ବ୍ରହ୍ମପୁର: ଜାତୀୟ ଖାଦ୍ୟ ଯୋଜନାରେ ସାମିଲ ଲାଗି ଆବେଦନ କରିଥିବା ୯ ସରକାରୀ କର୍ମଚାରୀ ନିଲମ୍ବିତ

ବ୍ରହ୍ମପୁର: ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ୍ ପାଇଁ ରେଶନ କାର୍ଡ ପାଇଁ ଆବେଦନ କରିଥିବା ଗଞ୍ଜାମ ଜିଲ୍ଲାର ୯ ଜଣ ସରକାରୀ କର୍ମଚାରୀଙ୍କୁ ଜିଲ୍ଲାପାଳ ନିଲମ୍ୱନ କରିଛନ୍ତି।  ପ୍ରଶାସନର ଏହି ପଦକ୍ଷପ ପରେ ଏବେ ଜିଲ୍ଲାରେ ଖୋଲା ଯାଇଥିବା ବିଭିନ୍ନ ବୁଥରେ ସରକାରୀ କର୍ମଚାରୀ ତଥା ଅଯୋଗ୍ୟ ବ୍ୟକ୍ତିମାନେ ନିଜ ନାମ ପ୍ରତ୍ୟାହାର କରି ନେବା ପାଇଁ ଭିଡ଼ ଜମାଇଛନ୍ତି । ସେପଟେ ଜିଲ୍ଲାର ୨୫ ଲକ୍ଷ ଖାଉଟିଙ୍କୁ ଯୋଜନାରେ ସାମିଲ୍ କରିବା ପାଇଁ ପ୍ରକ୍ରିୟା […]

saina

Rakesh Mallick
  • Published: Thursday, 20 August 2015
  • , Updated: 20 August 2015, 05:28 PM IST

ବ୍ରହ୍ମପୁର: ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ୍ ପାଇଁ ରେଶନ କାର୍ଡ ପାଇଁ ଆବେଦନ କରିଥିବା ଗଞ୍ଜାମ ଜିଲ୍ଲାର ୯ ଜଣ ସରକାରୀ କର୍ମଚାରୀଙ୍କୁ ଜିଲ୍ଲାପାଳ ନିଲମ୍ୱନ କରିଛନ୍ତି।  ପ୍ରଶାସନର ଏହି ପଦକ୍ଷପ ପରେ ଏବେ ଜିଲ୍ଲାରେ ଖୋଲା ଯାଇଥିବା ବିଭିନ୍ନ ବୁଥରେ ସରକାରୀ କର୍ମଚାରୀ ତଥା ଅଯୋଗ୍ୟ ବ୍ୟକ୍ତିମାନେ ନିଜ ନାମ ପ୍ରତ୍ୟାହାର କରି ନେବା ପାଇଁ ଭିଡ଼ ଜମାଇଛନ୍ତି । ସେପଟେ ଜିଲ୍ଲାର ୨୫ ଲକ୍ଷ ଖାଉଟିଙ୍କୁ ଯୋଜନାରେ ସାମିଲ୍ କରିବା ପାଇଁ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଡେକ୍ସ ରିଭ୍ୟୁ କରାଯାଇ ୩୧ ତାରିଖରେ ଚୂଡ଼ାନ୍ତ ଲିଷ୍ଟ ପ୍ରକାଶ କରିବାର ଯୋଜନା ରଖାଯାଇଛି।

୩୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଗଞ୍ଜ।ମ ଜିଲ୍ଲାରେ ସରକାରଙ୍କ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଏବେ ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଯୋଜନାରେ ସାମିଲ୍ ହେବା ନିମନ୍ତେ ଜିଲ୍ଲାର ୯ଲକ୍ଷ ୧୧ହଜାର ୨୮ ପରିବାର ରେଶନ୍ କାର୍ଡ ପାଇଁ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ୮ଲକ୍ଷ ୬୦ହଜାର ୫୧୬ ପରିବାରକୁ ଡ଼ିଜିଟାଇଜ୍ କରାଯାଇଛି । ଯାହାକି ପ୍ରାୟ ୨୯ଲକ୍ଷ ୬୨ହଜାର ବ୍ୟକ୍ତି ବିଶେଷ । ତେବେ ସରକାରଙ୍କ ୮ଟି ନିୟମ ପ୍ରକାରେ ଅଯୋଗ୍ୟ ବିବେଚିତ ହେଉଥିବା ଆବେଦନକାରୀଙ୍କୁ ବାଦ୍ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସେଥିମଧ୍ୟରୁ ୯ଜଣ ସରକାରୀ କର୍ମଚାରୀଙ୍କୁ ଚିହ୍ନଟ କରି ନିଲମ୍ୱନ କରାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏହାସହ ଏହି ପ୍ରକ୍ରିୟା ଜାରି ରହିଛି, ଏଣୁ ଅଯୋଗ୍ୟ ଭାବୁଥିବା ବ୍ୟକ୍ତି ବିଶେଷ ନିଜେ ଓହରିଯିବା ପାଇଁ ଜିଲ୍ଲାପାଳ କହିଛନ୍ତି । ବିଶେଷ କରି ସରକାରୀ କର୍ମଚାରୀ, ତିନି ବଖରାରୁ ଅଧିକ ଥିବା ଛାତ ଘର, ଗାଁରେ ମାସିକ ୧୦ ହଜାର, ସହରରେ ମାସିକ ୧୫ ହଜାର ଟଙ୍କା ରୋଜଗାର କରିଥିବା ବ୍ୟକ୍ତି ତଥା ତାଙ୍କ ପରିବାରବର୍ଗ ଆବେଦନ କରି ପାରିବେ ନାହିଁ। ଏଣୁ ଆବେଦନ କରିଥିବା ସରକାରୀ କର୍ମଚାରୀ ସିତାରାମ ସାହୁ, କନ୍ଧ ଗୌଡ଼, ଦେବରାଜ ପଣ୍ଡା, ଦୁର୍ଗାମାଧବ କର, ଟିକିନା କୁମାରୀ ସାହୁ, ସାଗର କୁମାର ଜେନା, କୈଳାଶ ଚନ୍ଦ୍ର ସାମନ୍ତରାୟ, ଶୁଭକାନ୍ତ ସାହୁ ଓ ଶ୍ୱେତାମ୍ବର ସାହୁଙ୍କୁ ଜିଲ୍ଲାପାଳ ପ୍ରେମ ଚନ୍ଦ୍ର ଚୌଧୁରୀ ନିଲମ୍ୱନ କରିଛନ୍ତି ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ନୀଳକଣ୍ଠ ମହାନ୍ତି କହିଛନ୍ତି ।

ଜିଲ୍ଲାରେ ପୂର୍ବରୁ ୨ଲକ୍ଷ ୬୬ ହଜାର ୪୧୬ ବିପିଏଲ କାର୍ଡଧାରୀ, ୨ଲକ୍ଷ ୭୩ହଜାର ୩୦୧ ଏପିଏଲ କାର୍ଡ ଧାରୀ ଓ ୭୯ହଜାର ୩୧୪ ଅନ୍ତଦ୍ୱୟ ଅନ୍ନପୂର୍ଣ୍ଣା ଯୋଜନାରେ ସାମିଲ ହୋଇଛନ୍ତି । ଏବେ ମାତ୍ର ୩୫ ଲକ୍ଷ ଜନସଂଖ୍ୟା ମଧ୍ୟରୁ ୨୫ ଲକ୍ଷଙ୍କୁ ଯୋଜନାରେ ସାମିଲ୍ କରିବା ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି। ସେହିପରି ବ୍ରହ୍ମପୁର ସହରରେ ୬୧ହଜାର ୮ ପରିବାର ଆବେଦନ କରିଥିବା ବେଳେ ୫୬ହଜାର ୫୮୮ ପରିବାରଙ୍କୁ ଡ଼ିଜିଟାଇଜ୍ କରାଯାଇଛି। ସହର ପାଇଁ ୧ଲକ୍ଷ ୮୮ହଜାର ୬୭୯ ବ୍ୟକ୍ତି ବିଶେଷଙ୍କୁ ଯୋଜନାରେ ସାମିଲ୍ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରହିଛି। ୨୦ରୁ ୨୨ ଫିଲ୍ଡ ଇନକ୍ୱାରୀ ଓ ୨୨ରୁ ୨୫ ଡେକ୍ସ ରିଭ୍ୟୁ ପରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ । ସେପଟେ ଜିଲ୍ଲାପାଳ ନେଇଥିବା ପଦକ୍ଷପକୁ ସାଧାରଣରେ ସ୍ୱାଗତ କରାଯାଇଛି । ଏହାଦ୍ୱାରା ପ୍ରକୃତ ହିତାଧିକାରୀ ଏହି ଯୋଜନାରେ ସାମିଲ ହୋଇପାରିବେ ବୋଲି ଆଲୋଚନା ହେଛି । କିଛି ସରକାରୀ କର୍ମଚାରୀ ଓ ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ଚିହ୍ନଟ କରାଯାଇଛି । ସେମାନେ ତୁରନ୍ତ ନାମ ପ୍ରତ୍ୟାହାର ନ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ରହ୍ମପୁର ମହାନଗର ନିଗମର କମିଶନର ମନୋଜ ମହାନ୍ତି କହିଛନ୍ତି ।

Related story