ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ପରୀକ୍ଷା ସରିଲା, ଫଳ କେମିତି ହୋଇଛି, ସେ ନେଇ ଆରମ୍ଭ ହେଲା ଅଙ୍କକଷା। ବାଲେଶ୍ୱର ଓ ତିର୍ତ୍ତୋଲରେ ଭୋଟ୍ ସରିବା ପରେ ଫଳାଫଳକୁ ନେଇ ଜୋର୍ ଧରିଛି ଚର୍ଚ୍ଚା। ଯଦିଓ ଉପନିର୍ବାଚନ ଫଳ ସେଭଳି କୌଣସି ଫରକ୍ ପକାଇବ ନାହିଁ, ତଥାପି ଆଗକୁ ରାଜ୍ୟ ରାଜନୀତି କେଉଁ ଦିଶା ନେବ ସେନେଇ ସଂଙ୍କେତ ଦେଇପାରେ। ଉଭୟ ବିଜେଡି ଓ ବିଜେପି ଦୁଇଟି ଯାକ ସିଟ୍ ଜିତିବେ ବୋଲି ଦାବି କରୁଥିବା ବେଳେ କଂଗ୍ରେସ୍ କିନ୍ତୁ ରେଜଲ୍ଟ ବାହାରିବା ପୂର୍ବରୁ ହାତ ଟେକି ଦେଇଛି।
୨୦୧୯ ନିର୍ବାଚନରେ ବାଲେଶ୍ୱରରେ ବିଜେପି ୧୩ ହଜାର ୪୦୬ ଭୋଟ୍ରେ ବିଜେଡିକୁ ହରାଇଥିଲା । ଆଉ ତିର୍ତ୍ତୋଲରେ ୪୦ ହଜାର ୩୮୬ ଭୋଟ୍ ବ୍ୟବଧାନରେ ବିଜେପିକୁ ମାତ୍ ଦେଇଥିଲା ବିଜେଡି । ଗତ ନିର୍ବାଚନର ଭୋଟ୍ ବ୍ୟବଧାନ ଓ ଏଥରର ପୁଲିଂକୁ ନେଇ ସବୁ ଦଳ କଷୁଛନ୍ତି ହାର୍-ଜିତର ଅଙ୍କ । ସରକାରଙ୍କ ବିରୋଧରେ ଅଣ୍ଡର କରେଣ୍ଟ ଥିଲା, ତେଣୁ ଉଭୟ ଆସନରେ ଦଳୀୟ ପ୍ରାର୍ଥୀ ଜିତିବାର ଯଥେଷ୍ଟ ସମ୍ଭାବନା ଥିବା ଦାବି କରିଛି ବିଜେପି । ବିଜେଡି କହିଛି ବାଲେଶ୍ୱରରେ ଗତ ନିର୍ବାଚନରେ ଦଳ ଯେତେ ଭୋଟରେ ହାରିଥିଲା ଏଥର ତାଠୁ ଅଧିକ ଭୋଟ୍ ରେ ଜିତିବ । ତିର୍ତ୍ତୋଲରେ ବି ଗତଥର ଭଳି ପ୍ରଦର୍ଶନ କିମ୍ବା ତାଠାରୁ ଆହୁରି ଭଲ ହେବ ବୋଲି ଆଶା ରଖିଛି । ସେପଟେ ନିର୍ବାଚନରେ କଳାଟଙ୍କା, ବାହୁବଳ ଓ ସରକାରୀ କଳର ବ୍ୟବହାର ହୋଇଥିବା ନେଇ ଆରମ୍ଭ ହୋଇଯାଇଛି ଆରୋପ-ପ୍ରତ୍ୟାରୋପ।
ବାଲେଶ୍ୱରରେ ୭୦.୬୯ ଓ ତିର୍ତ୍ତୋଲରେ ୬୯.୬୬ ପ୍ରତିଶତ ପୋଲିଂ ହୋଇଛି । ୧୯ ନିର୍ବାଚନରେ କିନ୍ତୁ ବାଲେଶ୍ୱରରେ ୭୧.୨୯ ଓ ତିର୍ତ୍ତୋଲରେ ୭୪.୦୯ ପ୍ରତିଶତ ମତଦାନ ହୋଇଥିଲା । କୋଭିଡ୍ ସ୍ଥିତି ଯୋଗୁଁ ମତଦାନ ହାର ସାମାନ୍ୟ କମିଛି । କୋଭିଡ୍ ରୋଗୀଙ୍କ ମତଦାନ ପାଇଁ ଉଦ୍ଦିଷ୍ଟ ଥିବା ଶେଷ ଏକ ଘଣ୍ଟାରେ ତିର୍ତ୍ତୋଲରେ ୧୨୭ ଜଣ ଓ ବାଲେଶ୍ୱର ୩୪ ଜଣ ଭୋଟ୍ ଦେଇଥିଲେ । ସେହିପରି ବାଲେଶ୍ୱର ସହରରର ୧୨୪ ପରିବାର ଭୋଟ୍ ବର୍ଜନ କରିଛନ୍ତି । ତେଣେ ଭୋଟ୍ ସରିବା ପରେ ଇଭିଏମଡ଼ିକୁ କଡ଼ା ସୁରକ୍ଷା ମଧ୍ୟରେ ଷ୍ଟ୍ରଙ୍ଗ ରୁମରେ ରଖାଯାଇଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାନ ଅଧିକାରୀ
ସୁଶୀଲ କୁମାର ଲୋହାନୀ। ଆସନ୍ତା ୧୦ ତାରିଖରେ ଭୋଟ୍ ଗଣତି ସହ ଫଳ ପ୍ରକାଶ ପାଇବ। ବାଲେଶ୍ୱର ଓ ତିର୍ତ୍ତୋଲବାସୀ କାହାକୁ ଗ୍ରହଣ କରିଛନ୍ତି ସେହିଦିନ ସ୍ପଷ୍ଟ ହେବ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।