ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗ୍ରାମାଂଚଳରେ କଚ୍ଚା ଘରେ ରହୁଥିବା ପରିବାରକୁ ପକ୍କାଘର ଯୋଗାଇ ଦେବା ନିମନ୍ତେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାଢ଼େ ୯ଲକ୍ଷ ଘର ଆବଂଟନ କରିଛନ୍ତି । ଏହି ଘରଗୁଡ଼ିକର କାର୍ଯ୍ୟାଦେଶ(ୱାର୍କ ଅର୍ଡର) ଆସନ୍ତା ଜାନୁୟାରୀ ମାସରେ ହିତାଧିକାରୀମାନଙ୍କୁ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି।
ଆଜି ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ମହାପାତ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହେବାକୁ ଥିବା ସାଢ଼େ ୯ଲକ୍ଷ ଘରର କାର୍ଯ୍ୟାଦେଶ ଆସନ୍ତା ଜାନୁୟାରୀ ମାସରେ ହିତାଧିକାରୀଙ୍କୁ ବଂଟନ କରିବା ଓ ଜୁନ୍ ମାସ ଶେଷ ସୁଦ୍ଧା ଏସବୁର ନିର୍ମାଣ କାର୍ଯ୍ୟ ସାରିବା ପାଇଁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି । ଗୃହ ନିର୍ମାଣ ପାଇଁ ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ପ୍ରଦାନ ପୂର୍ବରୁ ପ୍ରତ୍ୟେକ ପଂଚାୟତରେ ୧୦ଦିନ ପାଇଁ ସାଧାରଣ ଲୋକଙ୍କ ଅବଗତି ନିମନ୍ତେ ଏହି ତାଲିକା ପ୍ରଦର୍ଶନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ତାଲିକାରେ କୌଣସି ଅଯୋଗ୍ୟ ବ୍ୟକ୍ତି ସ୍ଥାନିତ ହୋଇଥିବେ ସେ ବାବଦରେ ଆପତ୍ତ ି ଅଭିଯୋଗ ପଂଚାୟତ ଅବା ବ୍ଲକ କାର୍ଯ୍ୟାଳୟରେ ଥିବା ଉଦ୍ଦିଷ୍ଟ ଅଭିଯୋଗ ବାକ୍ସରେ ପକାଇ ପାରିବେ।
ଏହାବ୍ୟତୀତ ରାଜ୍ୟର ଟୋଲ ଫ୍ରି ନମ୍ବର ୧୮୦୦-୩୪୫୬-୬୭୮ ଓ ଅନଲାଇନ ମାଧ୍ୟମରେ ଅଭିଯୋଗ କରି ଜଣାଇପାରିବେ। କାର୍ଯ୍ୟାଦେଶ ପ୍ରଦାନ ପୂର୍ବରୁ ବିଡ଼ିଓମାନଙ୍କ ମାଧ୍ୟମରେ ସମ୍ପୃକ୍ତ ଘରର ଫଟୋ ଉଠାଯାଇ ଜିଓ ଟ୍ୟାଙ୍ଗିଟ୍ କରାଯିବ। ଏହି ଯାଂଚ ପ୍ରକ୍ରିୟାରେ ଅଯୋଗ୍ୟ ହିତାଧିକାରୀମାନଙ୍କୁ ବାଦ୍ ଦିଆଯିବ ବୋଲି ଜଣାପଡ଼ିଛି।