ଯାଜପୁର (ଓଡ଼ିଶା ରିପୋର୍ଟର): ସୂଚନା ଅଧିକାର କର୍ମୀଙ୍କ ଗାଡ଼ି ଉପରକୁ ବୋମାମାଡ଼। ଯାଜପୁର ଇମାମ ନଗରେ ଘଟିଛି ଏହି ଘଟଣା।
ବୋମାମାଡ଼ରେ ଆହତ ସୂଚନା ଅଧିକାର କର୍ମୀଙ୍କ ନାଁ ସର୍ବେଶ୍ୱର ବେଉରିଆ। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ କରାଯାଇଛି। ଗାଡ଼ିରେ ଥିବା ସୁଶାନ୍ତ ବେହେରା ନାମକ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି।
ଇମାମ ନଗର ନିକଟରେ ବୋମାମାଡ଼ କରି ୨ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ। ସେମାନେ କଳା ପଲ୍ସରରେ ଆସିଥିଲେ। ବୋମାମାଡ଼ରେ ସର୍ବେଶ୍ୱରଙ୍କ ଗାଡିଟି ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।
ଘଟଣାର ଖବର ପାଇଁ ତଦନ୍ତ ଆରମ୍ଭ କରିଛି ପୁଲିସ୍। ଖବର ଲେଖାଯିବା ସୁଦ୍ଧା କିଏ ଓ କାହିଁକି ବୋମାମାଡ଼ କଲା ତାହା ଜଣାପଡ଼ି ନାହିଁ। ତେବେ ଡଙ୍କାରୀ ଖଣି ଖନନରେ ଅନିୟମିତା ଅଭିଯୋଗ ଆଣି ଚର୍ଚ୍ଚାରେ ଥିଲେ ସର୍ବେଶ୍ୱର। ଏନେଇ ସେ ଉଭୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ ଓ ଲୋକାୟୁକ୍ତରେ ଅଭିଯୋଗ କରିଥିଲେ।
ଏହି ଘଟଣାକୁ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ତୀବ୍ର ନିନ୍ଦା କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ରାଜ୍ୟରେ ଏବେ ରାଜନୈତିକ ହିଂସା ଉପରମୁହାଁ। ଏହା ସହିତ ଏହି ଘଟଣାରେ ଡିଜିପି ହସ୍ତକ୍ଷେପ କରନ୍ତୁ ବୋଲି ସେ ଦାବି କରିଛନ୍ତି।
ଓଡ଼ିଶାରେ ରାଜନୈତିକ ହିଂସା ଉପରମୁହାଁ ।@BJP4Odisha ନେତା ଓ ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରା ଙ୍କ ଉପରେ ଯାଜପୁର ଜିଲ୍ଲାର ଧର୍ମଶାଳା ଠାରେ ରାଜନୈତିକ ଉଦ୍ଦେଶ୍ୟ ରଖି ବୋମା ମାଡ଼ ଖବର ଶୁଣି ମୁଁ ବିବ୍ରତ। @DGPOdisha ଙ୍କୁ ଅନୁରୋଧ ତୁରନ୍ତ ହସ୍ତକ୍ଷେପ କରି ଦୁର୍ବୃତ୍ତ ମାନଙ୍କୁ ଗିରଫ କରନ୍ତୁ।
— Lekha Samantsinghar (@DrLekhaShree) March 27, 2021