ଓକିଲଙ୍କୁ ଆକ୍ରମଣ ଘଟଣା: ଏସସିବିର ୭ ଡାକ୍ତରଙ୍କ ବିରୋଧରେ ଚାର୍ଜଶିଟ୍‌

 କଟକ(ଓଡ଼ିଶା ରିପୋର୍ଟର): ଜଣେ ଆଇନଜୀବୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିବା ତଥା ହତ୍ୟା ଧମକ ଦେଇଥିବା ମାମଲାରେ କଟକ SCB ମେଡିକାଲ କଲେଜର ୭ ଜଣ ଡାକ୍ତରଙ୍କ ନାଁରେ ଚାର୍ଜଶିଟ୍‌ ଦାଖଲ ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଚାର୍ଜଶିଟ୍‌ ଦାଖଲ କରିଛି ମଙ୍ଗଳାବାଗ ପୁଲିସ୍।       ସୂଚନା ଅନୁଯାୟୀ, ଗତବର୍ଷ ଅକ୍ଟୋବର ୨୧ରେ ସପନ କୁମାର ପାଲ ନାମକ ଆଇନଜୀବୀ ନିଜ ସମ୍ପର୍କୀୟଙ୍କୁ ନେଇ ଏସ୍‌ସିବିର ସ୍ପେଶାଲ ଓପିଡ଼ିକୁ ଯାଇଥିଲେ। ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଓପିଡି […]

doctor

Niharika Rout
  • Published: Monday, 23 May 2022
  • , Updated: 23 May 2022, 02:43 PM IST

 କଟକ(ଓଡ଼ିଶା ରିପୋର୍ଟର): ଜଣେ ଆଇନଜୀବୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିବା ତଥା ହତ୍ୟା ଧମକ ଦେଇଥିବା ମାମଲାରେ କଟକ SCB ମେଡିକାଲ କଲେଜର ୭ ଜଣ ଡାକ୍ତରଙ୍କ ନାଁରେ ଚାର୍ଜଶିଟ୍‌ ଦାଖଲ ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଚାର୍ଜଶିଟ୍‌ ଦାଖଲ କରିଛି ମଙ୍ଗଳାବାଗ ପୁଲିସ୍।      

ସୂଚନା ଅନୁଯାୟୀ, ଗତବର୍ଷ ଅକ୍ଟୋବର ୨୧ରେ ସପନ କୁମାର ପାଲ ନାମକ ଆଇନଜୀବୀ ନିଜ ସମ୍ପର୍କୀୟଙ୍କୁ ନେଇ ଏସ୍‌ସିବିର ସ୍ପେଶାଲ ଓପିଡ଼ିକୁ ଯାଇଥିଲେ। ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଓପିଡି ଖୋଲା ରହିବା ନିମନ୍ତେ ସମୟ ନିର୍ଦ୍ଧାରିତ ହୋଇଥିବା ବେଳେ ଏହା ପୂର୍ବରୁ ତାହାକୁ ବନ୍ଦ କରି ଦିଆଯାଇଥିଲା। ଆଇନଜୀବୀ ସପନ କୁମାର ଏହାର ତୀବ୍ର  ପ୍ରତିବାଦ କରିଥିଲେ। ଏଥିସହ ବାହାରେ ଅନେକ ରୋଗୀ ଅପେକ୍ଷା କରିଥିବା ବେଳେ କିପରି ଓପିଡି ବନ୍ଦ କରାଗଲା ବୋଲି ପ୍ରଶ୍ନ ପଚାରିଥିଲେ।

ଏହି ଘଟଣାକୁ ନେଇ ସେଠାରେ ଉପସ୍ଥିତ ଜୁନିୟର ଡାକ୍ତରଙ୍କ ସହ ତାଙ୍କର ବଚସା ହୋଇଥିଲା। ଏହା କ୍ରମଶଃ ଉଗ୍ର ରୂପ ଧାରଣ କରିବାରୁ ଉଭୟ ପକ୍ଷ ମଧ୍ୟରେ ବଚସା, କଥା କଟାକଟି ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ଜୁନିୟର ଡାକ୍ତରମାନେ ତାଙ୍କୁ ଟେକି ନେଇ ଏକ ରୁମ୍‌ରେ ବନ୍ଦ କରି ଦେବା ସହ ପ୍ରବଳ ପିଟିଥିଲେ। ଏପରିକି ମେଡିକାଲ କ୍ୟାମ୍ପସ୍‌ରୁ ବଞ୍ଚିକି ବାହାରକୁ ଯାଇପାରିବୁନି ବୋଲି ଧମକ ବି ଦେଇଥିଲେ। ଖବର ପାଇ ପୁଲିସ୍‌ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରିଥିଲା।

ଏନେଇ ସପନ ପାଲ ମଙ୍ଗଳାବାଗ ଥାନାରେ ୧୨ ଜଣଙ୍କ ନାଁରେ ଅଭିଯୋଗ କରିଥିଲେ। ମାତ୍ର ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ମାମଲାର ତଦନ୍ତ ପାଇଁ କଟକ ଡିସିପିଙ୍କୁ ନିର୍ଦ୍ଦେଶ ଦେଲେ। ଏସସିବି କର୍ତ୍ତୃପକ୍ଷ ସହଯୋଗ କରୁ ନ ଥିବା ତଥା ସିସିଟିଭି ଫୁଟେଜ ଦେଉ ନ ଥିବା ଡିସିପି ହାଇକୋର୍ଟଙ୍କୁ ଅବଗତ କରିଥିଲେ। ଏହା ସତ୍ତ୍ୱେ ତୁରନ୍ତ ଏହି ଘଟଣାର ଚାର୍ଜଶିଟ୍‌ ଯଥାଶୀଘ୍ର ଦାଖଲ କରିବାକୁ ହାଇକୋର୍ଟ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପୁଲିସ୍‌ ଆଖପାଖରେ ଥିବା ସିସିଟିଭି ଫୁଟେଜ ତଥା ପାରିପାର୍ଶ୍ୱିକ ପ୍ରମାଣ ଓ ସାକ୍ଷ୍ୟ ଯୋଗାଡ଼ କରି ୭ ଜଣ ଡାକ୍ତରଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରିଛି। ସେମାନଙ୍କ ବିରୋଧରେ ହତ୍ୟା ଧମକ,  ଅପହରଣ କରିବା, ସଂଘବଦ୍ଧ ଭାବେ ମାରପିଟ କରିବା ଆଦି ସଙ୍ଗୀନ ଅଭିଯୋଗ ରହିଛି। ୭ ଜଣ ଡାକ୍ତରଙ୍କ ବିରୋଧରେ ପୁଲିସ୍‌ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିବା ବେଳେ ଏହି ଆଧାରରେ ତଦନ୍ତ ପ୍ରକ୍ରିୟା ଆଗେଇବ। ଅଭିଯୁକ୍ତ ଡାକ୍ତରମାନଙ୍କୁ କୋର୍ଟରେ ହାଜର ହେବାକୁ ପଡ଼ିବ ଓ ଶୁଣାଣି ଚାଲିବ ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ।

Related story