ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ନବୀନଙ୍କୁ ଚିଠି ଲେଖିଲେ ନନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାନବପ୍ରେମୀ ତଥା ମୋଟିଭେସନ୍‌ନାଲ୍ ସ୍ପିକର ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ଲାଗି ରହିଛି। ଏହା ହତ୍ୟା ନା ଆତ୍ମହତ୍ୟା, ତାହା ଉପରେ ଜିଆର୍‌ପି ତଦନ୍ତ କରୁଛି। ତେବେ ଜିଆର୍‌ପିର ଏହି ତଦନ୍ତ ପ୍ରକ୍ରିୟାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ସେ ଚିଠିଲେ ଲେଖିଛନ୍ତି, ଜିଆର୍‌ପିର ତଦନ୍ତ ସନ୍ତୋଷଜନକ ନୁହେଁ। ତେଣୁ କମିଶନରେଟ୍ ପୁଲିସକୁ ତଦନ୍ତ ପ୍ରକ୍ରିୟାରେ ସାମିଲ କରାଯାଉ। ଅବାଧ ଓ ନିରପେକ୍ଷ […]

naveen-and-pratap

Manoranjan Sial
  • Published: Wednesday, 22 July 2020
  • , Updated: 22 July 2020, 04:40 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାନବପ୍ରେମୀ ତଥା ମୋଟିଭେସନ୍‌ନାଲ୍ ସ୍ପିକର ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ଲାଗି ରହିଛି। ଏହା ହତ୍ୟା ନା ଆତ୍ମହତ୍ୟା, ତାହା ଉପରେ ଜିଆର୍‌ପି ତଦନ୍ତ କରୁଛି। ତେବେ ଜିଆର୍‌ପିର ଏହି ତଦନ୍ତ ପ୍ରକ୍ରିୟାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ।

ସେ ଚିଠିଲେ ଲେଖିଛନ୍ତି, ଜିଆର୍‌ପିର ତଦନ୍ତ ସନ୍ତୋଷଜନକ ନୁହେଁ। ତେଣୁ କମିଶନରେଟ୍ ପୁଲିସକୁ ତଦନ୍ତ ପ୍ରକ୍ରିୟାରେ ସାମିଲ କରାଯାଉ। ଅବାଧ ଓ ନିରପେକ୍ଷ ତଦନ୍ତ କରି ଦୋଷୀକୁ ଦଣ୍ଡ ଦିଆଯାଉ। ଯାହା ଫଳରେ ଆଇନ୍‌ ଉପରେ ଲୋକଙ୍କ ଆସ୍ଥା ଅତୁଟ ରହିବ ବୋଲି ଶ୍ରୀ ଷଡ଼ଙ୍ଗୀ ଚିଠିରେ ଲେଖିଛନ୍ତି।

ଅନ୍ୟପକ୍ଷରେ, ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଏହି ଘଟଣାରେ ଲାଏ ଡିଟେକ୍ସନ ଟେଷ୍ଟ ଦାବି କରିଛନ୍ତି।  ନିଜର ଓ ଆଦିତ୍ୟଙ୍କ ସହଯୋଗୀ ପପୁ, ବିକାଶ ଓ ଦୀପୁର ଲାଏ ଡିଟେକ୍ସନ ଟେଷ୍ଟ କରିବାକୁ ସେ ଦାବି କରିଛନ୍ତି। ଲାଏ ଡିଟେକ୍ସନ ଟେଷ୍ଟ କଲେ ଅନେକ ସତ୍ୟ ପଦାକୁ ବାହାରିବ ବୋଲି ବିଦ୍ୟାଶ୍ରୀ କହିଛନ୍ତି।

ବିଦ୍ୟାଶ୍ରୀ କହିଛନ୍ତି-“ଆଦିତ୍ୟଙ୍କ ଡାଏରୀ ପୁଲିସକୁ ଦେବା ପାଇଁ ମୁଁ ବିକାଶକୁ କହିଥିଲି। ଆଶ୍ରମରୁ ପୁଲିସ ଗଲା ମୁଁ ତାଙ୍କୁ ଡାଏରୀ ବିଷୟରେ ପଚାରିଲେ। ବିକାଶ କହିଲେ, ନା ଭାବି ମୁଁ ଡାଏରୀ ଦେଇପାରିନି। ପୁଲିସକୁ ଡାଏରୀ ଦେବା ପାଇଁ ସୁଯୋଗ ପାଇଲି ନାହିଁ ବୋଲି ବିକାଶ କହିଥିଲା। ଏହା ପରେ ମୁଁ ଓ ଦିଦି (ଆଦିତ୍ୟଙ୍କ ଭଉଣୀ) ଘରକୁ ପଳାଇ ଆସିଲୁ। ପରେ ଡାଏରୀ ସମ୍ପର୍କରେ ଦିଦି ମୋତେ ପଚାରିଥିଲେ। ମୁଁ କହିଲି ବିକାଶ ପୁଲିସକୁ ଡାଏରୀ ଦେଇନାହିଁ।”

ଗତ ୬ ତାରିଖରେ ଲିଙ୍ଗରାଜ ଷ୍ଟେସନ୍ ନିକଟସ୍ଥ ଟ୍ରେନ୍‌ ଲାଇନରୁ ଆଦିତ୍ୟଙ୍କ ମୃତଦେହ ମିଳିଥିଲା। ଏହା ଆତ୍ମହତ୍ୟା ନା ହତ୍ୟା, ତାହା ରହସ୍ୟମୟ ହେବାରେ ଲାଗିଛି। ଏହି ବୁଢ଼ିଆଣୀ ଜାଲର ଖିଆ  ଖୋଜିବା ପାଇଁ ଜିଆର୍‌ପି ଆଦିତ୍ୟଙ୍କ ବାପା, ମାଆ ଓ ସ୍ତ୍ରୀ ବିଦ୍ୟାଶ୍ରୀଙ୍କୁ ତାଙ୍କ ପଳାସପଲ୍ଲୀ ସ୍ଥିତ ଭଡ଼ା ଘରେ ଜେରା କରିଥିଲା। ଏହାପରେ ଜିଆର୍‌ପି ବିଦ୍ୟାଶ୍ରୀଙ୍କ ମାଆ ଓ ଭାଇ ରହୁଥିବା କଟକ କାଜି ବଜାର ସ୍ଥିତ ଘରକୁ ଯାଇ ପଚରାଉଚରା କରିଥିଲା। ଘଣ୍ଟାଏରୁ ଅଧିକ ସମୟ ଧରି ସେମାନଙ୍କୁ ଜିଆର୍‌ପି ପଚରା ଉଚୁରା କରିଥିଲା। ଆଦିତ୍ୟ-ବିଦ୍ୟାଶ୍ରୀଙ୍କ ପାରିବାରିକ ସମ୍ପର୍କ କେମିତି ଥିଲା? ଉଭୟଙ୍କ ଭିତରେ କେବେ ପାଟି ତୁଣ୍ଡ ହେଉଥିଲା କି? ରାତିରେ ଆଦିତ୍ୟ ବାହାରକୁ ଚାଲିଯିବା ପରେ ବିଦ୍ୟାଶ୍ରୀଙ୍କୁ ଫୋନ୍‌ କରିଥିଲେ କି? ଏମିତି ଅନେକ ପ୍ରଶ୍ନ ଜିଆର୍‌ପି ପଚାରିଥିବା ଜଣାପଡ଼ିଛି।

Related story