ବିବାଦରେ ବିଏମସି କମିଶନର: ବର୍ଷିଲେ ବିଜୟ , ଥାନାରେ ବି ମାମଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମ(ବିଏମସି) କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ନିଜର ଆଚରଣ ଓ ଉଚ୍ଚାରଣ ପାଇଁ ଏବେ ବିବାଦୀୟ ହୋଇପଡ଼ିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଉଲ୍ଲଘଂନ କରି ସରକାରୀ ଗାଡ଼ିରେ ନାଲିବତୀ ଲଗାଇ ଶ୍ରୀ ଚୌଧୁରୀ ଭିଆଇପି ଦେଖାଇ ବୁଲିବାକୁ ନେଇ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ତାଙ୍କୁ କଡ଼ା ସମାଲୋଚନା କରିଥିବାବେଳେ ସଟଡାଉନ ଅବଧିରେ କୋଭିଡ୍ ନିୟମ ଉଲ୍ଲଘଂନ କରିଥିବା ଯୋଗୁ ତାଙ୍କ ବିରୁଦ୍ଧରେ କ୍ୟାପିଟାଲ ଥାନାରେ ସିଭିଲ୍ ସୋସାଇଟି […]

bmc

Tapas Behera
  • Published: Tuesday, 07 July 2020
  • , Updated: 07 July 2020, 10:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମ(ବିଏମସି) କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ନିଜର ଆଚରଣ ଓ ଉଚ୍ଚାରଣ ପାଇଁ ଏବେ ବିବାଦୀୟ ହୋଇପଡ଼ିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଉଲ୍ଲଘଂନ କରି ସରକାରୀ ଗାଡ଼ିରେ ନାଲିବତୀ ଲଗାଇ ଶ୍ରୀ ଚୌଧୁରୀ ଭିଆଇପି ଦେଖାଇ ବୁଲିବାକୁ ନେଇ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ତାଙ୍କୁ କଡ଼ା ସମାଲୋଚନା କରିଥିବାବେଳେ ସଟଡାଉନ ଅବଧିରେ କୋଭିଡ୍ ନିୟମ ଉଲ୍ଲଘଂନ କରିଥିବା ଯୋଗୁ ତାଙ୍କ ବିରୁଦ୍ଧରେ କ୍ୟାପିଟାଲ ଥାନାରେ ସିଭିଲ୍ ସୋସାଇଟି ପକ୍ଷରୁ ମାମଲା ରୁଜୁ ହୋଇଛି।

ବିଜେପି ନେତା ବିଜୟ ମହାପାତ୍ର ଆଜି ଗଣମାଧ୍ୟମ ସମ୍ମୁଖରେ ବିଏମସି କମିଶନର ଶ୍ରୀ ଚୌଧୁରୀଙ୍କ ଭିଆଇପି ମାନସିକତାକୁ ନେଇ ତାଙ୍କ ଉପରେ ବର୍ଷିଛନ୍ତି । ଶ୍ରୀ ମହାପାତ୍ର କହିଛନ୍ତି ଯେ, ବିଏମସି କମିଶନର ତାଙ୍କ ଗାଡ଼ିରେ ନାଲିବତୀ ଲଗାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୭ ଏପ୍ରିଲ ମାସରୁ ନିଜ ଗାଡ଼ିରୁ ନାଲିବତୀ ହଟାଇବା ସହ ମନ୍ତ୍ରୀ ଓ ଅଫିସରମାନେ ବି ନିଜ ଗାଡ଼ିରୁ ନାଲିବତୀ ହଟାଇଛନ୍ତି। ୨୦୧୭ ମେ’ ମାସରୁ ଭିଆଇପି କଲଚର ଉଚ୍ଛେଦ ହୋଇଛି। କିନ୍ତୁ ବିଏମସି କମିଶନର ଚଢ଼ୁଥିବା ୨ଟି ଗାଡ଼ିରେ ନାଲିବତୀ କିଭଳି ଲାଗିଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଶ୍ରୀ ଚୌଧୁରୀ ଓଡ଼ିଶାର ଏବେ ଏକମାତ୍ର ଭିଆଇପି ଯିଏ ତାଙ୍କ ଗାଡ଼ିରେ ନାଲିବତୀ ଲଗାଇଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଓ ଆଇନକୁ ବେଖାତିର କରି ସେ ଗାଡ଼ିରେ ନାଲିବତୀ ଲଗାଇବା ଏକ ଦଣ୍ଡନୀୟ ଅପରାଧ। ଏହା ଶ୍ରୀ ଚୌଧୁରୀଙ୍କ ଅସନ୍ତୁଳିତ ମାନସିକତା ଓ ଅସ୍ୱାଭାବିକ ମାନସିକତାର ପରିଚୟ ଦେଉଛି।

ତେଣୁ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉ। ମୁଖ୍ୟ ସଚିବ ଓ ଗୃହ ସଚିବ ନାଲିବତୀ ଲଗାଉନଥିବାବେଳେ ଶ୍ରୀ ଚୌଧୁରୀ କିଭଳି ନାଲିବତୀ ଲଗାଉଛନ୍ତି ତା’ର ତଦନ୍ତ ହେଉ। ତୁରନ୍ତ ତାଙ୍କର ଗାଡ଼ିକୁ ସିଲ୍ କରି ତାଙ୍କୁ ଚାକିରିରୁ ଅବ୍ୟାହତି ଦିଆଯାଉ। ଆଉ ପୁଲିସ୍ ମଧ୍ୟ ନିଜ ଆଡ଼ୁ ଏନେଇ ଶ୍ରୀ ଚୌଧୁରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ସୂଚନାଯୋଗ୍ୟ, ଶ୍ରୀ ଚୌଧୁରୀ ଚଢ଼ୁଥିବା ଦୁଇଟି ସରକାରୀ ଗାଡ଼ି ଉପରେ ବତୀ ଲାଗିଛି। ତେବେ ଏନେଇ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେବା ଶ୍ରୀ ଚୌଧୁରୀ ମନା କରିଦେଇଛନ୍ତି।

ଅନ୍ୟପକ୍ଷରେ ସିଭିଲି ସୋସାଇଟି ସଦସ୍ୟା ତଥା ସମାଜସେବୀ ସଂଯୁକ୍ତା ପାଣିଗ୍ରାହୀ ଆଜି କ୍ୟାପିଟାଲ ଥାନାରେ ବିଏମସି କମିଶନର ଶ୍ରୀ ଚୌଧୁରୀଙ୍କ ବିରୁଦ୍ଧରେ ଅଭିଯୋଗ ରୁଜୁ କରିଛନ୍ତି। ଶନିବାର ଓ ରବିବାର ରାଜଧାନୀରେ ସଟଡାଉନ୍ ରହୁଥିବାବେଳେ ବିଏମସି କମିଶନର ଶ୍ରୀ ଚୌଧୁରୀ ଭୁବନେଶ୍ୱରର ବିଭିନ୍ନ ପାର୍କରେ ବରିଷ୍ଠ ନାଗରିକଙ୍କ ବୈଠକ କରି ତାଙ୍କ ସହ ଆଲୋଚନା କରୁଛନ୍ତି। କରୋନାରେ ବରିଷ୍ଠ ନାଗରିକମାନେ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାବେଳେ ସେମାନଙ୍କୁ ଘରୁ ନବାହାରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

କିନ୍ତୁ ଆଶ୍ଚର୍ଯ୍ୟର କଥା କରୋନା ସଂକ୍ରମଣକୁ ରୋକିବା ନିମନ୍ତେ କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ପାଳନ ଓ ଲାଗୁ କରିବାର ଦାୟିତ୍ୱ ଶ୍ରୀ ଚୌଧୁରୀଙ୍କ ଉପରେ ରହିଥିବାବେଳେ ସେ ନିଜେ ଏବେ ଅଧିକାଂଶ ବରିଷ୍ଠ ନାଗରିକଙ୍କ ଜୀବନକୁ ବିପଦ ମଧ୍ୟକୁ ଠେଲି ଦେଉଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ୭ଜଣରୁ ଅଧିକ ଲୋକଙ୍କ ସମାବେଶ ବା ଏକଜୁଟ କରିବା ଉପରେ କଟକଣା ଥିବାବେଳେ ଶ୍ରୀ ଚୌଧୁରୀ ଏସବୁକୁ ଉଲ୍ଲଘଂନ କରୁଛନ୍ତି।
ତେଣୁ ଏସବୁ ଅଭିଯୋଗର ତଦନ୍ତ କରି ବିଏମସି କମିଶନରଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀମତୀ ପାଣିଗ୍ରାହୀ ଦାବି କରିଛନ୍ତି। ଥାନାରେ ଅଭିଯୋଗ କରିବା ସମୟରେ ତାଙ୍କ ସହ ସିଭିଲ ସୋସାଇଟି ସଦସ୍ୟ ପ୍ରଦୀପ ପ୍ରଧାନ, ଶ୍ରୀକାନ୍ତ ପକାଳ,ସୁଧୀର ମହାନ୍ତି ଓ ପ୍ରତାପ ସାହୁ ଉପସ୍ଥିତ ଥିଲେ।

Related story