ରାଜ୍ୟ ସରକାରଙ୍କ ତଣ୍ଟିରେ ପିଏମ୍‌ କିଷାନ୍‌ କଣ୍ଟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଖାପାଖି ୩ ଲକ୍ଷ ଅଯୋଗ୍ୟ ଲୋକଙ୍କ ଖାତାକୁ ଯାଇଛି ସରକାରଙ୍କ ‘କାଳିଆ’ ଟଙ୍କା।  ରାଜକୋଷରୁ ସ୍ୱାହା ହୋଇଛି ୧୫୦ କୋଟିରୁ ଅଧିକ ଅର୍ଥରାଶି। ଯଦିଓ ପୂରା ୫୧ ଲକ୍ଷ ହିତାଧିକାରୀଙ୍କ ଯାଞ୍ଚ ସରିଛି, ତଥାପି ଅଯୋଗ୍ୟଙ୍କ ସଂଖ୍ୟା ଓ ଟଙ୍କା ଫେରସ୍ତ ନେଇ ସରକାର କ’ଣ କରିବେ ସ୍ଥିର କରିପାରିନାହାଁନ୍ତି। ଏପଟେ ପିଏମ୍ କିଷାନ ପାଇଁ ସମୁଦାୟ ଚାଷୀଙ୍କ ତାଲିକା କେନ୍ଦ୍ରକୁ ଦେଇପାରୁ ନଥିବାରୁ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ସାଧାରଣ ନିର୍ବାଚନ ସମୟରେ […]

state-government-sould-not-sent-pm-kisan-list-to-centre

Manoranjan Sial
  • Published: Tuesday, 03 September 2019
  • , Updated: 03 September 2019, 08:20 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଖାପାଖି ୩ ଲକ୍ଷ ଅଯୋଗ୍ୟ ଲୋକଙ୍କ ଖାତାକୁ ଯାଇଛି ସରକାରଙ୍କ ‘କାଳିଆ’ ଟଙ୍କା।  ରାଜକୋଷରୁ ସ୍ୱାହା ହୋଇଛି ୧୫୦ କୋଟିରୁ ଅଧିକ ଅର୍ଥରାଶି। ଯଦିଓ ପୂରା ୫୧ ଲକ୍ଷ ହିତାଧିକାରୀଙ୍କ ଯାଞ୍ଚ ସରିଛି, ତଥାପି ଅଯୋଗ୍ୟଙ୍କ ସଂଖ୍ୟା ଓ ଟଙ୍କା ଫେରସ୍ତ ନେଇ ସରକାର କ’ଣ କରିବେ ସ୍ଥିର କରିପାରିନାହାଁନ୍ତି। ଏପଟେ ପିଏମ୍ କିଷାନ ପାଇଁ ସମୁଦାୟ ଚାଷୀଙ୍କ ତାଲିକା କେନ୍ଦ୍ରକୁ ଦେଇପାରୁ ନଥିବାରୁ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ।

ସାଧାରଣ ନିର୍ବାଚନ ସମୟରେ ରାଜ୍ୟ ସରକାର ତରବରିଆ ଭାବେ ‘କାଳିଆ’ ଯୋଜନା କାର୍ଯ୍ୟକାରୀ କରିଥିଲେ। ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ପରେ ଅଯୋଗ୍ୟ ହିତାଧିକାରୀ ଖୋଜିବା ପାଇଁ ବିଜ୍ଞାପନ ଦେଲେ ରାଜ୍ୟ ସରକାର। ଏପରିକି ଟଙ୍କା ଫେରାଇବା ପାଇଁ ଅଯୋଗ୍ୟ ହିତାଧିକାରୀଙ୍କୁ ଅନୁରୋଧ ମଧ୍ୟ କରିଥିଲେ। ଏହା ପରେ ଆରମ୍ଭ ହୋଇଥିଲା ଯାଞ୍ଚ ପ୍ରକ୍ରିୟା। ଅଗଷ୍ଟ ୩୧ ତାରିଖ ସୁଦ୍ଧା ‘କାଳିଆ’ ଯୋଜନାରେ ଟଙ୍କା ପାଇଥିବା ୫୧ ଲକ୍ଷ ଚାଷୀଙ୍କ ତାଲିକା ଯାଞ୍ଚ କରି ଅଯୋଗ୍ୟଙ୍କୁ ବାଦ ଦେବେ ବୋଲି ସରକାର କହିଥିଲେ। ଇତି ମଧ୍ୟରେ ସବୁ ପ୍ରକ୍ରିୟା ସରିଥିଲେ ମଧ୍ୟ ସରକାରୀ ଭାବେ କେତେ ଅଯୋଗ୍ୟ ଚାଷୀ ବାହାରିଲେ ସେ ନେଇ କୃଷି ବିଭାଗ ପାଟି ଖୋଲୁନି। ଅନ୍ୟପକ୍ଷରେ ବ୍ଲକ ଓ ଜିଲ୍ଲାର ତଥ୍ୟ ସରକାରଙ୍କ ବିପି ବଢାଇ ଦେଇଛି। ନିର୍ବାଚନ ପୂର୍ବରୁ ଠିକରେ ଯାଞ୍ଚ ନ କରି ଟଙ୍କା ପଠାଇବା ପ୍ରକ୍ରିୟାକୁ ଚାଷୀ ସଂଗଠନ ନିନ୍ଦା କରିଛନ୍ତି।

ଚାଷୀ ନେତା ଅଶୋକ ପ୍ରଧାନ କହିଛନ୍ତି-“କିଏ ଯୋଗ୍ୟ ଓ କିଏ ଅଯୋଗ୍ୟ ଚାଷୀ? ଟଙ୍କା ଦେଲା ବେଳେ କାହିଁକି ଯାଞ୍ଚ କରାଗଲା ନାହିଁ।”

ଗୋଟିଏ ପଟେ ‘କାଳିଆ’ରେ ରାଜ୍ୟ ସରକାର ୫୧ ଲକ୍ଷ ଚାଷୀଙ୍କୁ ଟଙ୍କା ଦେଇଥିବା ବେଳେ ପିଏମ୍‌ କିଷାନ ପାଇଁ କିନ୍ତୁ ମାତ୍ର ୩୦ ଲକ୍ଷ ୮୦ ହଜାର ଚାଷୀଙ୍କ ତାଲିକା ପଠାଇଛନ୍ତି। ତେବେ ଅଧିକ ଅଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ଦେଇଥିବାରୁ ଧରାପଡିବା ଭୟରେ କେନ୍ଦ୍ରକୁ ତାଲିକା ପଠାଉନାହାଁନ୍ତି ବୋଲି ଅଭିଯୋଗ କରିଛି ବିଜେପି। ଅଯୋଗ୍ୟଙ୍କୁ ଦିଆଯାଇଥିବା ଟଙ୍କାକୁ ବିଜେଡି ଭରଣା କରୁ ବୋଲି ବିରୋଧୀ ଦାବି କରିଛନ୍ତି।

ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି-“କାଳିଆ ଟଙ୍କା ଚାଷୀ ମାଗିନି। ସରକାର ତାଙ୍କ ଆଡୁ ଏହି ଟଙ୍କା ଦେଇଛନ୍ତି। ଏବେ ଯଦି ଅଯୋଗ୍ୟ କହି ସରକାର ଟଙ୍କା ଆଦାୟ କରିବାକୁ ଚାହୁଁଛନ୍ତି, ତାହାହେଲେ ତାଲିକା କରିଥିବା ଅଧିକାରୀ ଓ ବିଜେଡି ସେହି ଅର୍ଥ ଦେଉ। କରଦାତାଙ୍କ ଟଙ୍କାକୁ ବେଆଇନ୍‌ ଭାବେ ଖର୍ଚ୍ଚ କରିବାକୁ କିଏ ତାଙ୍କୁ ଅଧିକାର ଦେଇଥିଲା?”

କଂଗ୍ରେସ ନେତା ଅନନ୍ତ ସେଠୀ କହିଛନ୍ତି-“ଚାଷୀ ନାଁରେ ଏମାନେ ଭୋଟରଙ୍କୁ ଟଙ୍କା ଦେଇଛନ୍ତି। ସେହି ଟଙ୍କା ରାଜକୋଷକୁ କେମିତି ଫେରିବ? ତାହା ବିଜେଡି ଚିନ୍ତା କରୁ।”

ବିଜେଡ଼ି ମୁଖପାତ୍ର ଅମର ପଟ୍ଟନାୟକ କହିଛନ୍ତି-“ଯାଞ୍ଚ କରାନଯାଇ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଥିଲା। ଏବେ ପର୍ଯ୍ୟାୟ କ୍ରମେ ଯାଞ୍ଚ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରଯାଉଛି। ଆଉ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକାରୁ ବାଦ ଦିଆଯାଉଛି। ଏ ବିଷୟରେ ‘କାଳିଆ’ ଗାଇଡ୍‌ଲାଇନ୍‌ରେ ମଧ୍ୟ ଉଲ୍ଲେଖ ରହିଛି। ଆଜି ଯେଉଁମାନେ ଅଭିଯୋଗ କରୁଛନ୍ତି, ସେମାନଙ୍କର ଟେକ୍ନୋଲୋଜି ବିଷୟରେ ଧାରଣା ନାହିଁ।”

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ଗୋଳମାଳିଆରେ ‘କାଳିଆ’ ଯୋଜନାରେ ୨୮ ହଜାର ୭୧୪ ଚାଷୀ ଟଙ୍କା ପାଇଥିଲେ। ସେମାନଙ୍କ ମଧ୍ୟ ୬ ହଜାର ୮୩ ହେଉଛନ୍ତି ଅଯୋଗ୍ୟ ଚାଷୀ। ଅର୍ଥାତ ପ୍ରାୟ ୫ ଜଣରେ ଜଣେ ଅଯୋଗ୍ୟକୁ ଟଙ୍କା ଦେଇଛନ୍ତି ସରକାର। କେବଳ ଏହି ବ୍ଲକରେ ୨୧ ପ୍ରତିଶତ ଅଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଚାଲି ଯାଇଛି ୩ କୋଟିରୁ ଅଧିକ ଟଙ୍କା।  ବିଡ଼ମ୍ବନା ହେଉଛି, ସେହି ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ କିସ୍ମତ କୃଷ୍ଣପୁରର ଚାଷୀ ସୁଧାକର ରାଉତ ଭାଗଚାଷୀ ହୋଇଥିଲେ ମଧ୍ୟ ତାଙ୍କୁ ମିଳିନି ‘କାଳିଆ’ ଟଙ୍କା।

Related story