ବାଗଚୀଙ୍କ କ୍ୟାନସର ହସ୍ପିଟାଲ ଜମିକୁ ଷ୍ଟାମ୍ପ ଡ୍ୟୁଟି ଛାଡ଼ ସମେତ ୧୬ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଗଚୀ ଓ ଶଙ୍କର ଫାଉଣ୍ଡେସନ ଦ୍ୱାରା ରାଜଧାନୀରେ ୨ଟି କ୍ୟାନସର କେୟାର ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟର ପାଇଁ ସରକାର ଦେଇଥିବା ୪୦ଏକର ଜମିର ରେଜିଷ୍ଟ୍ରେସନ ଓ ଷ୍ଟାମ୍ପ ଡ୍ୟୁଟି ବାବଦରେ ୨.୯୨କୋଟି ଟଙ୍କାକୁ ଆଜି ରାଜ୍ୟ କ୍ୟାବିନେଟ ସମ୍ପୂର୍ଣ୍ଣ ଛାଡ଼ କରାଯିବ। ଏହାସହିତ ଉକ୍ତ ଜମି ପାଇଁ ସମ୍ପୃକ୍ତ ସଂସ୍ଥା ବାର୍ଷିକ ଭଡ଼ା ଓ ସେସ୍ ବାବଦରେ ଏକର ପିଛା ୧ଟଙ୍କା ଦେବ। ରାଜ୍ୟ କ୍ୟାବିନେଟ ଆଜି ଏହି ପ୍ରସ୍ତାବ ସମେତ ମୋଟ […]

hospital

Ordigital Desk
  • Published: Monday, 09 August 2021
  • , Updated: 09 August 2021, 07:36 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଗଚୀ ଓ ଶଙ୍କର ଫାଉଣ୍ଡେସନ ଦ୍ୱାରା ରାଜଧାନୀରେ ୨ଟି କ୍ୟାନସର କେୟାର ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟର ପାଇଁ ସରକାର ଦେଇଥିବା ୪୦ଏକର ଜମିର ରେଜିଷ୍ଟ୍ରେସନ ଓ ଷ୍ଟାମ୍ପ ଡ୍ୟୁଟି ବାବଦରେ ୨.୯୨କୋଟି ଟଙ୍କାକୁ ଆଜି ରାଜ୍ୟ କ୍ୟାବିନେଟ ସମ୍ପୂର୍ଣ୍ଣ ଛାଡ଼ କରାଯିବ। ଏହାସହିତ ଉକ୍ତ ଜମି ପାଇଁ ସମ୍ପୃକ୍ତ ସଂସ୍ଥା ବାର୍ଷିକ ଭଡ଼ା ଓ ସେସ୍ ବାବଦରେ ଏକର ପିଛା ୧ଟଙ୍କା ଦେବ। ରାଜ୍ୟ କ୍ୟାବିନେଟ ଆଜି ଏହି ପ୍ରସ୍ତାବ ସମେତ ମୋଟ ୧୬ଟି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୋଜିତ କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର କହିଛନ୍ତି ଯେ, ବାଗଚୀ-ଶଙ୍କର କ୍ୟାନସର ହସ୍ପିଟାଲ ଓ ବାଗଚୀ-କରୁଣାଶ୍ରୟ ପିଲିଭିଟ୍ କେୟାର ସେଣ୍ଟର ପାଇଁ ସରକାର ମାଗଣାରେ ଦେଇଥିବା ୪୦ ଏକର ଜମିର ରେଜିଷ୍ଟ୍ରେସନ ଓ ଷ୍ଟାମ୍ପ ଡ୍ୟୁଟିକୁ ରାଜ୍ୟ କ୍ୟାବିନେଟ ସମ୍ପୂର୍ଣ୍ଣ ଛାଡ଼ କରିଛନ୍ତି। ଏବାବଦରେ ୨.୯୨କୋଟି ଟଙ୍କା ଛାଡ଼ କରାଯାଇଛି। ଏହି ସଂସ୍ଥା ରାଜ୍ୟବାସୀଙ୍କୁ ମାଗଣାରେ କ୍ୟାନସର ଚିକିତ୍ସା ସୁବିଧା ଯୋଗାଇବାର ଥିବାରୁ ସଂସ୍ଥାକୁ ବାର୍ଷିକ ଜମି ଭଡ଼ା ଓ ସେସ୍ ବାବଦରେ ଏକର ପିଛା ମାତ୍ର ୧ଟଙ୍କା ଦେବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁର କରିଛନ୍ତି।

ସେହିପରି ‘ଅଭଡ଼ା’ ଯୋଜନାରେ ପୁରୀଠାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଟାଟା ପ୍ରୋଜେକ୍ଟ ଲିଃ ୩୩୧.୨୮କୋଟି ଟଙ୍କାର ସର୍ବନିମ୍ନ ବିଡର ଭାବେ ଏହି ପ୍ରକଳ୍ପ କାର୍ଯ୍ୟ କରିବ ଓ ଏହି କାର୍ଯ୍ୟ ୧୮ମାସ ମଧ୍ୟରେ ଶେଷ ହେବ। ଏହି ଟେଣ୍ଡର ଚୂଡ଼ାନ୍ତ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି।

ସେହିପରି ସମ୍ବଲପୁରସ୍ଥିତ ଆଇଆଇଏମକୁ ତା’ର ସ୍ଥାୟୀ କ୍ୟାମ୍ପସ ନିର୍ମାଣ ନିମନ୍ତେ ଆଉ ୧୮.୨୩ଏକର ଜମି ମାଗଣା ପ୍ରମିୟମରେ ଦେବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏହାର ପ୍ରିିମିୟମ ବାବଦରେ ୪.୨୧କୋଟି ଟଙ୍କା ଛାଡ଼ କରାଯାଇଛି । ପୂର୍ବରୁ ଏହି ଆଇଆଇଏମକୁ ୧୮୧ଏକର ଜମି ସରକାର ଦେଇଥିଲେ। ଏବେ ମୋଟ ୨୦୦ଏକର ଜମିରେ ଆଇଆଇଏମ୍ ନିଜର ସ୍ଥାୟୀ କ୍ୟାମ୍ପସ କରିବ। ଏହାସହିତ ଆଇଆଇଏମ୍ ଏହି ଜମି ପାଇଁ ବାର୍ଷିକ ଭଡ଼ା ଓ ସେସ୍ ବାବଦରେ ୧୦୦ଟଙ୍କା ଓ ୭୫ଟଙ୍କା ଦେବ।

ସେହିପରି ଅପର ଇନ୍ଦ୍ରାବତୀ ଦକ୍ଷିଣ କେନାଲର ୪୧କିମି ଲମ୍ବର ପୁନରୁଦ୍ଧାର ଓ ପୁନଃନିର୍ମାଣ କାର୍ଯ୍ୟର ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ ମଞ୍ଜୁର କରିଛନ୍ତି। ପ୍ରାୟ ୧୪୮.୧୨କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଏହି କାର୍ଯ୍ୟ ଦ୍ୱାରା ୪୨୪୫୫ ହେକ୍ଟର ଚାଷ ଜମିକୁ ନିଶ୍ଚିତ ଜଳସେଚନ ସୁବିଧା ମିଳିବ। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଇନ୍ଦ୍ରାବତୀ ଦକ୍ଷିଣ ପାଶ୍ୱର୍ କେନାଲ ମାଧ୍ୟମରେ କଳାହାଣ୍ଡି ଜିଲ୍ଲାର ୧୫୨୬୦ହେକ୍ଟର ଜମିକୁ ଜଳସେଚନ ସୁବିଧା ମଧ୍ୟ ମିଳିପାରିବ।

Related story