ସାଗରମାଳା ପ୍ରକଳ୍ପ: ଓଡ଼ିଶାକୁ ୬୩ହଜାର କୋଟି ଟଙ୍କା, ୧୬ ପ୍ରୋଜେକ୍ଟ କାମ ଶେଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ନିଜର ମହତ୍ୱାକାଂକ୍ଷା ସାଗରମାଳା କାର୍ଯ୍ୟକ୍ରମରେ ଓଡ଼ିଶାକୁ ମୋଟ ୫୪ଟି ପ୍ରକଳ୍ପ ପାଇଁ ୬୩ହଜାର କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଥିରୁ ଏପର୍ଯ୍ୟନ୍ତ ୬୫୬୦କୋଟି ଟଙ୍କାର ୧୬ଟି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିବାବେଳେ ୨୧ଟି ପ୍ରକଳ୍ପ କାର୍ଯ୍ୟ ବିଭିନ୍ନ ପର୍ଯ୍ୟାୟରେ ଓ ବାକି ୧୭ଟି ପ୍ରକଳ୍ପ ଖୁବଶୀଘ୍ର ହାତକୁ ନିଆଯିବ ବୋଲି କେନ୍ଦ୍ର ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ସୂଚନା ଦେଇଛନ୍ତି। ରାଜ୍ୟସଭାରେ […]

odisha

Ordigital Desk
  • Published: Wednesday, 16 March 2022
  • , Updated: 16 March 2022, 10:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ନିଜର ମହତ୍ୱାକାଂକ୍ଷା ସାଗରମାଳା କାର୍ଯ୍ୟକ୍ରମରେ ଓଡ଼ିଶାକୁ ମୋଟ ୫୪ଟି ପ୍ରକଳ୍ପ ପାଇଁ ୬୩ହଜାର କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଥିରୁ ଏପର୍ଯ୍ୟନ୍ତ ୬୫୬୦କୋଟି ଟଙ୍କାର ୧୬ଟି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିବାବେଳେ ୨୧ଟି ପ୍ରକଳ୍ପ କାର୍ଯ୍ୟ ବିଭିନ୍ନ ପର୍ଯ୍ୟାୟରେ ଓ ବାକି ୧୭ଟି ପ୍ରକଳ୍ପ ଖୁବଶୀଘ୍ର ହାତକୁ ନିଆଯିବ ବୋଲି କେନ୍ଦ୍ର ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ସୂଚନା ଦେଇଛନ୍ତି।

ରାଜ୍ୟସଭାରେ ଏ ନେଇ ସୂଚନା ଦେଇ ଶ୍ରୀ ସୋନୋୱାଲ କହିଛନ୍ତି ଯେ, ସାଗରମାଳା କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡ଼ିଶାରେ ବନ୍ଦର ଉନ୍ନୀତିକରଣ, ବନ୍ଦର ସଂଯୋଗୀକରଣ, ବନ୍ଦରଭିତ୍ତିକ ଶିଳ୍ପାୟନ, ଉପକୂଳରେ ଗୋଷ୍ଠୀଗତ ବିକାଶ, ଉପକୂଳ ଜାହାଜ ଚଳାଚଳ ଓ ଆନ୍ତଃ ଜଳପଥ କ୍ଷେତ୍ରରେ ୫୪ଟି ପ୍ରକଳ୍ପ କାର୍ଯ୍ୟ ଚାଲିଛି। ଏହି ପ୍ରକଳ୍ପଗୁଡ଼ିକ ବିଭିନ୍ନ ବନ୍ଦର, କେନ୍ଦ୍ରୀୟ ମନ୍ତ୍ରଣାଳୟ, ଭାରତୀୟ ରେଳପଥ, ଜାତୀୟ ରାଜପଥ ପ୍ରାଧିକରଣ ଓ ବିଭିନ୍ନ ରାଜ୍ୟ ଏଜେନ୍ସୀ ଦ୍ୱାରା କାର୍ଯ୍ୟକାରୀ ହେଉଛି । ଉପକୂଳ ଅଂଚଳରେ ସାମଗ୍ରିକ ଅଭିବୃଦ୍ଧି ଓ ସମୃଦ୍ଧି ପାଇଁ ମନ୍ତ୍ରଣାଳୟ ଦ୍ୱାରା ସାଗରତ୍ର ସମୃଦ୍ଧି ଯୋଜନାର ପରିକଳ୍ପନା କରାଯାଇଛି। ଯାହାକି ସମସ୍ତ ଷ୍ଟେକ ହୋଲଡରଙ୍କ ସହ ବିଚାରବିମର୍ଶ କରାଯାଇ କାର୍ଯ୍ୟକାରୀ କରାଯାଉଛି। ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ଉପକୂଳ ଅଂଚଳରେ ଆର୍ଥିକ ଗତିବିଧିକୁ ପ୍ରୋତ୍ସାହନ ମିଳିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ।

ଏହି ସାଗରମାଳା କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଏବେସୁଦ୍ଧା ମୋଟ ୬୫୬୦କୋଟି ଟଙ୍କାର ୧୬ଟି ପ୍ରକଳ୍ପ କାର୍ଯ୍ୟ ଶେଷ କରିସାରିଲେଣି । ସେଥିରେ ସୁକିନ୍ଦା ରୋଡରୁ ଜଖପୁରା ତୃତୀୟ ରେଳଲାଇନ୍‌, ଯାଜପୁର ଓ ସୁକିନ୍ଦା ରୋଡ୍ ଷ୍ଟେସନ ମଧ୍ୟରେ ନୂଆ ରେଳଲାଇନ୍ ବ୍ରିଜ୍ , ଜଖପୁରା ଓ ହରିଦାସପୁର ମଧ୍ୟରେ ତୃତୀୟ ରେଳଲାଇନ, ରଜତଗଡ଼ ଓ ବାରଙ୍ଗ ମଧ୍ୟରେ ଦ୍ୱିତୀୟ ରେଳଲାଇନ୍ , ଝାରସୁଗୁଡ଼ା ଓ ବରପାଲି ମଧ୍ୟରେ ନୂଆ ରେଳଲାଇନ, ପାରାଦୀପ-ହରିଦାସପୁର ନୂଆ ରେଳ ଲାଇନ, ପାରାଦୀପଠାରେ ମହାନଦୀ ମୁହାଣ ଖନନ, ପାରାଦୀପ ବନ୍ଦରରେ ଆଇଡବ୍ଲ୍ୟୁୟୁଟି ଟର୍ମିନାଲ ବିକାଶ ଆଦି ପ୍ରକଳ୍ପ କାର୍ଯ୍ୟ ସାମିଲ ରହିଛି ।

ସେହିପରି ଅନ୍ୟ ୩୧୮୯୬କୋଟି ଟଙ୍କାର ୨୧ଟି ପ୍ରକଳ୍ପ କାର୍ଯ୍ୟ ଏବେ ବିଭିନ୍ନ ପର୍ଯ୍ୟାୟରେ ଚାଲିଥିବାବେଳେ ୨୪୭୦୦କୋଟି ଟଙ୍କାର ୧୭ଟି ପ୍ରକଳ୍ପ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ ବୋଲି ମନ୍ତ୍ରୀ ଶ୍ରୀ ସୋନୋୱାଲ ସୂଚନା ଦେଇଛନ୍ତି ।

Related story