ବଦଳିବ ମନ୍ତ୍ରିମଣ୍ଡଳ: ଦିବ୍ୟଶଙ୍କରଙ୍କୁ ଯୁବ ଓ ପଦ୍ମିନୀଙ୍କୁ ମହିଳା ଦାୟିତ୍ୱ !

ଭୁବନେଶ୍ୱର(ପ୍ରକାଶ ସେଠୀ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ପଂଚମ ପାଳି ସରକାରରେ ପ୍ରଥମ ମନ୍ତ୍ରିମଣ୍ଡଳ ଅଦଳବଦଳ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। କରୋନା ମହାମାରୀ ମୁକାବିଲାର ବିଫଳତାକୁ ଏଡ଼ାଇବା, ଦଳୀୟ ସଂଗଠନକୁ କ୍ରିୟାଶୀଳ କରିବା, ମନ୍ତ୍ରିମଣ୍ଡଳକୁ ଦକ୍ଷ ଓ ପ୍ରଦର୍ଶନଭିତ୍ତିକ କରିବା ନିମନ୍ତେ ବିଜେଡି ସୁପ୍ରିମୋ ଏବେ ଉଭୟ ସଂଗଠନ ଓ ମନ୍ତ୍ରିମଣ୍ଡଳର ନବକଳେବର ନିମନ୍ତେ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ଏହାସହିତ ୨୩ବର୍ଷର ଇତିହାସରେ ପ୍ରଥମଥର ପାଇଁ ପଦାଧିକାରୀଙ୍କ ଜୁମ୍ବୋ ଟିମ୍ ଗଢ଼ିଥିବା ବିଜେଡି […]

pamini

Manoranjan Sial
  • Published: Tuesday, 21 July 2020
  • , Updated: 22 July 2020, 10:58 AM IST

ଭୁବନେଶ୍ୱର(ପ୍ରକାଶ ସେଠୀ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ପଂଚମ ପାଳି ସରକାରରେ ପ୍ରଥମ ମନ୍ତ୍ରିମଣ୍ଡଳ ଅଦଳବଦଳ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। କରୋନା ମହାମାରୀ ମୁକାବିଲାର ବିଫଳତାକୁ ଏଡ଼ାଇବା, ଦଳୀୟ ସଂଗଠନକୁ କ୍ରିୟାଶୀଳ କରିବା, ମନ୍ତ୍ରିମଣ୍ଡଳକୁ ଦକ୍ଷ ଓ ପ୍ରଦର୍ଶନଭିତ୍ତିକ କରିବା ନିମନ୍ତେ ବିଜେଡି ସୁପ୍ରିମୋ ଏବେ ଉଭୟ ସଂଗଠନ ଓ ମନ୍ତ୍ରିମଣ୍ଡଳର ନବକଳେବର ନିମନ୍ତେ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ଏହାସହିତ ୨୩ବର୍ଷର ଇତିହାସରେ ପ୍ରଥମଥର ପାଇଁ ପଦାଧିକାରୀଙ୍କ ଜୁମ୍ବୋ ଟିମ୍ ଗଢ଼ିଥିବା ବିଜେଡି ଏବେ ଦଳର ମହିଳା ଓ ଯୁବ ସଂଗଠନର ନେତୃତ୍ୱ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାକୁ ଦେବାକୁ ସ୍ଥିର କରିଥିବା ସୂଚନା ମିଳିଛି।

ବିଜେଡିର ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ଶିଳ୍ପ,ଶକ୍ତି ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ବିଜେଡି ଯୁବ ସଭାପତି କରିବାକୁ ଆପାତତଃ ନିଷ୍ପତ୍ତି ନିଆ ସରିଛିି। ପ୍ରଥମଥର ମନ୍ତ୍ରୀ ହୋଇ ଏକକାଳୀନ ୪ ଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ପାଇଥିବା କ୍ୟାପଟେନଙ୍କ ଉପରେ ମାତ୍ରାଧିକ ଚାପ ଓ ହସ୍ତକ୍ଷେପ ଯୋଗୁ ତାଙ୍କର ପ୍ରଦର୍ଶନ ଅତ୍ୟନ୍ତ ନିରାଶାଜନକ ରହିଛି। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ର ବିଧାୟକ କ୍ୟାପଟେନ୍ ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ କାଢ଼ି ଯୁବ ସଭାପତି ଭାବେ ଅବସ୍ଥାପିତ କରି ଦଳ ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ନିଜର ସଂଗଠନକୁ ଅଧିକ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି। ଆଗକୁ ପୌର ଓ ପଂଚାୟତ ନିର୍ବାଚନ ଥିବାରୁ ନିଜର ସାଂଗଠନିକ ସ୍ଥିତି ଦୁର୍ବଳ ଥିବା ପଶ୍ଚିମ ଓ ଉତ୍ତର ଓଡ଼ିଶା ଉପରେ ଅଧିକ ଫୋକସ କରିବାକୁ ବିଜେଡି ଏବେଠୁ ବାଧ୍ୟ ହୋଇଛି। ତା’ଛଡ଼ା ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶୀଷ ଆଚାର୍ଯ୍ୟ ପଶ୍ଚିମ ଓଡ଼ିଶାର ହୋଇଥିବାରୁ ତାଙ୍କୁ କାଉଣ୍ଟର କରିବାକୁ ବିଜେଡି ପାଖରେ କ୍ୟାପଟେନ୍ ମିଶ୍ର ସବୁଠୁ ଭଲ ବିକଳ୍ପ ମଧ୍ୟ। ସେ ବିଜେଡିର ମୁଖପାତ୍ର ଭାବେ ପୂର୍ବରୁ ଦାୟିତ୍ୱ ତୁଲାଇବା ସହ ଉପକୂଳ ଓଡ଼ିଶାର ନେତାମାନଙ୍କ ସହ ତାଙ୍କର ଭଲ ସମ୍ପର୍କ ମଧ୍ୟ ରହିଛି। ବିଜେଡି ଗଠନ ପରଠୁ ବିଜେଡିର ଯୁବ ସଭାପତି ଭାବେ ଯଥାକ୍ରମେ ଦେବୀ ମିଶ୍ର, ପ୍ରତାପ ଶତପଥୀ, ଅତନୁ ସବ୍ୟସାଚୀ ନାୟକ, ବଳଭଦ୍ର ମାଝୀ, ରଥ ଦାସ, ସଞ୍ଜୟ ଦାସବର୍ମା ଓ ଅମ୍ରେଶ ପତ୍ରୀ କାର୍ଯ୍ୟ କରୁଥିବାବେଳେ କ୍ୟାପଟେନ ମିଶ୍ରଙ୍କୁ ଏହି ଦାୟିତ୍ୱ ମିଳିଲେ ଦ୍ୱିତୀୟଥର ପାଇଁ ପଶ୍ଚିମ ଓଡ଼ିଶାର ନେତା ବିଜେଡିର ଯୁବ ସଂଗଠନ ସମ୍ଭାଳିବେ।

ସେହିପରି ହସ୍ତତନ୍ତ ଓ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ପଦ୍ମିନୀ ଦିଆନଙ୍କୁ ବିଜେଡି ନିଜର ମହିଳା ସଂଗଠନର ନେତୃତ୍ୱ ଦେବାର ସମ୍ଭାବନା ରହିଛି। ଶ୍ରୀମତୀ ଦିଆନ ବି ପ୍ରଥମଥର ବିଧାୟିକା ହୋଇ ‘ଆଦିବାସୀ ମହିଳା’ ଚେହେରା ଭାବେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ତାଙ୍କର ପ୍ରଦର୍ଶନ ସମ୍ପୂର୍ଣ୍ଣ ନିରାଶାଜନକ ଥିବାବେଳେ ତାଙ୍କ ପ୍ରତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ(ବବି)ଙ୍କ ଆଶୀର୍ବାଦ ରହିଛି। ତେଣୁ ଶ୍ରୀ ଦାସ ତାଙ୍କୁ ଦଳର ମହିଳା ସଂଗଠନର ନେତୃତ୍ୱ ଦେବାକୁ ଯୋଜନା କରୁଛନ୍ତି। ଦଳ ଗଠନ ପରଠୁ ମହିଳା ବିଜେଡିର ନେତୃତ୍ୱ କମଳା ଦାସ, ପ୍ରମିଳା ମଲ୍ଲିକ ଓ ମୀନତି ବେହେରାଙ୍କ ହାତରେ ରହିଥିଲା। ପଦ୍ମିନୀଙ୍କୁ ମିଳିଲେ ଦଳର ମହିଳା ୱିଙ୍ଗ ନେତୃତ୍ୱ ପ୍ରଥମଥର ପାଇଁ କୌଣସି ଆଦିବାସୀ ନେତ୍ରୀଙ୍କୁ ମିଳିବ। ଦଳ ଏବେ ମହିଳା ସଶକ୍ତିକରଣ ୱିଙ୍ଗରେ ପ୍ରମିଳା ମଲ୍ଲିକଙ୍କୁ ଉପସଭାପତି,ସୁମିତ୍ରା ଜେନାଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ଓ ଶ୍ରୀମୟୀ ମିଶ୍ର, ଲୋପାମୁଦ୍ରା ବକ୍ସିପାତ୍ର, ରାଜଶ୍ରୀ ମଲ୍ଲିକ ଓ ଗୀତା ବସ୍ତିଆଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ୱ ଦେଇ ସେମାନଙ୍କ ମାଧ୍ୟମରେ ମହିଳା ସଂଗଠନକୁ ସୁଦୃଢ଼ କରିବାକୁ ରଣନୀତି ପ୍ରସ୍ତୁତ କରିଛି। ଅବଶ୍ୟ ଦଳର ସାଧାରଣ ସମ୍ପାଦକ ଭାବେ ଯୁବ ବ୍ୟାପାରରେ ପ୍ରଣବ ବଳବନ୍ତରାୟ ଓ ଛାତ୍ର ବ୍ୟାପାରରେ ବ୍ୟୋମକେଶ ରାୟଙ୍କୁ ନିଯୁକ୍ତି ଦେଇ ସେମାନଙ୍କ ମାଧ୍ୟମରେ ଦଳର ସମସ୍ତ ଛାମୁଆ ସଂଗଠନକୁ ନିଜ ପାଖରେ ରଖିବାକୁ ବବି ସକ୍ଷମ ହେବେ। ତା’ଛଡ଼ା ଛାତ୍ର ବିଜେଡି ସଭାପତି ପଦ ଉପକୂଳିଆ ନେତାଙ୍କୁ ଦେଇ ଆଂଚଳିକ ସମନ୍ୱୟ ରକ୍ଷା କରିବାକୁ ମଧ୍ୟ ଦଳ ରଣନୀତି ପ୍ରସ୍ତୁତ କରିଛି।

ଅନ୍ୟପକ୍ଷରେ ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ମନ୍ତ୍ରିମଣ୍ଡଳ ଅଦଳବଦଳ ହୋଇପାରେ ବୋଲି ବିଜେଡିରେ ଜୋରସୋର ଚର୍ଚ୍ଚା ଲାଗି ରହିଥିବାବେଳେ ଆଶାୟୀଙ୍କ ସଂଖ୍ୟା ମଧ୍ୟ ଲମ୍ବିବାରେ ଲାଗିଛି। କରୋନା ମହାମାରୀ ମୁକାବିଲା ସମୟରେ ମନ୍ତ୍ରିମଣ୍ଡଳ ଅଦଳବଦଳର ଆବଶ୍ୟକତା ନଥିଲେ ମଧ୍ୟ ବିଜେଡି ମହଲରେ ଏହି ଚର୍ଚ୍ଚା ଥମିବାର ନାଁ ନେଉନି। ମନ୍ତ୍ରିମଣ୍ଡଳରୁ ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଦିବ୍ୟଶଙ୍କର ମିଶ୍ର, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ରଘୁନନ୍ଦନ ଦାସ ଓ ତୁଷାର କାନ୍ତି ବେହେରା ବାଦ୍ ପଡ଼ିବାର ଆଶଙ୍କା ଥିବାବେଳେ ପ୍ରଦୀପ ଅମାତ୍ , ଅତନୁ ସବ୍ୟସାଚୀ ନାୟକ, ପ୍ରଶାନ୍ତ ମୁଦୁଲି, ପ୍ରତାପ କେଶରୀ ଦେବ, ଭୂପିନ୍ଦର ସିଂ, ମନୋହର ରନ୍ଧାରୀ, ଶାରଦା ନାୟକ ଓ ପ୍ରମିଳା ମଲ୍ଲିକଙ୍କ ଭଳି ନେତାମାନଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବାର ଯଥେଷ୍ଟ ସମ୍ଭାବନା ରହିଥିବା ଜଣାପଡ଼ିଛି।

Related story