ଅପରାଧୀ ଚାଲାକ୍‌ ହେଲେ ବି ଛାଡ଼ିଯାଏ ସୁରାକ...

ସମ୍ୱଲପୁର(ଓଡ଼ିଶା ରିପୋର୍ଟର): କୁହାଯାଏ, ଅପରାଧୀ ଯେତେ ଚାଲାକ ହେଉନା କାହିଁକି, କେଉଁଠି ନା କେଉଁଠି ଛାଡ଼ିଦେଇଥାଏ ତା’ ଅପରାଧର ସୁରାକ। ଝାରସୁଗୁଡ଼ାର ପ୍ରଭାବଶାଳୀ ନେତା ଅନୁପ ସାଏଙ୍କ କ୍ଷେତ୍ରରେ ମଧ୍ୟ ଠିକ ସେଇଆ ଘଟିଛି। ତେବେ ଡବଲ ମର୍ଡରର ପର୍ଦ୍ଦାଫାସ୍ କରିବା ପାଇଁ ପୁଲିସକୁ ଘୁରିବାକୁ ପଡ଼ିଥିଲା ୬ଟି ରାଜ୍ୟ। ୭୦୦ ଲୋକଙ୍କୁ କରିବାକୁ ପଡ଼ିଥିଲା ପଚରାଉଚରା। ଆଉ ସେହି ରହସ୍ୟଜନକ ହତ୍ୟାକାଣ୍ଡର ଖୁଲାସା କରିବାକୁ ଲାଗିଥିଲା ପ୍ରାୟ ୪ ବର୍ଷ। ତେବେ ଖଳନାୟକ ଅନୁପ ସାଏଙ୍କ […]

anupkalpana

Manoranjan Sial
  • Published: Friday, 14 February 2020
  • , Updated: 15 February 2020, 08:46 AM IST

ସମ୍ୱଲପୁର(ଓଡ଼ିଶା ରିପୋର୍ଟର): କୁହାଯାଏ, ଅପରାଧୀ ଯେତେ ଚାଲାକ ହେଉନା କାହିଁକି, କେଉଁଠି ନା କେଉଁଠି ଛାଡ଼ିଦେଇଥାଏ ତା’ ଅପରାଧର ସୁରାକ। ଝାରସୁଗୁଡ଼ାର ପ୍ରଭାବଶାଳୀ ନେତା ଅନୁପ ସାଏଙ୍କ କ୍ଷେତ୍ରରେ ମଧ୍ୟ ଠିକ ସେଇଆ ଘଟିଛି। ତେବେ ଡବଲ ମର୍ଡରର ପର୍ଦ୍ଦାଫାସ୍ କରିବା ପାଇଁ ପୁଲିସକୁ ଘୁରିବାକୁ ପଡ଼ିଥିଲା ୬ଟି ରାଜ୍ୟ। ୭୦୦ ଲୋକଙ୍କୁ କରିବାକୁ ପଡ଼ିଥିଲା ପଚରାଉଚରା। ଆଉ ସେହି ରହସ୍ୟଜନକ ହତ୍ୟାକାଣ୍ଡର ଖୁଲାସା କରିବାକୁ ଲାଗିଥିଲା ପ୍ରାୟ ୪ ବର୍ଷ। ତେବେ ଖଳନାୟକ ଅନୁପ ସାଏଙ୍କ ପାଖରେ କେମିତି ପହଞ୍ଚିଥିଲା ପୁଲିସ, ଦେଖନ୍ତୁ ଏହି ରିପୋର୍ଟରେ।

ବିଜେଡିର ପୂର୍ବତନ ନେତା ଅନୁପ ସାଏ। ଗିରଫ ପରେ ମୁଣ୍ଡ ନୁଆଁଇ ଶାନ୍ତ ଆଉ ସୁଧାର ଭାବେ ଛିଡ଼ା ହୋଇଛନ୍ତି। ଯାହାଙ୍କୁ ବୀଭତ୍ସ ଆଉ ବର୍ବରକାଣ୍ଡର ଖଳନାୟକ ବୋଲି ଦର୍ଶାଇଛି ଛତିଶଗଡ଼ ପୁଲିସ। ଯିଏ ବୀଭତ୍ସ ଭାବେ କଳ୍ପନା ଦାଶ ଓ ଝିଅ ପ୍ରଭାତୀଙ୍କୁ ମାରିଥିଲେ। ହେଲେ ଅନୁପ ସାଏଙ୍କ ସଂପୃକ୍ତିର ପ୍ରମାଣ ଖୋଜିବାକୁ ପୁଲିସ ପାଇଁ ବଡ଼ ଚାଲେଞ୍ଜ ସୃଷ୍ଟି କରିଥିଲା। କାରଣ ପ୍ରାଥମିକ ଅବସ୍ଥାରେ ନା କୌଣସି ସୁରାଗ ଥିଲା ନା ଥିଲେ କୌଣସି ସାକ୍ଷୀ। ଫଳରେ ପୁଲିସକୁ ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ବିହାର ଓ ମହାରାଷ୍ଟ୍ର ଯାଇ ଖୋଳତାଡ଼ କରିବାକୁ ପଡ଼ିଥିଲା। ତାହାରି ଭିତରେ ବିଭିନ୍ନ ଥାନାରେ ମୃତକଙ୍କ ଫଟୋ ଜାରି କରି ୭୦୦ ଲୋକଙ୍କୁ ପଚରାଉଚରା କରିଥିଲା ପୁଲିସ। ଆଉ ଏସବୁ ଭିତରେ ବ୍ରଜରାଜନଗର ଥାନାରେ କନେଷ୍ଟବଳ ଭାବେ ନିଯୁକ୍ତ ସରୋଜ ଦାସ ଫଟୋ ଦେଖି ମୃତକମାନେ ତାଙ୍କ ସମ୍ପର୍କୀୟ ବୋଲି ଚିହ୍ନଟ କରି ପୁଲିସକୁ ଜଣାଇଥିଲେ।

ମୃତ କଳ୍ପନାଙ୍କ ସମ୍ପର୍କୀୟ ଭାଇଙ୍କ ଜରିଆରେ ପରିବାର ଲୋକଙ୍କ ପାଖରେ ପହଞ୍ଚି ତଥ୍ୟ ସଂଗ୍ରହ କଲା ପୁଲିସ। ତା’ସହ କଳ୍ପନାଙ୍କ ମୋବାଇଲ୍‌ କଲ୍‌ ଡିଟେଲରୁ ମିଳିଥିଲା ଚାଞ୍ଚଲ୍ୟକର ତଥ୍ୟ। ଆଉ ସାମ୍ନାକୁ ଆସିଥିଲା ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଲିଙ୍କ। ଆଉ ଅନୁପଙ୍କୁ ସ୍କାନରରେ ରଖି ପୁଲିସ ଖୋଳତାଡ଼ କରିଥିଲା। ସେହିପରି ମୋବାଇଲ୍‌ କଲ୍‌ ଡିଟେକ୍ଟରୁ ପୁଲିସକୁ ମିଳିଥିଲା ଗୁରୁତ୍ୱପୂର୍ଣ୍ଣ ସୁରାକ।

ଅନୁପ ସାଏ ଦୁଇ ଦୁଇଟି ନମ୍ବର ବ୍ୟବହାର କରୁଥିଲେ। ଗୋଟିଏ ନମ୍ବରକୁ କେବଳ କଳ୍ପନାଙ୍କ ସହ କଥା ହେବାକୁ ବ୍ୟବହାର କରୁଥିଲେ। ସେହିପରି ଅନ୍ୟ ଏକ ନମ୍ବରରେ ହତ୍ୟା ପୂର୍ବରୁ ସେମାନେ କୁଆଡ଼େ ଯିବେ? କେମିତି ଯିବେ? ସେ ସମ୍ପର୍କରେ ଡ୍ରାଇଭର ବର୍ମନ ଟପ୍ପୋ ସହ କଥାବାର୍ତ୍ତାର ଡିଟେଲ୍‌ସ ପାଇଥିଲା ରାୟଗଡ଼ ଏସ୍‌ପି ସନ୍ତୋଷ କୁମାର ସିଂ କହିଛନ୍ତି।

ତେବେ ତଥ୍ୟ ମିଳିବା ପରେ ହାଜର ପାଇଁ ଅନୁପ ସାଏଙ୍କୁ ନୋଟିସ୍ କରାଯାଉଥିଲା। ହେଲେ ରାଜନୈତିକ ପତିଆରା ଦେଖାଇ ସେ ହାଜର ହେଉନଥିବା ପୁଲିସ କହିଛି। ଏହା ଭିତରେ ପୋଷ୍ଟମର୍ଟମ ରିପୋର୍ଟରେ ଉଭୟଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ପରେ ଗାଡ଼ି ଚଢାଯାଇଥିବା ସ୍ପଷ୍ଟ ହେବାରୁ ପକ୍କା ପ୍ରମାଣ ଯୋଗାଡ଼ରେ ପୁଲିସ ଲାଗି ପଡିଥିଲା। ଗତ ୬ ମାସ ଧରି ଗୁପ୍ତ ଭାବେ ରୀତିମତ ଅନୁପଙ୍କ ପିଛା କରିବା ପରେ ଶେଷରେ ତାଙ୍କୁ ରାତି ଅଧିଆ ଉଠାଇ ଆଣି ସତ ଓଗାଳିଥିଲା ପୁଲିସ୍।

Related story