ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୟୁକ୍ରେନରେ ଫସିଥିବା ଓଡ଼ିଆ ଛାତ୍ର ଆଦିତ୍ୟ ପାତ୍ର ବଖାଣିଛନ୍ତି ସେଠାକାର କଳା କାହାଣୀ। ଆଉ ସେ କହିଛନ୍ତି, କାଲି ବୋମା ଶବ୍ଦ ଶୁଭୁଥିଲା। ଆଉ ଆମକୁ ଖାରକିଭ୍ ଛାଡ଼ିବାକୁ କୁହାଯାଇଥିଲା। ଭୟ ଓ ଆତଙ୍କରେ ବୁଧବାର (ୟୁକ୍ରେନ୍ ସମୟ) ସାଢ଼େ ୩ଟାରେ ବଙ୍କରରୁ ବାହାରି ଚାଲିଲୁ। କିଛି ଟ୍ୟାକ୍ସି କି ଅନ୍ୟ ଯାନବାହନ ନମିଳିବାରୁ ଚାଲି ଚାଲି ଆସିଲୁ। ସାଢ଼େ ୩ ଘଣ୍ଟାକାଳ ଚାଲି ଚାଲି ପେସୋଚୀନରେ ଏକ ସ୍କୁଲରେ ପହଞ୍ଚିଲୁ। ଏବେ ସେଇଠି ଅଛୁ। କେମିତି ବର୍ଡର ଯାଏ ଯିବୁ? କିଛି ଜାଣିପାରୁନାହୁଁ। ଏଠାରୁ ଯିବା ନେଇ ଆମ ପାଖକୁ କୌଣସି ପ୍ରକାର ମେସେଜ ଆସୁନି। ଏବେ ମଧ୍ୟ ନିକଟରେ ବୋମା ମାଡ଼ ହେଉଛି। ବୋମା ଶବ୍ଦ ଶୁଣୁଛୁ। ଯେ ପର୍ଯ୍ୟନ୍ତ ୟୁକ୍ରେନରେ ଅଛୁ, ଆମେ ଆଦୌ ସୁରକ୍ଷିତ ନୋହୁଁ। ଯେମିତି ହେଉ ଦୟାକରି ଆମକୁ ତୁରନ୍ତ ବର୍ଡର ଯାଏ ନିଆଯାଉ ବୋଲି ଆଦିତ୍ୟ ନିବେଦନ କରିଛନ୍ତି।
ଅନ୍ୟପକ୍ଷରେ ୟୁକ୍ରେନ୍ରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ଭାରତ ସରକାର। ଏ ନେଇ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି, ୧୮ ହଜାର ଭାରତୀୟଙ୍କୁ ୟୁକ୍ରେନ ବାହାରକୁ ସୁରକ୍ଷିତ ଭାବେ ଅଣାଯାଇଛି। ଅପରେସନ୍ ଗଙ୍ଗା ଅଭିଯାନରେ ଗତ ୨୫ ଘଣ୍ଟାରେ ୧୫ ଫ୍ଲାଇଟ୍ ଭାରତ ଆସିଛି। ଆଗାମୀ ୨୪ ଘଣ୍ଟା ଭିତରେ ଆଉ ୧୮ ଫ୍ଲାଇଟ୍ ୟୁକ୍ରେନ୍ ପଠାଯିବ। ସେଥିରୁ ୩ ଫ୍ଲାଇଟ୍ ଭାରତୀୟ ବାୟୁସେନା ସି-୧୭ ଥିବା ବେଳେ ବାକି କମର୍ଶିଆଲ୍ ଫ୍ଲାଇଟ୍ ରହିଛି। ଯେଉଁଥିରେ ଏୟାର ଇଣ୍ଡିଆ, ଇଣ୍ଡିଗୋ, ସ୍ପାଇସ୍ ଜେଟ୍, ଗୋ ଏୟାର ଗୋଥ ଫାଷ୍ଟର ଫ୍ଲାଇଟ୍ ରହିଛି ବୋଲି ସେ କହିଛନ୍ତି।
ଶ୍ରୀ ବାଗଚୀ ଆହୁରି କହିଛନ୍ତି, ସେଠାରେ କିଛି ପିଲାଙ୍କୁ ବନ୍ଧକ ରଖାଯାଇଥିବା ନେଇ ଆମ ପାଖରେ କୌଣସି ସୂଚନା ନାହିଁ। ଭାରତୀୟ ନାଗରିକଙ୍କୁ ଆଣିବା ପାଇଁ ଆମକୁ ଯେଉଁ ରୁଟ୍ ଠିକ୍ ଲାଗିବ, ଆମେ ସେଠାରୁ ସେମାନଙ୍କୁ ବାହାର କରିବୁ। ୟୁକ୍ରେନରୁ ବାହାର କରିବା ପାଇଁ ଆଉ ସେଭଳି ସସମ୍ୟା ନାହିଁ। ପ୍ରଥମେ ୨୦ ହଜାର ଭାରତୀୟ ନାଗରିକଙ୍କ ରେଜିଷ୍ଟ୍ରେସନ୍ କରାଯାଇଥିଲା। କିନ୍ତୁ ଆଉ କିଛି ରେଜିଷ୍ଟ୍ରେସନ୍ କରିନଥିଲେ। ଏବେ ଯେଉଁ ନାଗରିକ ଖାରକିଭରେ ଅଛନ୍ତି, ସେମାନଙ୍କୁ ସୁରକ୍ଷିତ ଫେରାଇ ଆଣିବା ଆମର ପ୍ରାଥମିକତା ହେବ ବୋଲି ବାଗଚୀ ସୂଚନା ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।