେବାଶିଷଙ୍କୁ ବିରୋଧ କରିବା ସହ ସଂଗଠନରେ ବିପର୍ଯ୍ୟୟ ପାଇଁ ତାଙ୍କୁ ସିଧାସଳଖ ଦାୟୀ କରିଥିବା ଜଣାପଡ଼ିଛି। ଏପରିକି ତିର୍ତ୍ତୋଲ ବ୍ଲକ କର୍ମୀ ସମ୍ମିଳନୀରେ ଦେବାଶିଷଙ୍କ ଅଶାଳୀନ ବ୍ୟବହାର ଓ ଧସ୍ତାଧସ୍ତି ଭଳି […]

bjd

Manoranjan Sial
  • Published: Friday, 11 September 2020
  • , Updated: 11 September 2020, 08:18 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା କଟକଣା ମଧ୍ୟରେ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ବିଜେଡି କର୍ମୀ ସମ୍ମିଳନୀ ଡାକିବା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଦେବାଶୀଷ ସାମନ୍ତରାୟଙ୍କୁ ମହଙ୍ଗା ପଡ଼ିଛି। ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ବିରିଡି ଓ ତିର୍ତ୍ତୋଲ ବ୍ଲକରେ କର୍ମୀ ସମ୍ମିଳନୀରେ ବହୁ ସଂଖ୍ୟକ ଦଳୀୟ କର୍ମୀମାନେ ଦେବାଶିଷଙ୍କୁ ବିରୋଧ କରିବା ସହ ସଂଗଠନରେ ବିପର୍ଯ୍ୟୟ ପାଇଁ ତାଙ୍କୁ ସିଧାସଳଖ ଦାୟୀ କରିଥିବା ଜଣାପଡ଼ିଛି। ଏପରିକି ତିର୍ତ୍ତୋଲ ବ୍ଲକ କର୍ମୀ ସମ୍ମିଳନୀରେ ଦେବାଶିଷଙ୍କ ଅଶାଳୀନ ବ୍ୟବହାର ଓ ଧସ୍ତାଧସ୍ତି ଭଳି ପରିସ୍ଥିତି ଜିଲ୍ଲା ବିଜେଡି ରାଜନୀତିକୁ ସରଗରମ କରିଛି।

ମିଳିଥିବା ସୂଚନା ଅନୁସାରେ, କରୋନା କଟକଣା ସତ୍ତ୍ୱେ ତିର୍ତ୍ତୋଲ ବିଧାନସଭାର ଉପନିର୍ବାଚନ ପ୍ରସ୍ତୁତି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଦଳର ନେତୃବୃନ୍ଦ ଆଜି ବରିଡି, ରଘୁନାଥପୁର ଓ ତିର୍ତ୍ତୋଲ ବ୍ଲକରେ କର୍ମୀ ସମ୍ମିଳନୀ ଆୟୋଜନ ହୋଇଥିଲା। କିନ୍ତୁ ଆଜିର କର୍ମୀ ସମ୍ମିଳନୀରେ ଅଣଦେଖା କରାଯିବା ଓ ଦଳର ସାଂଗଠନିକ ନିର୍ବାଚନବେଳେ ପୁରୁଖା ବିଜେଡି କର୍ମୀମାନଙ୍କୁ ଗୁରୁତ୍ୱ ଦିଆଯାଇ ନଥିବା ଯୋଗୁ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଦେବାଶୀଷ ସାମନ୍ତରାୟଙ୍କୁ ଦିବଂଗତ ନେତା ବିଷ୍ଣୁ ଦାସଙ୍କ ସମର୍ଥକମାନଙ୍କ ରୋଷର ଶିକାର ହେବାକୁ ପଡ଼ିଥିଲା। ବିରିଡି ବ୍ଲକରେ କର୍ମୀ ସମ୍ମିଳନୀବେଳେ ବିଷ୍ଣୁ ସମର୍ଥକମାନେ ଦଳର ବ୍ଲକ ସଭାପତିଙ୍କ କାର୍ଯ୍ୟକଳାପକୁ ଖୋଲାଖୋଲି ବିରୋଧ କରିବା ସହ ଏଥିପାଇଁ ଦେବାଶୀଷଙ୍କୁ ଦାୟୀ କରିଥିବାବେଳେ ତିର୍ତ୍ତୋଲ ବ୍ଳକର କର୍ମୀ ସମ୍ମିଳନୀରେ ସ୍ଥିତି ଅଧିକ ଖରାପ ହୋଇଥିବା ଦେଖିବାକୁ ମିଳିଛି। ଦଳର ସ୍ଥାନୀୟ ବରିଷ୍ଠ ନେତା ବସନ୍ତ ମହାପାତ୍ରଙ୍କୁ କାହଁକି ଡକାଯାଇନି ବୋଲି ବିଷ୍ଣୁ ସମର୍ଥକମାନେ ସଭା ଆରମ୍ଭରୁ ପ୍ରଶ୍ନ କରିବାରୁ ବିଜେଡି ପର୍ଯ୍ୟବେକ୍ଷକ ଶ୍ରୀ ସାମନ୍ତରାୟ ଦଳୀୟ କର୍ମୀମାନଙ୍କୁ ନାଲି ଆଖି ଦେଖାଇ ଓ ଚାପୁଡ଼ା ମାରିବାକୁ ଧମକ ଦେଇ ଚୁପ୍ କରିବା ନିମନ୍ତେ ପ୍ରୟାସ କରିଥିଲେ। ମାତ୍ର ବିଷ୍ଣୁ ସମର୍ଥକମାନେ ତାଙ୍କର ଏଭଳି ଆଚରଣକୁ କଡ଼ାକଡ଼ି଼ ଭାବେ ବିରୋଧ କରିବା ସହ ବ୍ଲକର ବରିଷ୍ଠ ନେତା ବସନ୍ତ ମହାପାତ୍ରଙ୍କୁ କାହିଁକି ଡକାଯାଇନି ଓ ଦଳର ବ୍ଲକ ସଭାପତି କିଏ ବୋଲି ପ୍ରଶ୍ନ କରିଥିଲେ। ତେବେ ବସନ୍ତ ଦଳର ବ୍ଲକ ସଭାପତି ନୁହଁନ୍ତି ବୋଲି ଶ୍ରୀ ସାମନ୍ତରାୟ କହିବାପରେ ବିଷ୍ଣୁ ଅନୁଗତମାନେ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ, ଯେଉଁଥିପାଇଁ ସଭାସ୍ଥଳରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ସେଠାରେ ଉପସ୍ଥିତ ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସବର୍ମାଙ୍କ ହସ୍ତକ୍ଷେପରେ ପରିସ୍ଥିତି ଶାନ୍ତ ପଡ଼ିଥିଲେ ବି ବହୁ କର୍ମୀ ସେଠାରୁ ପଳାଇ ଯାଇଥିଲେ। ହାତଗଣତି କର୍ମୀଙ୍କୁ ଧରି ଶ୍ରୀ ସାମନ୍ତରାୟ ଆଲୋଚନା କରି ଫେରିଥିବା ଜଣାପଡ଼ିଛି।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାର ବିଜେଡି ପର୍ଯ୍ୟବେକ୍ଷକ ଭାବେ ଶ୍ରୀ ସାମନ୍ତରାୟ ଗତ ସାଂଗଠନିକ ନିର୍ବାଚନରେ ବରିଷ୍ଠ ନେତା ବିଷ୍ଣୁ ଦାସଙ୍କ ସମର୍ଥକମାନଙ୍କୁ ଅଣଦେଖା କରି ସାଂସଦ ରାଜଶ୍ରୀ ମଲ୍ଲିକଙ୍କ ସମର୍ଥକମାନଙ୍କୁ ଦଳୀୟ ପଦପଦବୀରେ ଅବସ୍ଥାପିତ କରିଥିଲେ। ଏପରିକି ଆଜିର କର୍ମୀ ସମ୍ମିଳନୀକୁ ଆସିବା ପାଇଁ ବିଷ୍ଣୁଙ୍କ ଅନୁଗତମାନଙ୍କୁ ମଧ୍ୟ ଠିକ୍ ଭାବେ ସୂଚନା ଦିଆଯାଇନଥିଲା। ଯାହାକୁ ନେଇ ବିଷ୍ଣୁ ସମର୍ଥକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଯେଉଁଥିପାଇଁ ରଘୁନାଥପୁର ବ୍ଲକରେ ଦଳୀୟ କର୍ମୀ ସମ୍ମିଳନୀରେ ବିଷ୍ଣୁଙ୍କ ସମର୍ଥକମାନେ ଅନୁପସ୍ଥିତ ରହିଥିଲେ। ଜଗତସିଂହପୁର ବିଜେଡି ରାଜନୀତିର ମହାଦ୍ରୁମ ଭାବେ ପରିଚିତ ବିଷ୍ଣୁ ଦାସଙ୍କ ମୃତ୍ୟୁପରେ ମଧ୍ୟ ତାଙ୍କର ସମର୍ଥକମାନେ ଏକଜୁଟ ହୋଇ ରହିଥିବା ଆଜିର ବୈଠକରୁ ସ୍ପଷ୍ଟ ପ୍ରମାଣିତ ହୋଇଛି। ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ ସାମନ୍ତରାୟଙ୍କ ବିବାଦୀୟ କାର୍ଯ୍ୟକଳାପକୁ ବିଷ୍ଣୁ ସମର୍ଥକମାନେ ଖୋଲାଖୋଲି ବିରୋଧ କରୁଥିବାବେଳେ ଆଗାମୀ ଉପନିର୍ବାଚନରେ ତାଙ୍କୁ ଉପଯୋଗ କରିବା ବିଜେଡି ପାଇଁ ବୁମେରାଂ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

ଆଜିର ଏହି କର୍ମୀ ସମ୍ମିଳନୀରେ ଜିଲ୍ଲାର ବିଜେଡି ସଭାପତି ପ୍ରଶାନ୍ତ ମୁଦୁଲି ଅନୁପସ୍ଥିତ ଥିବାବେଳେ ସ୍ଥାନୀୟ ସାଂସଦ ରାଜଶ୍ରୀ ମଲ୍ଲିକ, ଜିଲ୍ଲାର ମନ୍ତ୍ରୀ ରଘୁନନ୍ଦନ ଦାସ,ଜିଲ୍ଲା ପର୍ଯ୍ୟବେକ୍ଷକ ଦେବାଶୀଷ ସାମନ୍ତରାୟ, ମନ୍ତ୍ରୀ ପ୍ରତାପ ଜେନା ଓ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ କୌଣସି ପ୍ରକାରର ରାଜନୀତିକ କାର୍ଯ୍ୟକ୍ରମ ନକରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଥିବାବେଳେ ଶାସକ ବିଜେଡି କିଭଳି କର୍ମୀ ସମ୍ମିଳନୀ ଆୟୋଜନ କଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Related story