ପୁରୀ(ଓଡ଼ିଶା ରିପୋର୍ଟର): କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କ ନିର୍ମାଲ୍ୟ ଅନ୍ଲାଇନ୍ ସାଇଟ୍ ଆମାଜନରେ ମିଳୁଥିବା ଅଭିଯୋଗକୁ ନେଇ ତେଜୁଛି ବିବାଦ। ଶ୍ରୀମନ୍ଦିର ସେବାୟତ ଶମ୍ବୁନାଥ ଖୁଣ୍ଟିଆ ଏହି ଘଟଣାକୁ ନେଇ ଆମାଜନ ଇଣ୍ତିଆ ବିରୋଧରେ ସିଂହଦ୍ୱାର ଥାନାରେ ଏତଲା ଦେଇଛନ୍ତି ।
ଅପରପକ୍ଷେ ଆମାଜନକୁ ଏପରି କୌଣସି ଅନୁମତି ଦିଆଯାଇ ନ ଥିବା ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ। ତେବେ ଆମାଜନ କିପରି ଓଡ଼ିଆଙ୍କ ଭାବନା ସହ ଖେଳ ଖେଳି ଏପରି ଭାବେ ନିର୍ମାଲ୍ୟ ବିକ୍ରି କରୁଛି ତାହାର ତଦନ୍ତ ନିମନ୍ତେ ଆଇନ୍ର ଆଶ୍ରୟ ନେବୁ ବୋଲି କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ ।
ସୂଚନାଯୋଗ୍ୟ, ଦୀର୍ଘଦିନ ହେବ ଆମାଜନ ଇଣ୍ତିଆ ମହାପ୍ରଭୁଙ୍କ ନିର୍ମାଲ୍ୟକୁ ନିଜ ୱେବସାଇଟ ମାଧ୍ୟମରେ ବିକ୍ରି କରିଆସୁଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପାଖରେ ଶମ୍ବୁନାଥ ଖୁଣ୍ଟିଆ ନାମକ ସେବାୟତ ଅଭିଯୋଗ କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନଲାଇନ୍ରେ ଏଭଳି ବ୍ୟବସାୟ କରିବା ପାଇଁ କୌଣସି ସଂସ୍ଥାକୁ ଅନୁମତି ଦିଆଯାଇନଥିବା ବେଳେ ଆମାଜନ୍ କାହିଁକି ଏଥିରୁ ନିବୃତ୍ତ ରହୁନି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଭକ୍ତମାନେ ମଧ୍ୟ ନିର୍ମାଲ୍ୟର ଅନ୍ଲାଇନ୍ ବିକ୍ରିକୁ ନାପସନ୍ଦ କରିଛନ୍ତି ।
ଅପରପକ୍ଷେ, ନିର୍ମାଲ୍ୟର ଅନଲାଇନ୍ ବିକ୍ରି ନିମନ୍ତେ ଆମାଜନକୁ କୌଣସି ଅନୁମତି ଦିଆଯାଇ ନ ଥିବା ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ। ଏହାର ଆଇନଗତ ତର୍ଜମା କରୁଛୁ, କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ଦେଖିବୁ ବୋଲି ସେ କହିଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।