ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆବଶ୍ୟକ ଭିତ୍ତିଭୂମି ନଥାଇ ଥାନା ଓ ଡାକ୍ତରଖାନାରେ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ କରି ବାହାବା ନେବାକୁ ପ୍ରୟାସ କରୁଥିବା ରାଜ୍ୟ ସରକାରଙ୍କୁ ଏବେ ଶକ୍ତଧକ୍କା ଲାଗିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଓ ସଚିବାଳୟରୁ ମାତ୍ର ୫୦୦ ମିଟରରେ ଥିବା କ୍ୟାପିଟାଲ ହସ୍ପିଟାଲରେ ଜଣେ ପ୍ରସୂତିଙ୍କୁ ଉପଯୁକ୍ତ ସମୟରେ ସ୍ୱାସ୍ଥ୍ୟସେବା ନମିଳିବାରୁ ସେ ରାସ୍ତାକଡ଼ରେ ପିଲା ଜନ୍ମ କରିଥିବାର ଦୃଶ୍ୟ ‘ମୋ ସରକାର’ର ବିଫଳତାକୁ ପଦାରେ ପକାଇଥିବା ସତ୍ତେ୍ୱ ହସ୍ପିଟାଲ କର୍ତ୍ତୃପକ୍ଷ ଡାହା ମିଛ କହିବାକୁ ପଛାଇ ନାହାନ୍ତି। ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ପ୍ରସୂତି ହସ୍ପିଟାଲ ପରିସରରେ ରାସ୍ତାକଡ଼ରେ ପିଲା ଜନ୍ମ କରିଥିବାର ଦୃଶ୍ୟ ଗଣମାଧ୍ୟମରେ ସମସ୍ତେ ଦେଖିଥିବା ସତ୍ତ୍ୱେ ହସ୍ପିଟାଲ କର୍ତ୍ତୃପକ୍ଷ ଓଲଟା ଗଣମାଧ୍ୟମ ଉପରେ ଦୋଷ ଲଦି ଖସିବା ପାଇଁ ଉଦ୍ୟମ କରିଛନ୍ତି । ହସ୍ପିଟାଲରେ ଡାକ୍ତରଙ୍କ ଅଭାବ ଥିବା ଯୋଗୁ ଏଭଳି ସମସ୍ୟା ଉପୁଜିଛି ବୋଲି ପ୍ରସୂତି ବିଭାଗ ଡାକ୍ତର କହୁଥିବାବେଳେ ହସ୍ପିଟାଲ ଅଧୀକ୍ଷକ କାହା ଚାପରେ ଗଣମାଧ୍ୟମରେ ଦୋଷ ଲଦି ଖସିବାକୁ ପ୍ରୟାସ କରୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠୁଛି।
କ୍ୟାପିଟାଲ ହସ୍ପିଟାଲ ପରିସରରେ ଗତକାଲି ଜଣେ ପ୍ରସୂତି ରାସ୍ତାକଡ଼ରେ ପ୍ରସବ କରିଥିବା ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ରାଜ୍ୟ ସରକାର ରିପୋର୍ଟ ତଲବ କରିଥିଲେ। ତେବେ ସ୍ୱାସ୍ଥ୍ୟ ବିଭାଗ ଲୋକ ସମ୍ପର୍କ ଅଧିକାରୀ ପ୍ରଭାକର ମହାରଣାଙ୍କ କହିଛନ୍ତି ଯେ, କ୍ୟାପିଟାଲ ହସ୍ପିଟାଲ ଅଧୀକ୍ଷକ ଏହି ଘଟଣାରେ ଡାକ୍ତର କିମ୍ବା ଡାକ୍ତରଖାନାର ଦୋଷ ନାହିଁ ବୋଲି କହିବା ସହ ଏଭଳି ଖବର ଭିତ୍ତିହୀନ ଓ ଡାକ୍ତରଖାନାକୁ ବଦନାମ ପାଇଁ କରାଯାଇଥିବା ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।
ତେବେ ପ୍ରଶ୍ନ ଉଠୁଛି, ପ୍ରସୂତିଜଣକ କ୍ୟାପିଟାଲ ହସ୍ପିଟାଲ ପରିସରରେ ରାସ୍ତାକଡ଼ରେ ପିଲା ଜନ୍ମ କରିଥିବାର ଭିଡିଓ ଗଣମାଧ୍ୟମରେ ପ୍ରସାରିତ ହୋଇଥିବା ସତ୍ତ୍ୱେ ଅଧିକ୍ଷକ ନାରାୟଣ ସେଠୀ କିଭଳି ଏହା ଭିତ୍ତିହୀନ ବୋଲି ଡାହାମିଛ କହୁଛନ୍ତି। ପ୍ରସୂତୀ ବିଭାଗର ଡାକ୍ତର ସତ୍ୟନାରାୟଣ ସାମଲ ନିଜେ ସମ୍ପୃକ୍ତ ପ୍ରସୂତି ଚିକିତ୍ସା ପାଇଁ ଆସିଥିବା ସ୍ୱୀକାର କରିଥିବାବେଳେ ଡାକ୍ତର ତୁଳନାରେ ଅଧିକ ରୋଗୀ ଆସୁଥିବାରୁ ସମସ୍ୟା ହେଉଥିବା କଥା କହିଛନ୍ତି। କିନ୍ତୁ କ୍ୟାପିଟାଲ ହସ୍ପିଟାଲ
ଅଧୀକ୍ଷକ ଶ୍ରୀ ସେଠୀ ଏଥିପ୍ରତି ଦୃଷ୍ଟି ନଦେଇ ନିଜର ରିପୋର୍ଟରେ ଗଣମାଧ୍ୟମ ଭିତ୍ତିହୀନ ଖବର ପ୍ରସାରଣ କରୁଛି ବୋଲି କହିବାକୁ ପଛାଇ ନାହାନ୍ତି।