ଚାନ୍ଦୁଆ ଦେଖାଇଲା ଆତ୍ମନିର୍ଭରଶୀଳତାର ରାସ୍ତା, ମାସକୁ ମହିଳା କମାଉଛନ୍ତି ୭ରୁ ୮ ହଜାର ଟଙ୍କା

ଜଳେଶ୍ୱର (ଅଜିତ କୁମାର ଦାସ):  ଆଉ ଘରର ଚାରିକାନ୍ଥ ଭିତରେ ସିମିତ ନାହାନ୍ତି ମହିଳା। ନୂଆ ଆଶା ଆଉ ପରିଚୟ ପାଇଁ ସେମାନେ ଏବେ ପଦାକୁ ଗୋଡ କାଢିଛନ୍ତି। ପରିବାରର ସୁଖ ଦୁଃଖରେ ସହଭାଗିତା ହୋଇ ଆର୍ଥ ଉପାର୍ଜନ କରୁଛନ୍ତି। ସଶକ୍ତ, ସମ୍ପୃଦ୍ଧ ଓ ଆତ୍ମନିର୍ଭରଶୀଳର ଉଦାହରଣ ସୃଷ୍ଟି କରିଛନ୍ତି ମା’ ଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ। ମହିଳାଙ୍କୁ ସ୍ୱାବଲମ୍ୱି କରିବା ପାଇଁ ବାଲେଶ୍ୱର ବାଲିଆପାଳ ବ୍ଲକ ଶ୍ରୀରାମପୁର ପଞ୍ଚାୟତରେ ୬ ଟି ସ୍ୱୟଂସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି) […]

chandua.jpg1

Manoranjan Sial
  • Published: Friday, 21 February 2020
  • , Updated: 21 February 2020, 06:13 PM IST

ଜଳେଶ୍ୱର (ଅଜିତ କୁମାର ଦାସ):  ଆଉ ଘରର ଚାରିକାନ୍ଥ ଭିତରେ ସିମିତ ନାହାନ୍ତି ମହିଳା। ନୂଆ ଆଶା ଆଉ ପରିଚୟ ପାଇଁ ସେମାନେ ଏବେ ପଦାକୁ ଗୋଡ କାଢିଛନ୍ତି। ପରିବାରର ସୁଖ ଦୁଃଖରେ ସହଭାଗିତା ହୋଇ ଆର୍ଥ ଉପାର୍ଜନ କରୁଛନ୍ତି। ସଶକ୍ତ, ସମ୍ପୃଦ୍ଧ ଓ ଆତ୍ମନିର୍ଭରଶୀଳର ଉଦାହରଣ ସୃଷ୍ଟି କରିଛନ୍ତି ମା’ ଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ।

ମହିଳାଙ୍କୁ ସ୍ୱାବଲମ୍ୱି କରିବା ପାଇଁ ବାଲେଶ୍ୱର ବାଲିଆପାଳ ବ୍ଲକ ଶ୍ରୀରାମପୁର ପଞ୍ଚାୟତରେ ୬ ଟି ସ୍ୱୟଂସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି) ଗଠନ କରାଯାଇଥିଲା। ଏହି ୬ଟି ଏସ୍‌ଏଚ୍‌ଜି ଗୋଷ୍ଠୀର ୪୦ ଜଣ ମହିଳା ମିଶି ୨୦୦୯ ମସିହାରେ ଗଠନ କରିଥିଲେ ‘ମାଆ ଲକ୍ଷ୍ମୀ ଗ୍ରୁପ୍‌’। ପ୍ରତ୍ୟେକ ମହିଳା ମାସିକ ୨୦୦ ଟଙ୍କା ଓ ଜିଲ୍ଲା ଶିଳ୍ପ କେନ୍ଦ୍ର(ସିଆଇସି)ରୁ ଋଣ ନେଇ କାମ ଆରମ୍ଭ କରିଥିଲେ। ନିଜର ପାରିବାରିକ ଜଞ୍ଜାଳ ଭିତରେ ମହିଳାମାନେ କପଡାରୁ ବିଭିନ୍ନ ସରଞ୍ଜାମ ତିଆରି କରି ସ୍ୱାବଲମ୍ୱି ହୋଇଛନ୍ତି। କପଡ଼ାରେ ଚାନ୍ଦୁଆ, ଝୁମର, ଝାଲେରି, ଗାନ୍ଧୀ ବ୍ୟାଗ, ଲାପ୍‌ଟପ୍‌ ବ୍ୟାଗ ପ୍ରଭୃତି ତିଆରି କରି ପିପିଲି ଓ ଭୁବନେଶ୍ୱର ରେ ଥିବା ଉତ୍କଳିକା ସୋ ରୁମ୍‌ରେ ବିକ୍ରି କରୁଛନ୍ତି। ଏହାର ଚାହିଦା ଭଲ ଥିବାରୁ ପଡୋଶୀ ପଶ୍ଚିମବଙ୍ଗର ଦୀଘା, କଲିକତା ଓ ଖଡ଼ଗପୁରରେ ମଧ୍ୟ ବିକ୍ର କରାଯାଉଛି। ଏହାଛଡ଼ା ସ୍ଥାନୀୟ ବଜାର, ବାଣିଜ୍ୟ ମେଳା, ବିଭିନ୍ନ ମନ୍ଦିର ଓ ଘରୋଇ ଅନୁଷ୍ଠାନଠାରୁ  ଅର୍ଡର ପାଇ ତିଆରି କରି ଯୋଗାଉଛନ୍ତି।

ଏବେ ମହିଳାମାନେ ମାସକୁ ୭ରୁ ୮ ହଜାର ଟଙ୍କା ରୋଜଗାର କରୁଛନ୍ତି। ଏହାଛଡ଼ା ଅଜଥା ସମୟ କାଟୁଥିବା ମହିଳାମାନେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ଚାନ୍ଦୁଆ ତିଆରି ପାଇଁ କଲିକତା ଓ ପିପିଲିରୁ କଞ୍ଚାମାଲ ଆଣିଥାନ୍ତି। ଗୋଟିଏ ୫/୫ ଫୁଟ୍‌ର ହାତବୁଣା ଚାନ୍ଦୁଆ ପାଇଁ ୧୦୦୦ ରୁ ୧୨୦୦ ଟଙ୍କା ଖର୍ଚ୍ଚ ହୋଇଥାଏ। ଏହାକୁ ୧୮୦୦ ରୁ ୨୦୦୦ ଟଙ୍କାରେ ବିକ୍ରି କରାଯାଉଛି। ସେହିପରି ମେଶିନ୍‌ ବୁଣା ଚାନ୍ଦୁଆ ପାଇଁ ୬୦୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୧୨ରୁ ୧୫୦୦ ଟଙ୍କରେ ବିକ୍ରି ହେଉଛି। ଗନ୍ଧୀ ବ୍ୟାଗ ତିଆରି ପାଇଁ ୬୫ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୧୧୦ ଟଙ୍କାରେ ମିକ୍ରି ହେଉଛି।

ଗ୍ରୁପ୍‌ର ସଭାପତି ଚନ୍ଦ୍ରକାନ୍ତି ଜେନା କହିଛନ୍ତି, ସରକାର ଯଦି ସହାୟତାର ହାତ ବଢାନ୍ତି, ତେବେ ବ୍ୟାଙ୍କ ଏବଂ ଓରମାସରୁ ଋଣ ଆଣି ସଂସ୍ଥାକୁ ଅଧିକ ବଢାଇବା ସହିତ ଅଧିକ ମହିଳାମନଙ୍କୁ ନିଯୁକ୍ତି ଦେଇପାରନ୍ତେ।

Related story