ବିଏମସିର କଟକଣା: ପୂଜା ମଣ୍ଡପକୁ ଶ୍ରଦ୍ଧାଳୁଙ୍କୁ ବାରଣ, ଭସାଣୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଦଶହରା ପୂଜାକୁ ନିରାଡମ୍ବର ଭାବେ ପାଳନ କରିବା ନିମନ୍ତେ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ଆଜି ଗାଇଡଲାଇନ ଜାରି ହୋଇଛି। ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ସହ କୌଣସି ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। ଏହାସହିତ ମେଢ଼ ବିସର୍ଜନ ପାଇଁ ଭସାଣୀ ଶୋଭାଯାତ୍ରା ହୋଇପାରିବ ନାହିଁ। କୌଣସି ପରିସ୍ଥିତିରେ ପୂଜା ମଣ୍ଡପରେ ଏକସଙ୍ଗେ ୭ଜଣରୁ ଅଧିକ କମିଟି ସଦସ୍ୟ ଉପସ୍ଥିତ ରହିବେ ନାହିଁ […]

Durga_Puja

Durga_Puja

Ordigital Desk
  • Published: Thursday, 23 September 2021
  • Updated: 23 September 2021, 08:10 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଦଶହରା ପୂଜାକୁ ନିରାଡମ୍ବର ଭାବେ ପାଳନ କରିବା ନିମନ୍ତେ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ଆଜି ଗାଇଡଲାଇନ ଜାରି ହୋଇଛି। ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ସହ କୌଣସି ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। ଏହାସହିତ ମେଢ଼ ବିସର୍ଜନ ପାଇଁ ଭସାଣୀ ଶୋଭାଯାତ୍ରା ହୋଇପାରିବ ନାହିଁ। କୌଣସି ପରିସ୍ଥିତିରେ ପୂଜା ମଣ୍ଡପରେ ଏକସଙ୍ଗେ ୭ଜଣରୁ ଅଧିକ କମିଟି ସଦସ୍ୟ ଉପସ୍ଥିତ ରହିବେ ନାହିଁ ବୋଲି ବିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।

ବିଏମସି କମିଶନରଙ୍କ ଦ୍ୱାରା ଆଜି ଜାରି ଦଶହରା ପୂଜା ପାଳନ ନିମନ୍ତେ ନିର୍ଦ୍ଦେଶନାମାରେ ଦର୍ଶାଯାଇଛି ଯେ, ରାଜ୍ୟରେ କୋଭିଡ୍‌-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଦ୍ୱାରା ଅଗଷ୍ଟ ୩୧ତାରିଖରେ ଜାରି ଗାଇଡଲାଇନ ଅନୁସାରେ ବିଏମସି ପକ୍ଷରୁ କେତେକ ପଦକ୍ଷେପ ନିଆଯାଇଛି। ବିଏମସି ଅଂଚଳରେ ସମସ୍ତ ଦୁର୍ଗା ପୂଜା ପାଳନ ନିମନ୍ତେ ଲୋକଙ୍କ ଏକଜୁଟ ପାଇଁ ଅନୁମତି ମିଳିବ ନାହିଁ। ପୂଜା କମିଟି ଓ ଆୟୋଜକମାନେ ପୂଜା ମଣ୍ଡପ ବା ପେଣ୍ଡାଲରେ କୋଭିଡ୍‌-୧୯ ନିୟମକୁ କଡ଼ାକଡ଼ି ପାଳନ କରିବେ। ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ଓ ସାନିଟାଇଜେସନ୍ ନିୟମକୁ ପାଳନ କରିବା ସହ ପୁଲିସ କମିଶନରଙ୍କଠୁ ପୂଜା ମଣ୍ଡପ ନିମନ୍ତେ ଅନୁମତି ନେବେ।

ପୂଜା ବେଶୀ ଆଡ଼ମ୍ବରପୂର୍ଣ୍ଣ ହେବ ନାହିଁ। କେବଳ ରୀତିନୀତି ପାଇଁ ପୂଜାର୍ଚ୍ଚନା ହେବ। ଏହି ପୂଜା ମଣ୍ଡପରେ ତିନିପଟ ବନ୍ଦ ରଖାଯିବ ଓ ଗୋଟିଏ ପଟ କେବଳ ପୂଜକଙ୍କ ରୀତିନୀତି ନିମନ୍ତେ ଖୋଲା ରହିବ। ତେବେ ଏହି ଚତୁର୍ଥ ପଟକୁ ମଧ୍ୟ ଠିକ୍ ଭାବେ ଢାଙ୍କିବାକୁ ପଡ଼ିବ,ଯାହାଫଳରେ ଶ୍ରଦ୍ଧାଳୁମାନେ ଦର୍ଶନ କରିପାରିବେ ନାହିଁ । ମୂର୍ତ୍ତିର ଉଚ୍ଚତା ସର୍ବାଧିକ ୪ଫୁଟ ରହିବ। ମୂର୍ତ୍ତି ବିସର୍ଜନ ପାଇଁ ଆୟୋଜକମାନେ ଭସାଣୀ କରିପାରିବେ ନାହିଁ।

ବିସର୍ଜନ ପାଇଁ ବିଏମସି ପକ୍ଷରୁ କୃତ୍ରିମ ପୋଖରୀ ସୃଷ୍ଟି କରାଯିବ। ବିସର୍ଜନବେଳେ ସର୍ବାଧିକ ୧୦ଜଣ ଲୋକଙ୍କୁ ଏକଜୁଟ ହେବାକୁ ଅନୁମତି ଦିଆଯାଉଥିବାରୁ ମୂର୍ତ୍ତିର ଉଚ୍ଚତା ଓ ଓଜନକୁ ସୀମିତ ରଖିବାକୁ ବିଏମସି କମିଶନର ପରାମର୍ଶ ଦେଇଛନ୍ତି। ଏହାସହିତ ଯେଉଁମାନେ ବିସର୍ଜନରେ ସାମିଲ ହେବେ, ସେମାନେ କୋଭିଡ୍ ଟିକା ଦୁଇ ଡୋଜ୍ ନେଇଥିବାକୁ ପୂଜା କମିଟି ସୁନିଶ୍ଚିତ କରାଇବେ।

ପୂଜା କମିଟି ନିଜର ସମସ୍ତ ସଦସ୍ୟଙ୍କୁ କୋଭିଡ୍ ଟିକାର ସାର୍ଟିଫିକେଟ ପାଖରେ ସବୁବେଳେ ରଖିବା ଓ ଯାଂଚବେଳେ ଦେଖାଇବା ନିମନ୍ତେ ଅବଗତ କରାଇବେ ବୋଲି ବିଏମସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଅକ୍ଟୋବର ୧୧ରୁ ୧୫ତାରିଖ ମଧ୍ୟରେ ଦୁର୍ଗାପୂଜା ପାଳନ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos