ଭୁବନେଶ୍ୱର(ପ୍ରକାଶ ସେଠୀ): ବହୁଚର୍ଚ୍ଚିତ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲର ଅବଧି ଆଉ ୨ବର୍ଷ ପାଇଁ ବୃଦ୍ଧି ପାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ସରକାର ୨୦୧୮ ମାର୍ଚ୍ଚ ୧୨ତାରିଖରେ ଗଢିଥିବା ଏହି ଟ୍ରିବ୍ୟୁନାଲ ୩ବର୍ଷର ଧାର୍ଯ୍ୟ ସମୟ ମଧ୍ୟରେ ତାଙ୍କର ରିପୋର୍ଟ ଦାଖଲ କରିବାରେ ବିଫଳ ହେବାପରେ ଜୁନ୍ ୩ତାରିଖରେ ଟ୍ରିବ୍ୟୁନାଲର ଅବଧିକୁ ଆଉ ୨ବର୍ଷକୁ ବୃଦ୍ଧି କରିଛନ୍ତି। ତେବେ ମହାନଦୀର ସୁରକ୍ଷା ପାଇଁ ୨୦୧୬ ମସିହାରୁ ଲଢ଼େଇ କରୁଥିବା ବିଜେଡି ସରକାର ଗତ ୩ବର୍ଷ ମଧ୍ୟରେ ରାଜ୍ୟର ସ୍ୱାର୍ଥ ରକ୍ଷା ନିମନ୍ତେ ଟ୍ରିବ୍ୟୁନାଲରୁ ସାମାନ୍ୟ ଆଶ୍ୱସ୍ତି କି ଅନ୍ତରୀଣ ରିହାତି ଆଣିବାରେ ସକ୍ଷମ ହୋଇପାରିଲେ ନାହିଁ । ଅନ୍ୟପକ୍ଷରେ ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଟ୍ରିବ୍ୟୁନାଲର ଅବଧି ଏକକାଳୀନ ୨ବର୍ଷ ବୃଦ୍ଧି ହେବା ଓ ସଂଘୀୟ ବ୍ୟବସ୍ଥାରେ ଓଡ଼ିଶା ପ୍ରତି କରାଯାଉଥିବା ଅଣଦେଖାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟର ଜୁନ୍ ୩ତାରିଖ ବିଜ୍ଞପ୍ତି ଅନୁସାରେ, ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଅବଧିକୁ ୨୦୨୩ ମାର୍ଚ୍ଚ ୧୧ତାରିଖ ପର୍ଯ୍ୟନ୍ତ ଅବାପୁଣି ଆନ୍ତଃ ରାଜ୍ୟ ନଦୀ ଜଳବିବାଦ ଆଇନ-୧୯୫୬ର ଧାରା-୫ର ଉପଧାରା-୨ ଅନୁସାରେ ରିପୋର୍ଟ ଦାଖଲ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ଦୁଇଟି ମଧ୍ୟରୁ ଯାହା ଆଗ ଆସିବ ସେବେ ଟ୍ରିବ୍ୟୁନାଲର ଅବଧି ସମାପ୍ତ ହେବ। ମନ୍ତ୍ରଣାଳୟର ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ଯେ, ଧାର୍ଯ୍ୟ ୩ବର୍ଷ ମଧ୍ୟରେ ଟ୍ରିବ୍ୟୁନାଲ ତାଙ୍କ ନିଷ୍ପତ୍ତି ଶୁଣାଇବା ଓ ରିପୋର୍ଟ ଦାଖଲ କରିନଥିବାରୁ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ଏହାକୁ ବିଚାରକୁ ନେଇ ଟ୍ରିବ୍ୟୁନାଲର ଅବଧିକୁ ବୃଦ୍ଧି କରାଯାଇଛି।
ତେବେ ପ୍ରଶ୍ନ ଉଠୁଛି, ୨୦୧୬ ମସିହାରୁ ମହାନଦୀକୁ ନେଇ ରାଜରାସ୍ତାରେ ଲଢ଼େଇ ସହ ରାଜନୀତିକ କାର୍ଯ୍ୟକ୍ରମ କରିଥିବା ଶାସକ ବିଜେଡି ଗତ ୨୦୧୮ ଜୁନ୍ ମାସରେ ନିଜର ୪ଜଣିଆ କମିଟି ଗଠନ ପରଠୁ ଚୁପ୍ ହୋଇ ବସିଛି। ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ର, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଚନ୍ଦ୍ରଶେଖର ସାହୁଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା ତଥା ଏହି କମିଟି ଉଭୟ ମହାନଦୀ ଓ ପୋଲାଭରମ ବିବାଦ ପ୍ରସଙ୍ଗରେ ଦଳର ଆଭିମୁଖ୍ୟକୁ ସରକାରଙ୍କ ସମ୍ମୁଖରେ ରଖି ରାଜ୍ୟର ସ୍ୱାର୍ଥ ହାସଲ ପାଇଁ ପଦକ୍ଷେପ ନେଇଥାନ୍ତେ। କିନ୍ତୁ କମିଟି ମାତ୍ର ଥରୁଟିଏ ବୈଠକ କରି ତା’ର ରିପୋର୍ଟ ଦେବା ପରେ ଆଉ କେବେବି ବସି ନାହିଁ କିମ୍ବା ମହାନଦୀର ସ୍ୱାର୍ଥ ରକ୍ଷା କଥା କହି ବିଜେଡି କରୁଥିବା ତୁମ୍ବିଂତୋଫାନ ମଧ୍ୟ ଏବେ ଆଉ ଶୁଣିବାକୁ ପଡ଼ୁନି।
ସବୁଠୁ ପରିତାପର କଥା ହେଉଛି, ମହାନଦୀ ଜଳବିବାଦର ସମାଧାନ ପାଇଁ ଜଷ୍ଟିସ ଏଏମ୍ ଖାନୱାଲିକରଙ୍କ ଅଧ୍ୟକ୍ଷତାରେ ଗଠିତ ୩ଜଣିଆ ସଦସ୍ୟ ବିଶିଷ୍ଟ ଟ୍ରିବ୍ୟୁନାଲ ଛତିଶଗଡ଼ ସହ ଓଡ଼ିଶାର ବିବାଦକୁ ନେଇ ୧୯ଥର ଶୁଣାଣି କରିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ବଳିଷ୍ଠ ଯୁକ୍ତି ଅଭାବରୁ ଓଡ଼ିଶାକୁ ଅନ୍ତରୀଣ ରିହାତି ମଧ୍ୟ ମିଳିପାରିନାହିଁ। ଯଦିଓ ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ନିର୍ମାଣ କରୁଥିବା ୬ଟି ବୃହତ୍ ଜଳପ୍ରକଳ୍ପ କାର୍ଯ୍ୟ ଇତିମଧ୍ୟରେ ଶେଷ ହୋଇସାରିଲାଣି କିନ୍ତୁ ସେସବୁ କାମକୁ ବନ୍ଦ ରଖିବା ପାଇଁ ଟ୍ରିବ୍ୟୁନାଲଙ୍କ ମାଧ୍ୟମରେ ନିଜ ସପକ୍ଷରେ ରାୟ ଆଣିବାରେ ଓଡ଼ିଶା ସରକାର ସକ୍ଷମ ହୋଇନାହାନ୍ତି। ଅନ୍ୟପକ୍ଷରେ ମହାନଦୀର ତଳମୁଣ୍ଡରେ ଓଡ଼ିଶା ସରକାର ନିର୍ମାଣ କରିବାକୁ ଥିବା ୭ଟି ବୃହତ୍ ଜଳପ୍ରକଳ୍ପ ଓ ବ୍ୟାରେଜ୍ ନିର୍ମାଣ ପ୍ରସ୍ତାବକୁ ଟ୍ରିବ୍ୟୁନାଲରେ ମାମଲା ଥିବା ଦର୍ଶାଇ କେନ୍ଦ୍ରୀୟ ଜଳଆୟୋଗ ଅନୁମୋଦନ ଦେଉନଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ‘ଓଡ଼ିଶା ରିପୋର୍ଟର’କୁ ପ୍ରତିକ୍ରିୟା ଦେଇ ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି ଯେ, ମହାନଦୀ ଟ୍ରିବ୍ୟୁନାଲ ଅବଧିକୁ ଏକକାଳୀନ ୨ବର୍ଷ ବୃଦ୍ଧି କରାଯିବା ଉଚିତ୍ ହୋଇନି । ଏହା ଦ୍ୱାରା ଓଡ଼ିଶାବାସୀଙ୍କ ଧୈର୍ଯ୍ୟ ଚ୍ୟୁତି ଘଟିବ। ଟ୍ରିବ୍ୟୁନାଲରେ ଓଡ଼ିଶା ସରକାର ଅନେକ ବଳିଷ୍ଠ ଯୁକ୍ତି ରଖିଥିଲେ ମଧ୍ୟ ଅନ୍ତରୀଣ ରିହାତି ମିଳିଲା ନାହିଁ। ଏପରିକି ରାୟକୁ ଟ୍ରିବ୍ୟୁନାଲ ଝୁଲାଇ ରଖିଲେ, କ’ଣ ହେଲା କିଛି ବୁଝି ହେଲାନି । ଟ୍ରିବ୍ୟୁନାଲର ଅବଧି ଏକକାଳୀନ ୨ବର୍ଷ ବୃଦ୍ଧି କରି କେବଳ ସମୟ ଗଡ଼ାଇବାକୁ ପ୍ରୟାସ ହେଉଛି ।
ସଂଘୀୟ ବ୍ୟବସ୍ଥାରେ ଓଡ଼ିଶା ପ୍ରତି ‘ବିଶ୍ୱାସ ଭଙ୍ଗ’ ହେଲା ଭଳି କାର୍ଯ୍ୟ ହେଉଛି। ମହାନଦୀ ଉପରମୁଣ୍ଡରେ ପ୍ରକଳ୍ପ ନିର୍ମାଣ ପାଇଁ ଛତିଶଗଡ଼କୁ ଅନୁମତି ଦିଆଯାଉଥିବାବେଳେ ତଳମୁଣ୍ଡରେ ଓଡ଼ିଶାର ପ୍ରକଳ୍ପକୁ ଟ୍ରିବ୍ୟୁନାଲରେ ମାମଲା ଥିବା ଦର୍ଶାଇ କେନ୍ଦ୍ରୀୟ ଜଳ ଆୟୋଗ ଅନୁମତି ଦେଉନାହାନ୍ତି। ତେଣୁ ମହାନଦୀ ଜଳବିବାଦର ତୁରନ୍ତ ସମାଧାନ ହେବା ଜରୁରୀ ବୋଲି ଓଡ଼ିଶା ଦାବି କରୁଥିବା ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି।