ଦୁର୍ନୀତିରେ ବୁଡ଼ିଛି ରାଜ୍ୟର ସବୁ ବ୍ଲକ୍ , ସ୍ୱତନ୍ତ୍ର ଅଡିଟ୍ ଦାବି କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୨୨ବର୍ଷ ଧରି କ୍ଷମତାରେ ଥିବା ବିଜେଡି ସରକାରର ଶାସନରେ ଦୁର୍ନୀତି ସବୁ ସୀମା ଲଂଘନ କରିଛି । ବିଜେଡି ନେତା,ମନ୍ତ୍ରୀମାନଙ୍କ ସହ ପ୍ରଶାସନିକ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁ ବ୍ଲକଗୁଡ଼ିକରେ ବ୍ୟାପକ ଦୁର୍ନୀତି ହେଉଛି । ବିଜେଡି ହିଁ ଏହି ଦୁର୍ନୀତିଗ୍ରସ୍ତଙ୍କୁ ସୁରକ୍ଷା ଦେଉଛି ବୋଲି ବିଜେପି ଅଭିଯୋଗ କରିବା ସହ ୨୦୦୦ ମସିହାରୁ ରାଜ୍ୟର ସମସ୍ତ ବ୍ଲକ ଓ ଅନ୍ୟାନ୍ୟ ବିଭାଗଗୁଡ଼ିକର ସ୍ୱତନ୍ତ୍ର ଅଡିଟ୍ କରିବାକୁ ଦାବି କରିଛି । ଆଜି ରାଜ୍ୟ […]

Balabhadra Majhi

Ordigital Desk
  • Published: Friday, 29 April 2022
  • , Updated: 29 April 2022, 09:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୨୨ବର୍ଷ ଧରି କ୍ଷମତାରେ ଥିବା ବିଜେଡି ସରକାରର ଶାସନରେ ଦୁର୍ନୀତି ସବୁ ସୀମା ଲଂଘନ କରିଛି । ବିଜେଡି ନେତା,ମନ୍ତ୍ରୀମାନଙ୍କ ସହ ପ୍ରଶାସନିକ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁ ବ୍ଲକଗୁଡ଼ିକରେ ବ୍ୟାପକ ଦୁର୍ନୀତି ହେଉଛି । ବିଜେଡି ହିଁ ଏହି ଦୁର୍ନୀତିଗ୍ରସ୍ତଙ୍କୁ ସୁରକ୍ଷା ଦେଉଛି ବୋଲି ବିଜେପି ଅଭିଯୋଗ କରିବା ସହ ୨୦୦୦ ମସିହାରୁ ରାଜ୍ୟର ସମସ୍ତ ବ୍ଲକ ଓ ଅନ୍ୟାନ୍ୟ ବିଭାଗଗୁଡ଼ିକର ସ୍ୱତନ୍ତ୍ର ଅଡିଟ୍ କରିବାକୁ ଦାବି କରିଛି ।

ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପୂର୍ବତନ ସାଂସଦ ତଥା ବିଜେପି ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଦୁର୍ନୀତିରେ ସିଧାସଳଖ ଭାବେ ଲିପ୍ତ ଥିବା ସରକାରୀ ଅଧିକାରୀମାନଙ୍କୁ ସଂପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିବା ସହିତ ପରବତ୍ତୀ ସମୟରେ ନିଜ ଦଳୀୟ କାର୍ଯ୍ୟ ପାଇଁ ଶାସକ ବିଜେଡି ବ୍ୟବହାର କରୁଛି । ଏପରିକି ପରବର୍ତୀ ସମୟରେ ଶାସକ ଦଳର ନିର୍ବାଚିତ ଜନପ୍ରତିିନିଧି ଭାବେ ଦୁର୍ନୀତିଖୋର ସରକାରୀ କର୍ମଚାରୀମାନଙ୍କୁ ବିଭିନ୍ନ ଗଣତାନ୍ତ୍ରିକ ପଦପଦବୀରେ ଅବସ୍ଥାପିତ କରାଯାଉଛି । ଆବଶ୍ୟକ ପଡ଼ିଲେ ଶାସକ ବିଜେଡି ସମସ୍ତ ଆଇନ କାନୁନକୁ ଜଳାଞ୍ଜଳି ଦେବାକୁ ମଧ୍ୟ ପଛାଉ ନାହିଁ । ସରକାରୀ ଏକ ଟଙ୍କାର ଅନିୟମିତତା ଦଣ୍ଡନୀୟ ଅପରାଧ ହୋଇଥିବାବେଳେ କୋଟି କୋଟି ଟଙ୍କା ଦୁର୍ନୀତିରେ ସଂପୃକ୍ତ ଥାଇ ମଧ୍ୟ ଅଭିଯୁକ୍ତଙ୍କୁ ଅନୁକମ୍ପା ପ୍ରଦାନ କରାଯାଉଛି । ‘ବାଡ଼ ହୋଇ କ୍ଷେତ ଖାଇଯିବା' ଭଳି ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ପୂର୍ବତନ କିରାଣୀ ଓ ଷ୍ଟୋର ଇନଚାର୍ଜ ତଥା ବର୍ତ୍ତମାନର ବିଧାୟକ ମନୋହର ରନ୍ଧାରୀ ବୋଲି ସେ କହିଛନ୍ତି ।

ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି ଯେ, ନନ୍ଦାହାଣ୍ଡି ପଂଚାୟତ ସମିତିରେ ୧ କୋଟି ୪ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ପଂଚାୟତ ବିଭାଗର ସ୍ପେଶାଲ ଅଡିଟରେ ଧରାପଡିଥିଲା ଏବଂ ଏହି ଦୁର୍ନୀତିରେ ଶ୍ରୀ ରନ୍ଧାରୀ ମଧ୍ୟ ସଂପୃକ୍ତ ଥିଲେ । ରାଜନୀତିକୁ ଆସିବା ପୂର୍ବରୁ ନନ୍ଦାହାଣ୍ଡି ବ୍ଲକର କିରାଣୀ ଏବଂ ଷ୍ଟୋର ଇନଚାର୍ଜ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ରନ୍ଧାରୀଙ୍କ ନାଁରେ ୧୧ ଲକ୍ଷ ଟଙ୍କାର ଦୁର୍ନୀତି ମାମଲା ରହିଛି । ଏହି ବ୍ୟାପକ ଟଙ୍କା ଶ୍ରୀ ରନ୍ଧାରୀଙ୍କଠାରୁ ଆଦାୟ କରାଯିବା ପାଇଁ ନିର୍ଦ୍ଦେଶ ଥିବା ସତ୍ୱେ ବର୍ତମାନ ସୁଦ୍ଧା ସଂପୂର୍ଣ୍ଣ ଟଙ୍କା ଆଦାୟ କରାଯାଇ ନଥିବାବେଳେ ତାଙ୍କ ବିରୋଧରେ ୨୦୦୯ ମସିହାରେ କୈାଣସି ବକେୟା ନାହିଁ ଏବଂ ଏହି ଅଭିଯୋଗକୁ ଅଣଦେଖା କରାଯାଉ ବୋଲି କେଉଁ ଆଧାରରେ ଏବଂ କାହା ନିର୍ଦ୍ଦେଶରେ ରିପୋର୍ଟ ଦିଆଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି ଏହି ଦୁର୍ନୀତିର ତଦନ୍ତ ଭିଜିଲାନ୍ସକୁ ଦିଆଯାଇଛି ଏବଂ ଏବେସୁଦ୍ଧା ତଦନ୍ତ ପ୍ରକ୍ରିୟା ଶେଷ ହୋଇନାହିଁ । ଏହା ସତ୍ୱେ କୌଣସି ମାମଲା ତାଙ୍କ ନାମରେ ନାହିଁ ବୋଲି ବିଧାୟକ ଶ୍ରୀ ରନ୍ଧାରୀ ନିଜ ଆଫିଡେଭିଟରେ ଉଲ୍ଲେଖ କରିବା ସଂପୂର୍ଣ୍ଣ ଆଇନବିରୋଧୀ । ତେଣୁ ଶାସକ ବିଜେଡିର ନିର୍ମଳ ଭାବମୂର୍ତ୍ତି ସ୍ଲୋଗାନ କେବଳ ଏକ ପ୍ରହସନ ବୋଲି ବିଜେପି ଅଭିଯୋଗ କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ମିଡିଆ ସେଲର ସୁଜିତ୍ ଦାସ ଉପସ୍ଥିତ ଥିଲେ ।

Related story