ବୁଦ୍ଧିଆଙ୍କ ଅଭିଯୋଗ ସ୍ପୋର୍ଟସ୍ ହଷ୍ଟେଲ୍‌ରେ ମିଳୁନି ଆବଶ୍ୟକ ତାଲିମ୍

ଓଡ଼ିଆ ନିର୍ଦ୍ଦେଶକ ସୌମେନ୍ଦ୍ର ପାଢ଼ୀଙ୍କ ହିନ୍ଦୀ ଫିଲ୍ମ ‘ଦୂରନ୍ତ’ ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନୀତ ହେବା ପରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ବୁଦ୍ଧିଆ ସିଂ। ତାଙ୍କ ଉପରେ ପର୍ଯ୍ୟବସିତ ଫିଲ୍ମଟି ସିନା ଜାତୀୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛି ହେଲେ ସେ ଯେଉଁଥିପାଇଁ ନାଁ କମାଇଥିଲେ ସେଥିରେ ଆଗକୁ ବଢ଼ିପାରୁ ନାହାନ୍ତି। ଅର୍ଥାତ ଆଉ ମାରାଥନ୍ ଦୌଡ଼ି ପାରୁ ନାହାନ୍ତି ବୁଦ୍ଧିଆ। ଏଥିପାଇଁ ସେ ଦାୟୀ କରିଛନ୍ତି ଭୁବନେଶ୍ୱର ସ୍ପୋର୍ଟସ […]

budhia

Rakesh Mallick
  • Published: Wednesday, 30 March 2016
  • , Updated: 30 March 2016, 05:44 PM IST

ଓଡ଼ିଆ ନିର୍ଦ୍ଦେଶକ ସୌମେନ୍ଦ୍ର ପାଢ଼ୀଙ୍କ ହିନ୍ଦୀ ଫିଲ୍ମ ‘ଦୂରନ୍ତ’ ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନୀତ ହେବା ପରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ବୁଦ୍ଧିଆ ସିଂ। ତାଙ୍କ ଉପରେ ପର୍ଯ୍ୟବସିତ ଫିଲ୍ମଟି ସିନା ଜାତୀୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛି ହେଲେ ସେ ଯେଉଁଥିପାଇଁ ନାଁ କମାଇଥିଲେ ସେଥିରେ ଆଗକୁ ବଢ଼ିପାରୁ ନାହାନ୍ତି। ଅର୍ଥାତ ଆଉ ମାରାଥନ୍ ଦୌଡ଼ି ପାରୁ ନାହାନ୍ତି ବୁଦ୍ଧିଆ। ଏଥିପାଇଁ ସେ ଦାୟୀ କରିଛନ୍ତି ଭୁବନେଶ୍ୱର ସ୍ପୋର୍ଟସ ହଷ୍ଟେଲ୍ କର୍ତ୍ତୃପକ୍ଷଙ୍କୁ। ତାଙ୍କୁ ଆବଶ୍ୟକ କୋଚିଂ ଦିଆଯାଉ ନ ଥିବା ସେ ଅଭିଯୋଗ କରିଛନ୍ତି।

୯ ବର୍ଷ ଧରି ସେଠାରେ କୋଚିଂ ନେଉଥିବା ବୁଦ୍ଧିଆ ଅଭିଯୋଗ କରିଛନ୍ତି,“ ବାହାରକୁ ଯାଇ ଜାତୀୟ ସ୍ତରର ପ୍ରତିଯୋଗିତାରେ ଭାଗ ନେବାକୁ ମୋର ଇଚ୍ଛା ଅଛି। କିନ୍ତୁ ମୋତେ ସେହି ସବୁ ପ୍ରତିଯୋଗିତାରେ ଭାଗ ନେବା ଭଳି ଟ୍ରେନିଂ ମିଳୁ ନାହିଁ।”

ବୁଦ୍ଧିଆଙ୍କ ମାଆ ସୁକାନ୍ତି କହିଛନ୍ତି,“ସେ ମୋତେ କେତେ ଥର କହିଲାଣି ହଷ୍ଟେଲ୍ ଛାଡ଼ି ଦେବାକୁ। ତାକୁ ଆଉ ସେଠି ଭଲ ଲାଗୁନି। ତାକୁ ଭଲ ଟ୍ରେନିଂ ଦିଆଯାଉନି। ମୁଁ ଭାବୁଛି ଭଲ କୋଚିଂ ନ ଦେଲେ ତାକୁ ଆଉ ହଷ୍ଟେଲ୍ ଛାଡ଼ିବି ନାହିଁ। ଯଦି ତା’ର କେହି ଦେଖାରେଖା କରନ୍ତା, ତା’ପାଖରେ ଛାଡ଼ି ଦିଅନ୍ତି।”

ତେବେ ବୁଦ୍ଧିଆଙ୍କ ଅଭିଯୋଗକୁ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ସୁଦାମ ମାରାଣ୍ଡି ଖଣ୍ଡନ କରିଛନ୍ତି। ସେ କହିଛନ୍ତି ସ୍ପୋର୍ଟସ ହଷ୍ଟେଲ୍‌ରେ ବୁଦ୍ଧିଆଙ୍କୁ ଅନ୍ୟମାନଙ୍କ ଭଳି ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। କଳିଙ୍ଗ ଷ୍ଟାଡିୟମ କ୍ୟାମ୍ପସରେ ସେ ରହୁଛନ୍ତି, ଯେଉଁଠି କି ସବୁଠୁ ବଢ଼ିଆ ସୁବିଧା ସୁଯୋଗ ଉପଲବ୍ଧ କରାଯାଉଛି।

ସେହିଭଳି କ୍ରୀଡ଼ା ଓ ଯୁବ ସେବା ବିଭାଗ ନିର୍ଦ୍ଦେଶକ ଅନନ୍ତ କିଶୋର ଜେନା କହିଛନ୍ତି,“ଲମ୍ବା ବାଟ ଦୌଡ଼ିବା ଯୋଗୁଁ ତା’ର ନାଁ ହୋଇଥିଲା। କିନ୍ତୁ ମାରାଥନ ଦୌଡ଼ିବା ପାଇଁ ତା’ର ବୟସ ହୋଇନାହିଁ। ପ୍ରାପ୍ତ ବୟସ୍କ ହେଲେ ଯାଇ ତାକୁ ସେଥିପାଇଁ ପ୍ରଶିକ୍ଷଣ ଦିଆଯିବ। ଏବେ ଲମ୍ବା ବାଟ ଦୌଡ଼ିଲେ ଯଦି ହାର୍ଟ ବା ଶରୀରର ଅନ୍ୟାନ୍ୟ ଅଂଶରେ କିଛି ସମସ୍ୟା ଦେଖାଯିବ, ତା’ହେଲେ କିଏ ଦାୟୀ ରହିବ?”

୨୦୦୭ରେ ପୁରୀରୁ ଭୁବନେଶ୍ୱର ଦୌଡ଼ି ବୁଦ୍ଧିଆ ସିଂ ଲିମ୍‌କା ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଥିଲେ। ପରେ ତାଙ୍କ କୋଚ୍ ସ୍ୱର୍ଗତ ବିରଞ୍ଚି ଦାସ ବିବାଦ ଘେରକୁ ଆସିବାରୁ ବୁଦ୍ଧିଆଙ୍କୁ ସ୍ପୋର୍ଟସ୍ ହଷ୍ଟେଲ୍‌କୁ ଅଣାଯାଇଥିଲା।

Related story