ସର୍ବଦଳୀୟ ବୈଠକରେ ମହିଳା ବିଲ୍ ଗୃହୀତ ପାଇଁ ଦାବି କଲା ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସଂସଦର ବଜେଟ୍ ଅଧିବେଶନ ପାଇଁ ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମହିଳା ସଂରକ୍ଷଣ ବିଲକୁ ଗୃହୀତ କରିବା ନିମନ୍ତେ ବିଜେଡି ଦାବି କରିଛି। ମହିଳା ବିଲକୁ ଉଭୟ କଂଗ୍ରେସ ଓ ବିଜେପି ସର୍ବସାଧାରଣରେ ସମର୍ଥନ କରୁଥିବାବେଳେ ୱାଇଏସଆର କଂଗ୍ରେସ ଓ ଟିଆରଏସ୍ ଭଳି ଦଳ ମଧ୍ୟ ସମର୍ଥନ ଜଣାଇଛନ୍ତି। ତେଣୁ ବିଲ୍ ଗୃହୀତ ହେବାରେ ସମସ୍ୟା ନାହିଁ ବୋଲି ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର କହିଛନ୍ତି। ସର୍ବଦଳୀୟ ବୈଠକରେ ଯୋଗ ଦେଇ […]

pinaki-mishra

Manoranjan Sial
  • Published: Saturday, 30 January 2021
  • , Updated: 30 January 2021, 09:32 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସଂସଦର ବଜେଟ୍ ଅଧିବେଶନ ପାଇଁ ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମହିଳା ସଂରକ୍ଷଣ ବିଲକୁ ଗୃହୀତ କରିବା ନିମନ୍ତେ ବିଜେଡି ଦାବି କରିଛି। ମହିଳା ବିଲକୁ ଉଭୟ କଂଗ୍ରେସ ଓ ବିଜେପି ସର୍ବସାଧାରଣରେ ସମର୍ଥନ କରୁଥିବାବେଳେ ୱାଇଏସଆର କଂଗ୍ରେସ ଓ ଟିଆରଏସ୍ ଭଳି ଦଳ ମଧ୍ୟ ସମର୍ଥନ ଜଣାଇଛନ୍ତି। ତେଣୁ ବିଲ୍ ଗୃହୀତ ହେବାରେ ସମସ୍ୟା ନାହିଁ ବୋଲି ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର କହିଛନ୍ତି।

ସର୍ବଦଳୀୟ ବୈଠକରେ ଯୋଗ ଦେଇ ଫେରିବାପରେ ଶ୍ରୀ ମିଶ୍ର ଗଣମାଧ୍ୟମକୁ କହିଛନ୍ତି ଯେ, ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ବଜେଟ୍ ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍ ଗୃହୀତ କରିବା ନେଇ ନିର୍ଦ୍ଦିଷ୍ଟ ଭାବେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ବିଜେଡି ୨୦୧୯ ଲୋକସଭା ନିର୍ବାଚନରେ ୨୧ଟି ଆସନ ମଧ୍ୟରୁ ୭ଟି ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିଥିଲା। ଏକମାତ୍ର ଦଳ ଭାବେ ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ୍ ଦେଇଥିଲା। ରାଜ୍ୟରେ ବିଜେଡିର ୫ଜଣ ମହିଳା ସାଂସଦ ବିଜୟୀ ହୋଇଥିବାବେଳେ ବିଜେପିର ୨ଜଣ ମହିଳା ସାଂସଦ ବିଜୟୀ ହୋଇଛନ୍ତି। ତେଣୁ ଦେଶରେ ଓଡ଼ିଶା ଏକମାତ୍ର ରାଜ୍ୟ ଯାହାର ଲୋକସଭାରେ ଏକତୃତୀୟାଂଶ ମହିଳା ସାଂସଦ ରହିଛନ୍ତି। ରାଜ୍ୟସଭାରେ ଏହି ବିଲ୍ ପ୍ରାୟ ୧୦ବର୍ଷ ପୂର୍ବରୁ ଗୃହୀତ ହୋଇସାରିଛି। ଲୋକସଭାରେ ଏହି ବିଲ୍ ଗୃହୀତ ହେବା ପାଇଁ ଏବେ ସମୟ ଆସଛି ବୋଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅନୁଭବ କରୁଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି।

Related story