ଟିଏମ୍‌ସି ଓ କୋଭିଡ୍‌ କେୟାର ହୋମ୍ ବନ୍ଦକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ମହାମାରୀ କରୋନା ଉଗ୍ର ରୂପ ଧାରଣ କରିଛି। ହୁ ହୁ ହୋଇ ବଢୁଛି ପଜିଟିଭ୍‌ ସଂଖ୍ୟା। ହେଲେ ଏଭଳି ବିପଜ୍ଜନକ ସ୍ଥିତିରେ ସରକାର ବନ୍ଦ କରିଦେଲେ ଟେମ୍ପରାରୀ ମେଡିକାଲ୍‌ ସେଣ୍ଟର (TMC) ଓ କୋଭିଡ୍‌ କେୟାର ହୋମ୍। ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତିକୁ ବିରୋଧ କରିଛନ୍ତି କଂଗ୍ରେସ ଓ ବିଜେପି। ଗତ ୧୪ ତାରିଖରେ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲିଟି‌ କମିଶନରଙ୍କୁ କୋଭିଡ୍ କେୟାର ହୋମ୍‌ ଓ TMC […]

covid-care-home

Manoranjan Sial
  • Published: Wednesday, 16 September 2020
  • , Updated: 16 September 2020, 08:41 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ମହାମାରୀ କରୋନା ଉଗ୍ର ରୂପ ଧାରଣ କରିଛି। ହୁ ହୁ ହୋଇ ବଢୁଛି ପଜିଟିଭ୍‌ ସଂଖ୍ୟା। ହେଲେ ଏଭଳି ବିପଜ୍ଜନକ ସ୍ଥିତିରେ ସରକାର ବନ୍ଦ କରିଦେଲେ ଟେମ୍ପରାରୀ ମେଡିକାଲ୍‌ ସେଣ୍ଟର (TMC) ଓ କୋଭିଡ୍‌ କେୟାର ହୋମ୍। ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତିକୁ ବିରୋଧ କରିଛନ୍ତି କଂଗ୍ରେସ ଓ ବିଜେପି।

ଗତ ୧୪ ତାରିଖରେ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲିଟି‌ କମିଶନରଙ୍କୁ କୋଭିଡ୍ କେୟାର ହୋମ୍‌ ଓ TMC ଗୁଡ଼ିକୁ ବନ୍ଦ କରିବାକୁ ଦେଇଛନ୍ତି ନିର୍ଦ୍ଦେଶ। ଟିଏମ୍‌ସି ଓ କୋଭିଡ୍‌ କେୟାର ହୋମ୍‌କୁ ରୋଗୀ ଆସୁନଥିବାରୁ ସେଣ୍ଟରଗୁଡ଼ିକୁ ବନ୍ଦ କରିବାକୁ ହୋଇଛି ନିଷ୍ପତ୍ତି। ଏପରିକି ସେହି ସେଣ୍ଟରଗୁଡ଼ିକରେ କାମ କରୁଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସେମାନଙ୍କ ପୂର୍ବ କାର୍ଯ୍ୟସ୍ଥଳରେ ପୁନଃ ଯୋଗଦାନ ପାଇଁ କୁହାଯାଇଛି।

ତେବେ ସରକାରଙ୍କ ଏ ନିଷ୍ପତ୍ତି ପରଠୁ ଛାନିଆ ହୋଇଛନ୍ତି ଗାଁ ଗହଳିର ଲୋକେ। ଏହା ଦ୍ୱାରା ସବୁଠୁ ଅଧିକ ପ୍ରଭାବିତ ହେବେ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀ ଲୋକେ। ତେବେ ଏଠି ପ୍ରଶ୍ନ ଉଠୁଛି, ଲୋକେ ସଂକ୍ରମିତ ହେଲେ ରହିବେ କେଉଁଠି? ଏମିତି ତ ସେମାନଙ୍କ ଘରେ ଏକାଧିକ କୋଠରୀ ନାହିଁ। ତେଣୁ ସଂଗରୋଧର ପ୍ରଶ୍ନ ଉଠୁନି। ତା’ସାଙ୍ଗକୁ ପାଇଖାନା ଓ ସାନିଟାଇଜିଂ ସୁବିଧା ମଧ୍ୟ ପର୍ଯ୍ୟାପ୍ତ ନଥିବାରୁ ପରିବାରର ଜଣେ ସଦସ୍ୟ ସଂକ୍ରମିତ ହେଲେ ଅନ୍ୟ ସମସ୍ତେ ଆକ୍ରାନ୍ତ ହେବା ଏକପ୍ରକାର ନିଶ୍ଚିତ। ତେଣୁ ସରକାର ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଦାବି ଉଠିଲାଣି। ତେବେ ଜରୁରୀ ଆବଶ୍ୟକତାକୁ ଦେଖି ଏହି ସେଣ୍ଟର ଗୁଡ଼ିକ ଚାଲୁ କରାଯାଇପାରିବ ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି।

କୋଭିଡ୍‌ କେୟାର ସେଣ୍ଟର ଓ ଟିଏମ୍‌ସି ବନ୍ଦ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ସହ ଅନ୍ୟ ଜିଲ୍ଲାରୁ କୋଭିଡ୍‌ ଆକ୍ରାନ୍ତଙ୍କୁ ଆଉ ନିୟମିତ ଢଙ୍ଗରେ କଟକ-ଭୁବନେଶ୍ୱର ନପଠାଇବାକୁ ସ୍ୱାସ୍ଥ୍ୟ ବିଭାଗର କଟକଣା ପ୍ରସଙ୍ଗକୁ ନେଇ ଗର୍ଜିଛନ୍ତି ବିରୋଧୀ। କୋଭିଡ୍ ପଜିଟିଭ୍ ସଂଖ୍ୟା ରାଜ୍ୟରେ ବଢୁଥିବା ବେଳେ ଟିଏମ୍‌ସି ବନ୍ଦ ନିଷ୍ପତ୍ତିକୁ ବିଜେପି ଓ କଂଗ୍ରେସ ନିନ୍ଦା କରିଥିବା ବେଳେ ବିଜେଡି ଏହାର ଜବାବ ରଖିଛି।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି-“ସେପ୍ଟେମ୍ୱର ଓ ଅକ୍ଟୋବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବ। ଏପରି ସମୟରେ କୋଭିଡ୍‌ କେୟାର ବନ୍ଦ କରିବାର ନଥିଲା। ଏହାଛଡ଼ା ଗୁରୁତର ରୋଗୀ କଟକ ଓ ଭୁବନେଶ୍ୱର ନଆସିବା ନେଇ କହିବା ଉଚିତ ନୁହେଁ।”

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି-“କୌଣସି ଗୋଟିଏ ସ୍ଥାନରେ ବି ଟିଏମ୍‌ସି ସେଣ୍ଟର ବନ୍ଦ କରିବାର ନଥିଲା। କାହା ପୈତୃକ ସମ୍ପତ୍ତି ଖର୍ଚ୍ଚ କରାଯାଇ କୋଭିଡ୍ କେୟାର ହୋମ୍‌ ଓ TMC ଚଲୁ ନଥିଲା। ଲୋକଙ୍କ ଅର୍ଥରେ ଉକ୍ତ କେନ୍ଦ୍ର ଗୁଡ଼ିକ ଚାଲୁଥିଲା।”

ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ କହିଛନ୍ତି-“ରୋଗୀ ସେବା ପାଇଁ କଟକ ଓ ଭୁବନେଶ୍ୱର ଆସିବାକୁ ମନା କରାଯାଇ ନାହିଁ। କିନ୍ତୁ ଯେଉଁ ମାତ୍ରାରେ ଲୋକ ଆସୁଛନ୍ତି, ତାକୁ କଣ୍ଟ୍ରୋଲ୍‌ କରିବା ପାଇଁ ଏପରି କରାଯାଇଛି।”

ତେବେ ବାହାର ଜିଲ୍ଲାର କରୋନା ରୋଗୀଙ୍କୁ କଟକ, ଭୁବନେଶ୍ୱର ଅସିବା କଟକଣା ନେଇ ବିବାଦ ବଢିବା ପରେ ସ୍ପଷ୍ଟୀକରଣ ରଖିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ। ସେ ଟ୍ୱିଟ୍‌ରେ ଦର୍ଶାଇଛନ୍ତି ଟ୍ୱିନ୍‌ସିଟିକୁ ଚିକିତ୍ସା ପାଇଁ ଆସିବାକୁ କୌଣସି ରୋଗୀଙ୍କୁ କଟକଣା ନାହିଁ। କାରଣ ସାରା ରାଜ୍ୟର ଆକ୍ରାନ୍ତଙ୍କ ପାଇଁ ଏହିଠାରେ ହିଁ ଅତ୍ୟାଧୁନିକ ବ୍ୟବସ୍ଥା ହୋଇଛି। ତେବେ ସରକାର କେବଳ ରୋଗୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେଇ ବ୍ୟବସ୍ଥା କରିଛନ୍ତି। ଆବଶ୍ୟକ ଡାକ୍ତରୀ ବ୍ୟବସ୍ଥା ଓ ଅକ୍ସିଜେନ ସପୋର୍ଟ ସହ ଏଠାକୁ ଆସିବାକୁ କୁହାଯାଇଛି।

Related story