ବିଜେପି ନେତାଙ୍କ ବୋହୂ ବିଜେଡି ପ୍ରାର୍ଥୀ, ଶ୍ୱଶୁର ଖୁସ୍ !

ପଦ୍ମପୁର(ଓଡ଼ିଶା ରିପୋର୍ଟର): ବିଜେପି ନେତାଙ୍କ ବୋହୂ ବିଜେଡି ପ୍ରାର୍ଥୀ। ଯାହାକୁ ନେଇ ଶ୍ୱଶୁର ଖୁସ୍, ବୋହୂ ବି ଖୁସ୍। ପଦ୍ମପୁର ନିର୍ବାଚନରେ ଦେଖିବାକୁ ମିଳିଛି ଏଭଳି ରୋଚକ ଦୃଶ୍ୟ। ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ପୁରୀ ଜିଲ୍ଲା ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆରସିଂହଙ୍କ ବୋହୂ ବର୍ଷା ସିଂ ବରିହା ଏବେ ପଦ୍ମପୁରରୁ ହୋଇଛନ୍ତି ବିଜେଡି ପ୍ରାର୍ଥୀ। ପଦ୍ମପୁର ବିଜେଡି ପ୍ରାର୍ଥୀ ଘୋଷଣା ପରେ ବର୍ଷା ସିଂ ବରିହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରତିକ୍ରିୟା […]

ber

  • Published: Monday, 14 November 2022
  • , Updated: 14 November 2022, 06:04 PM IST

ପଦ୍ମପୁର(ଓଡ଼ିଶା ରିପୋର୍ଟର): ବିଜେପି ନେତାଙ୍କ ବୋହୂ ବିଜେଡି ପ୍ରାର୍ଥୀ। ଯାହାକୁ ନେଇ ଶ୍ୱଶୁର ଖୁସ୍, ବୋହୂ ବି ଖୁସ୍। ପଦ୍ମପୁର ନିର୍ବାଚନରେ ଦେଖିବାକୁ ମିଳିଛି ଏଭଳି ରୋଚକ ଦୃଶ୍ୟ। ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ପୁରୀ ଜିଲ୍ଲା ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆରସିଂହଙ୍କ ବୋହୂ ବର୍ଷା ସିଂ ବରିହା ଏବେ ପଦ୍ମପୁରରୁ ହୋଇଛନ୍ତି ବିଜେଡି ପ୍ରାର୍ଥୀ।

ପଦ୍ମପୁର ବିଜେଡି ପ୍ରାର୍ଥୀ ଘୋଷଣା ପରେ ବର୍ଷା ସିଂ ବରିହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରତିକ୍ରିୟା ରଖି ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଆସ୍ଥା ଓ ଭରସା କରିଛନ୍ତି। ସେ ଏଥିପାଇଁ ଖୁସ୍। ପରିବାରରୁ ଯିଏ ବି ବିଜେଡି ଟିକେଟ ପାଇଥିଲେ ସେ ଖୁସି ହୋଇଥାନ୍ତେ। ବାପାଙ୍କ କାମ ଦେଖି ତାଙ୍କୁ ଟିକେଟ ଦିଆଯାଇଛି। ପିଲା ବେଳୁ ବାପାଙ୍କ ଠାରୁ ବହୁତ କିଛି ଦେଖିଛନ୍ତି ଓ ଶିଖିଛନ୍ତି। ଏହାକୁ ଉପଯୋଗ କରି ଲୋକଙ୍କ କାମ କରିବେ। ବିଧାୟକ ହେଲେ ସର୍ବପ୍ରଥମେ ମହିଳା ସଶକ୍ତୀକରଣକୁ ଗୁରୁତ୍ୱ ଦେବେ। ସରକାରଙ୍କ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବେ। ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବା ନିମନ୍ତେ ବିଜେଡି ସମର୍ଥନ ଦେଇଛି ବୋଲି ସେ କହିଛନ୍ତି।

ସେପଟେ ଆସନ୍ତା ୧୬ରେ ସେ ନାମାଙ୍କନ ଦାଖଲ କରିବେ ବୋଲି ଜଣାପଡ଼ିଛି। ହେଲେ ବର୍ଷା ତାଙ୍କ ପ୍ରତିକ୍ରିୟାରେ ଶ୍ୱଶୁର ରମାରଞ୍ଜନ ବଳିଆରସିଂହଙ୍କ ନାଁ କିମ୍ବା ରାଜନୈତିକ ପ୍ରଭାବ ବିଷୟରେ ଟିକିଏ ହେଲେ ବି ମୁହଁ ଖୋଲି ନାହାନ୍ତି। କେବଳ ତାଙ୍କ ବାପା ତଥା  ଦିବଙ୍ଗତ ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ପ୍ରଭାବ ବିଷୟରେ ହିଁ ନିଜର ପକ୍ଷ ରଖି ବିଜେଡି ଟିକେଟ୍ ହାସଲ କରିବାରେ ସମର୍ଥ ହୋଇଛନ୍ତି।

ତେବେ ବର୍ଷା ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ପୁରୀ ଜିଲ୍ଲା ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆରସିଂଙ୍କ ବୋହୂ ହୋଇଥିବାରୁ ଏହାକୁ ନେଇ ରାଜନୀତି ସରଗରମ ହୋଇଛି। ସ୍ୱାଧୀନ ପ୍ରାର୍ଥୀ ଭାବେ ରମାରଞ୍ଜନ ବିଧାୟକ ନିର୍ବାଚନ ଜିତିଥିଲେ। ପରେ ବିଜେଡିରେ ଯୋଗଦେଇଥିଲେ। ହେଲେ ଦଳିୟ ବିଶ୍ୱସନୀୟତା ହରାଇବା ପରେ ସେ ବିଜେଡି ଛାଡ଼ି ବିଜେପିକୁ ଲମ୍ପ ଦେଇଛନ୍ତି।

ଏନେଇ ରମାରଞ୍ଜନ କହିଛନ୍ତି, ସେ ବିଜେପିର ଜଣେ ସାଧାରଣ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା। ସେ ଆଗକୁ ମଧ୍ୟ ବିଜେପି ପାଇଁ ହିଁ ଶୃଙ୍ଖଳିତ ସଦସ୍ୟ ଭାବେ ସମସ୍ତ ଦାୟିତ୍ୱ ତୁଲାଇବେ। ବୋହୂ ବିଜେଡିରୁ ଟିକେଟ ପାଇବା ପରେ ଏହା ତାଙ୍କ ରାଜନୈତିକ ଦାୟିତ୍ୱ ପରିଚାଳନାରେ କୌଣସି ପ୍ରଭାବ ପକାଇବନି। ବୋହୂ ତା ସ୍ଥାନରେ କାମ କରିବ ଓ ସେ ତାଙ୍କ ସ୍ଥାନରେ କାମ କରିବେ। ରାଜନୀତିରେ ଏମିତି ଅନେକ ଉଦାହରଣ ରହିଛି। ପରିବାର ଭିତରେ ଏହାର କୌଣସି ପ୍ରଭାବ ପଡ଼ିବନି। ସେ ବର୍ଷାଙ୍କୁ ବୋହୂ ନୁହେଁ, ବରଂ ଝିଅ ଭାବେ ସ୍ନେହ ଓ ଶ୍ରଦ୍ଧା କରନ୍ତି। ତାଙ୍କ ପ୍ରତି ରହିଥିବା ସମସ୍ତ ଦାୟିତ୍ୱ ମଧ୍ୟ ଆଗକୁ ତୁଲାଇବେ। ବାପା ଚାଲିଯିବା ପରେ ବଡ଼ ଝିଅର ଥିବା କର୍ତ୍ତବ୍ୟ କରିବାକୁ ବର୍ଷା ଯାଇଛନ୍ତି। ରାଜନୀତିରେ ଏପରି ଅଚାନକ ପାଦ ଦେବେ ବୋଲି ଆଶା ନ ଥିଲା। ବର୍ଷାଙ୍କ ଇଚ୍ଛା ମଧ୍ୟ ନ ଥିଲା। ବର୍ତ୍ତମାନ ପରିସ୍ଥିତିରେ ଏକ ନୂଆ ଦାୟିତ୍ୱ ତାଙ୍କୁ ମିଳିଛି। ଏଥିପାଇଁ ସେ ବୋହୂକୁ ଶୁଭେଚ୍ଛା ଓ ଶୁଭକାମନା ଦେବେ। ଏଠାରେ ନିର୍ବାଚନ ଲଢ଼େଇ ଖୁବ୍ ଜୋରଦାର ହେବ। ଏଠାରେ ଗଣତାନ୍ତ୍ରିକ ବ୍ୟବସ୍ଥା ଓ ଲୋକମତର ହିଁ ବିଜୟ ହେବ ବୋଲି ସେ କହିଛନ୍ତି। ତାଙ୍କ ହସହସ ମୁହଁରୁ ମିଳିଥିବା ଏଭଳି ମତାମତରୁ ସେ ବି ବିଜେଡି ପ୍ରାର୍ଥୀ ଘୋଷଣାକୁ ନେଇ ଖୁସି ବୋଲି ଜଣାପଡ଼ିଛି।

ସେପଟେ ବିଶାଳ ବିଜେପି ଶୋଭାଯାତ୍ରାରେ ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଇଥିବା ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ହଠାତ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ୟୁଟର୍ଣ୍ଣ ନେଇଛନ୍ତି। ସେ ନାମାଙ୍କନପତ୍ର ଦାଖଲ ନ କରି ଉପଜିଲ୍ଲାପାଳଙ୍କ ଅଫିସ୍‌ରୁ ଫେରି ଯାଇଛନ୍ତି। ଚାଷୀଙ୍କ ସମସ୍ୟା ସରକାର ବୁଝିନଥିବାରୁ ସେ ନାମାଙ୍କନ ଭରି ନ ଥିବା କୁହାଯାଉଛି। ଚାଷୀ ସଂଗଠନ ନେତାମାନେ ତାଙ୍କୁ ନାମାଙ୍କନପତ୍ର ଦାଖଲ ନ କରିବାକୁ ନିବେଦନ କରିଥିଲେ। ଚାଷୀଙ୍କ ନିବେଦନ ଶୁଣିବା ପରେ ନାମାଙ୍କନପତ୍ର ଦାଖଲ ନ କରି ସେ ଚାଲି ଯାଇଥିବା କୁହାଯାଉଛି। ତେବେ ଏନେଇ ପ୍ରଦୀପଙ୍କ ମତାମତ ମିଳିପାରିନି।

ତେବେ ଚାଷୀ ସଂଗଠନ ପକ୍ଷରୁ କୁହାଯାଇଛି, ଚାଷୀଙ୍କୁ ଉଚିତ୍ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଓ ପଦ୍ମପୁରକୁ ଜିଲ୍ଳା ମାନ୍ୟତା ନ ମିଳିବା ଯାଏ କୌଣସି ଦଳ ବା ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ ନ କରିବାକୁ ନିବେଦନ ହୋଇଛି। କାରଣ ଗତ ଖରିଫ୍ ସମୟରେ ୧୨ ହଜାର ଚାଷୀଙ୍କୁ ଟୋକନ ଦିଆଯାଇଥିଲେ ବି ଧାନ କିଣାଯାଇ ନ ଥିଲା। ୬୩ ଦିନ ଯାଏଁ ଧାନ ମଣ୍ଡି ଆଗରେ ପଡ଼ିପଡ଼ି ନଷ୍ଟ ହୋଇଥିଲା।

ଅନ୍ୟପଟେ ପଦ୍ମପୁର ଉପନିର୍ବାଚନ ଭୋଟିଂ ସମୟ ଅବଧିରେ ହ୍ରାସ କରାଯାଇଛି। ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ଅପରାହ୍ନ ୪ଟା ଯାଏ ଚାଲିବ। ଏହା ମାଓ ଅଞ୍ଚଳ ହୋଇଥିବାରୁ ଓ ଶୀତ ଦିନ ଚାଲିଥିବାରୁ ଅବଧି କମାଇ ଦିଆଯାଇଛି। ଭୋଟିଂ ଟାଇମ୍ ହ୍ରାସ ନେଇ ସର୍ବଦଳୀୟ ମିଟିଂ ପରେ ପ୍ରଶାସନର ଏହି ସୂଚନା ଦେଇଛି।

Related story