ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏନଡିଏ ତରଫରୁ ଗତକାଲି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯିବା ପରେ ଆଜି ସେ ରାଇରଙ୍ଗପୁରର ବିଭିନ୍ନ ମନ୍ଦିର ବୁଲି ପୂଜାର୍ଚ୍ଚନା କରିଛନ୍ତି। ଏହି ସମୟରେ ଦେଖିବାକୁ ମିଳିଥିଲା ଏକ ନିଆରା ଦୃଶ୍ୟ। ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁର ସହରର ପୂର୍ଣ୍ଣନ୍ଦେଶ୍ୱରସ୍ଥିତ ଶିବ ମନ୍ଦିର ଦର୍ଶନ ନିମନ୍ତେ ଯାଇଥିବା ବେଳେ ସେଠାରେ ଝାଡ଼ୁ ମାରିଥିବା ଦେଖିବାକୁ ମିଳିଥିଲା। ପୂର୍ବରୁ ଉକ୍ତ ମନ୍ଦିର ଦର୍ଶନ ବେଳେ ଶ୍ରୀମତୀ ମୁର୍ମୁ ମନ୍ଦିର ପରିସରକୁ ଝାଡ଼ୁ ମାରି ସଫା କରିଥିବା ବେଳେ ଆଜି ବି ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା।
ଆଜି ସକାଳୁ ଦ୍ରୌପଦୀ ରାଇରଙ୍ଗପୁରର ଜଗନ୍ନାଥ ମନ୍ଦିର, ଶିବମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ। ଏହାପରେ ପୂର୍ଣ୍ଣନ୍ଦେଶ୍ୱର ଶିବମନ୍ଦିର, ହନୁମାନ ମନ୍ଦିର, ଜଗନ୍ନାଥ ମନ୍ଦିର ଯାଇ ଦର୍ଶନ କରିଥିଲେ। ରାଇରଙ୍ଗପୁରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟକୁ ଯାଇ ପ୍ରାର୍ଥନା କରିଥିଲେ। ବ୍ରହ୍ମାକୁମାରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସାନ୍ତାଳୀଙ୍କ ଆରାଧନା ପୀଠ ଜାହିରା ଯାଇ ଦ୍ରୌପଦୀ ମୁର୍ମୁ ପୂଜାର୍ଚ୍ଚନା କରିଥିଲେ।
ଓଡିଶାର ଜଣେ ଆଦିବାସୀ ନେତା ଶ୍ରୀମତୀ ମୁର୍ମୁଙ୍କୁ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ଶାସକ ଏନଡିଏର ପ୍ରାର୍ଥୀ ଭାବେ ନାମିତ କରିବା ପରେ ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା। ମଙ୍ଗଳବାର ସଂସଦୀୟ ବୋର୍ଡର ମିଟିଙ୍ଗ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସଭାପତି ଜେପି ନଡ୍ଡା ତାଙ୍କ ନାମ ରାଷ୍ଟ୍ରପତି ପ୍ରାର୍ଥୀ ହିସାବରେ ଘୋଷଣା କରିଥିଲେ। ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ୬୪ ବର୍ଷୀୟା ଶ୍ରୀମତୀ ମୁର୍ମୁ ଯଦି ନିର୍ବାଚିତ ହୁଅନ୍ତି, ତେବେ ସେ ଓଡିଶାର ପ୍ରଥମ ବ୍ୟକ୍ତି ଏବଂ ଭାରତର ରାଷ୍ଟ୍ରପତି ପଦରେ ଆସୀନ ହେବାକୁ ଥିବା ଦ୍ୱିତୀୟ ମହିଳା ହେବେ।
ଦ୍ରୌପଦୀ ମୁର୍ମୁ ନିଜ ଜୀବନକୁ ସମାଜର ସେବା ତଥା ଗରିବ, ଦଳିତ ବର୍ଗର ଲୋକଙ୍କୁ ସଶକ୍ତିକରଣ କରିବାରେ ଉତ୍ସର୍ଗ କରିଛନ୍ତି। ତାଙ୍କର ସମୃଦ୍ଧ ପ୍ରଶାସନିକ ଅଭିଜ୍ଞତା ରହିଛି ଏବଂ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାଳ ରହିଛି। ମୁଁ ନିଶ୍ଚିତ ଯେ ସେ ଆମ ଦେଶର ଜଣେ ମହାନ ରାଷ୍ଟ୍ରପତି ହେବେ ବୋଲି ମୋଦୀ ଟ୍ୱିଟ୍ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, "ଲକ୍ଷ ଲକ୍ଷ ଲୋକ, ବିଶେଷ କରି ଯେଉଁମାନେ ଦାରିଦ୍ର୍ୟ ଏବଂ ଅସୁବିଧାର ସମ୍ମୁଖୀନ ହୋଇଥିଲେ, ସେମାନେ ଶ୍ରୀମତୀ ଦୌପଦୀ ମୁର୍ମୁଙ୍କ ଜୀବନରୁ ବହୁତ ପ୍ରେରଣା ପାଇଥାନ୍ତି।
ଜୁଲାଇରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ମିଳିତ ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କ ବିରୋଧରେ ଏନଡିଏର ପ୍ରାର୍ଥୀ ହୋଇଛନ୍ତି ଶ୍ରୀମତୀ ମୁର୍ମୁ। ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ହେବ ଏବଂ ଭୋଟ୍ ଗଣନା ଜୁଲାଇ ୨୧ରେ ହେବ।
https://youtu.be/CaxpQDLNuMg