କରୋନା କାୟା ଭିତରେ ଜଗାଙ୍କ ନାଗାର୍ଜୁନ ବେଶ ଦେଖିପାରିବେ ତ ଭକ୍ତ?

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ନଭେମ୍ବର ୨୭ ତାରିଖରେ ହେବ। ଦୀର୍ଘ ୨୬ ବର୍ଷର ବ୍ୟବଧାନ ପରେ ରତ୍ନସିଂହାସନରେ ଏହି ଦିବ୍ୟ ବେଶରେ ଠାକୁରଙ୍କ ସାନିଧ୍ୟ ନେବାକୁ ମନପ୍ରାଣ ଏକ କରି ଚାତକ ଭଳି ଚାହିଁଛନ୍ତି ଲକ୍ଷ ଲକ୍ଷ ଜଗନ୍ନାଥ ଭକ୍ତ। ହେଲେ କରୋନାର କରାଳ କାୟା ଭିତରେ କଣ ଭକ୍ତଙ୍କୁ ଏହି ସୁଯୋଗ ମିଳିବ ତ? ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। କାରଣ କୋଭିଡ୍ ସଂକ୍ରମଣ ଡ଼ରରେ ଏଥର ବିନା […]

puri

Manoranjan Sial
  • Published: Saturday, 17 October 2020
  • , Updated: 17 October 2020, 07:46 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ନଭେମ୍ବର ୨୭ ତାରିଖରେ ହେବ। ଦୀର୍ଘ ୨୬ ବର୍ଷର ବ୍ୟବଧାନ ପରେ ରତ୍ନସିଂହାସନରେ ଏହି ଦିବ୍ୟ ବେଶରେ ଠାକୁରଙ୍କ ସାନିଧ୍ୟ ନେବାକୁ ମନପ୍ରାଣ ଏକ କରି ଚାତକ ଭଳି ଚାହିଁଛନ୍ତି ଲକ୍ଷ ଲକ୍ଷ ଜଗନ୍ନାଥ ଭକ୍ତ। ହେଲେ କରୋନାର କରାଳ କାୟା ଭିତରେ କଣ ଭକ୍ତଙ୍କୁ ଏହି ସୁଯୋଗ ମିଳିବ ତ? ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। କାରଣ କୋଭିଡ୍ ସଂକ୍ରମଣ ଡ଼ରରେ ଏଥର ବିନା ଭକ୍ତରେ ନାଗାର୍ଜୁନ ବେଶ କରାଇବାକୁ ଅଧିକାଂଶ ସେବାୟତ ନିଯୋଗ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ପ୍ରସ୍ତାବ ରଖିଛନ୍ତି। ହେଲେ ଭକ୍ତଙ୍କ ଭାବାବେଗକୁ ଦେଖି ସିଂହଦ୍ୱାର ପ୍ରବେଶ ପଥରେ ବିରାଜିତ ପତିତପାବନଙ୍କ ନାଗାର୍ଜୁନ ବେଶକୁ କିନ୍ତୁ ଅନ୍‌ଲାଇନରେ ଦର୍ଶନ ବ୍ୟବସ୍ଥା ଉପରେ ମତ ଦେଇଛନ୍ତି। ତା’ସହ ଭକ୍ତଙ୍କୁ ଅରୁଣସ୍ତମ୍ଭ ପର୍ଯ୍ୟନ୍ତ ଛଡ଼ାଯିବାକୁ ବି ମତବ୍ୟକ୍ତ କରିଛନ୍ତି।

ତେବେ ନାଗାର୍ଜୁନ ବେଶ ଆହୁରି ମାସେରୁ ଅଧିକ ସମୟ ଥିବାରୁ ଏବେଠୁ କୋଭିଡ୍‌ ଗାଇଡ୍‌ଲାଇନ ଅନୁସାରେ କିଛି କିଛି ଭକ୍ତଙ୍କୁ ପରୀକ୍ଷାମୂଳକ ଭାବେ ଛାଡ଼ିବାକୁ ପରାମର୍ଶ ଦେଇଛନ୍ତି କେତେକ ସେବାୟତ। ହେଲେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକର ନିଷ୍କର୍ସ ପରେ ହିଁ ରାଜ୍ୟ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା।

ସେପଟେ ନଭେମ୍ବର ୧ରୁ ଆରମ୍ଭ ହେବ ଧର୍ମ ମାସ କାର୍ତ୍ତିକ। ହବିଷ୍ୟାଳି ହୁଅନ୍ତୁ କି କାର୍ତ୍ତିକବ୍ରତଧାରୀ ସମସ୍ତେ ଜଗନ୍ନାଥଙ୍କୁ ଦର୍ଶନ ପାଇଁ ଆତୁର ହେଲେଣି। ହେଲେ ଏଣେ କିନ୍ତୁ କରୋନା କାୟା ଭିତରେ ମନ୍ଦିର ଖୋଲିବା ଠିକ ହେବ କି ନାହିଁ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗତ ୯ରୁ ୧୬ ତାରିଖ ମଧ୍ୟରେ ସେବାୟତ ନିଯୋଗମାନଙ୍କ ସହ ଭର୍ଚୁଆଲ୍‌ ମିଟିଂ ହୋଇଥିଲା। ସବୁଥିରେ ମନ୍ଦିର ନଖୋଲିବାକୁ ମତ ଆସିଛି। ହେଲେ ଛତିଶା ନିଯୋଗ ନାୟକ କିନ୍ତୁ ଦେଇଥିଲେ ଭିନ୍ନ ମତ। କହିଥିଲେ, କାର୍ତ୍ତିକ ମାସ ଆରମ୍ଭରୁ ମନ୍ଦିର ଖୋଲି ପ୍ରଥମେ ସେବାୟତ ପରିବାର, ତା’ପରେ ପୁରୀ ବାସିନ୍ଦା ଓ ଶେଷରେ ଦୂର ଦୂରାନ୍ତରୁ ଆସୁଥିବା ଭକ୍ତଙ୍କୁ କୋଭିଡ୍‌ ନିୟମ ଅନୁସାରେ ଦର୍ଶନ ସୁଯୋଗ ଦିଆଯାଉ।

Related story