ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆମେ ନବୀନ ପଟ୍ଟନାୟକଙ୍କୁ ଭୋଟ୍ ଦେଇଛୁ। ସେ ଆମ ମୁଖ୍ୟମନ୍ତ୍ରୀ। ଆମକୁ ନ୍ୟାୟ ଦିଅ…। ଏପରି ଆକୁଳ ନିବେଦନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତୁ ଯମୁନା ସ୍ୱାଇଁ। ଯମୁନା ହେଉଛନ୍ତି ମୃତ କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କ ମାଆ।
ଶନିବାର ଚାନ୍ଦବାଲି ପୁଲିସ୍ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ ଯମୁନା। ସେ କହିଥିଲ, ୱେବ୍ ପୋର୍ଟାଲ୍ ମାଲାକାଣୀ ଶର୍ମିଷ୍ଠା ରାଉତଙ୍କୁ ଚାନ୍ଦବାଲି ଥାନା ପୁଲିସ୍ ଲୁଚାଇ ରଖିଛି। ଗତ ୧୨ ତାରିଖରେ ମାନସଙ୍କ ମୃତଦେହ ମିଳିଥିବା ବେଳେ ଆଜିପର୍ଯ୍ୟନ୍ତ କାହିଁକି ଧରା ପଡ଼ିନାହାନ୍ତି ଶର୍ମିଷ୍ଠା? ତେଣୁ ପୁଲିସ୍ଠାରୁ ଆଶା ଛାଡି ଦେଇଛି ବୋଲି ମାନସଙ୍କ ମାଆ ଯମୁନା କହିଛନ୍ତି।
ଅନ୍ୟପକ୍ଷରେ ଶର୍ମିଷ୍ଠାଙ୍କ ସହ ଭୁବନେଶ୍ୱର ଅଞ୍ଚଳର ଅରୁଣ ଭୋଇଙ୍କ ସ୍ତ୍ରୀ ଫେରାର ଥିବା କୁହାଯାଉଛି। ଗତକାଲି ଅରୁଣ ସାଙ୍ଘାତିକ ତଥ୍ୟ ଦେଇଥିଲେ। ସେ କହିଥିଲେ, ଫେବୃୟାରୀ ୧୫ ଓ ୧୬ ତାରିଖରେ ଶର୍ମିଷ୍ଠା ଓ ତାଙ୍କ ପତ୍ନୀଙ୍କୁ ଚାନ୍ଦବାଲି ପୁଲିସ୍ ଥାନାକୁ ଡକାଇ ଜେରା କରିଥିଲା। କାରଣ ମାନସଙ୍କ ପରିବାର ପୂର୍ବରୁ ଚାନ୍ଦବାଲି ଥାନାରେ ଏତଲା ଦେଇଥିଲେ। ସେହି ଏତଲା ଆଧାରରେ ପୁଲିସ ମାନସଙ୍କ ମୃତ୍ୟୁର ସୁରାଗ କାଢ଼ିବା ପାଇଁ ଶର୍ମିଷ୍ଠାଙ୍କୁ ପୂର୍ବରୁ ଜେରା କରିଥିବା ଅରୁଣ କହିଥିଲେ।
ଅଧିକ ପଢ଼ନ୍ତୁ: ମାନସ ହତ୍ୟା ପଛରେ ମେମୋରୀ ଚିପ୍ ଓ ୱେବ୍ ପୋର୍ଟାଲ୍ ମାଲିକାଣୀ!
ତେବେ ଏଠି ପ୍ରଶ୍ନ ଉଠୁଛି, ଯଦି ପୁଲିସ୍ ଶର୍ମିଷ୍ଠା ଜେରା କରିଥିଲା, ତାହାହେଲେ ତାଙ୍କଠାରୁ କି ତଥ୍ୟ ପାଇଥିଲା? ଦୁଇ ଦୁଇ ଥର ଜେରାର ସାମ୍ନା କରିଥିବା ଶର୍ମିଷ୍ଠା ଗିରଫଦାରୀର ଆଭାସ ପାଇ ଖସି ଗଲେ କି? ଯଦି ହଁ, ତେବେ କାହାଠୁ ପାଇଥିଲେ ସମ୍ଭାବ୍ୟ ଗିରଫଦାରୀର ପ୍ରାକ୍ ସୂଚନା? ଏବେ ଏଭଳି ପ୍ରଶ୍ନ ଉଠିଥିବା ବେଳେ ମାମଲାରେ ସଂପୃକ୍ତ ଅଭିଯୁକ୍ତଙ୍କ ସମ୍ପର୍କରେ ଆସୁଛି ନୂଆ ନୂଆ ତଥ୍ୟ।
ଏହି ମାମଲାରେ ୬ ଅଭିଯୁକ୍ତ ରହିଛନ୍ତି। ସେମାନଙ୍କ ମଧ୍ୟରୁ ମାନସଙ୍କ ମୃତଦେହକୁ ନେଇ ପୋତିଥିବା ଗାଡ଼ି ଡ୍ରାଇଭର ସହ ୩ ଜଣଙ୍କୁ ପୂର୍ବରୁ ଗିରଫ କରିସାରିଛି ପୁଲିସ୍। କିନ୍ତୁ ଏଯାଏଁ ଶର୍ମିଷ୍ଠାଙ୍କ ସହ ଜଣେ ମହିଳା ଓ ଜଣେ ଯୁବକଙ୍କ ପତ୍ତା ପାଉନି ପୁଲିସ୍। ଶର୍ମିଷ୍ଠାଙ୍କୁ ଗିରଫ କରିବା ପାଇଁ ଭଦ୍ରକ ପୁଲିସ୍ ୩ଟି ଟିମ୍ ଗଠନ କରିଛି। ଗୋଟିଏ ଟିମ୍ ବିଶାଖାପାଟଣା ଯାଇଥିବା ବେଳେ ଅନ୍ୟ ଦୁଇଟି ଟିମ୍ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ତଥାପି ପୁଲିସ୍ ପଞ୍ଝାଠାରୁ ବହୁ ଦୂରରେ ଶର୍ମିଷ୍ଠା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।