ପୁରୀ(ଓଡ଼ିଶା ରିପୋର୍ଟର): କୋଟି ଓଡ଼ିଆଙ୍କ ତ୍ରାଣକର୍ତ୍ତା ମହାପ୍ରଭୁଙ୍କ ରୋଷଶାଳାରେ ଦୁର୍ବୃତ୍ତ ପଶି ଭାଙ୍ଗି ଦେଲେ ଚୁଲି। ଆଉ ଏକଥା ଜାଣିପାରିଲା ନାହିଁ ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲା ପ୍ରଶାସନ। ୨୪ ଘଣ୍ଟା ଧରି ହୋ-ହଲ୍ଲା ପରେ ସନ୍ଧ୍ୟା ବେଳେ ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲେ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର ଓ ଡିଜିପି ସୁନୀଲ୍ ବଂଶଲ। ଉଭୟ ଶ୍ରୀମନ୍ଦିର ରୋଷଘର ନିକଟ ଅଗଣା ପର୍ଯ୍ୟନ୍ତ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ।
ସ୍ଥିତି ପରଖିବା ପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗଣମାଧ୍ୟମକୁ କହିଥିଲେ-“ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଁ ଓ ଡିଜିପି ଶ୍ରୀମନ୍ଦିର ରୋଷ ଘର ପାଖକୁ ଯାଇ ଅନୁଧ୍ୟାନ କଲୁ। ଆମ ସହିତ ସବୁ ସେବାୟତମାନେ ଯାଇଥିଲେ। ଗତକାଲି ଘଟଣାରେ ଅଭିଯୁକ୍ତ କେମିତି ଚିହ୍ନଟ ହୋଇପାରିବ, ତାହା ଉପରେ ତର୍ଜମା ଚାଲିଛି। ଏନେଇ ସିଂହଦ୍ୱାର ଥାନାରେ ଏକ ଏଫ୍ଆଇଆର୍ ଦିଆଯାଇଛି।”
ସେ କହିଥିଲେ- “ସିସିଟିଭିରେ କିଛି ସୁରାକ ମିଳିଛି। ଡ୍ୟୁଟିରେ ଥିବା ଜେଟିପିମାନଙ୍କୁ ପଚରାଉଚରା ଚାଲିଛି। ମୁଁ ଆଶା କରୁଛି ଖୁବ୍ଶୀଘ୍ର ଅଭିଯୁକ୍ତ ଧରାପଡ଼ିବ। ନିଷ୍ପତ୍ତି ଅନୁସାରେ ରାତିରେ ଜେଟିପି ସହିତ ଓଡ଼ିଶା ପୁଲିସ୍ ରହିବେ। ରାତିରେ ଯେପରି ଶ୍ରୀମନ୍ଦିର ଭିତରେ କେହି ରହି ନଯିବେ, ସେମାନେ ତନ୍ନତନ୍ନ କରି ଯାଞ୍ଚ କରିବେ। ଯେଉଁ ସ୍ଥାନରେ ସିସିଟିଭି ନାହିଁ, ସେଠାରେ ଲଗାଇବା ପାଇଁ ବ୍ୟବସ୍ଥା କରାଯିବ। ୨୪ ଘଣ୍ଟା ସିସିଟିଭି ମନିଟର କରାଯିବ। ଭବିଷ୍ୟତରେ ଯେପରି ଏପରି ଘଟଣା ନଘଟିବ, ତାହା ଉପରେ ଧ୍ୟାନ ଦିଆଯିବ।”
ଶ୍ରୀ ମହାପାତ୍ର ଆହୁରି କହିଥିଲେ- “ସିସିଟିଭି ଫୁଟେଜରୁ ଯାହା ଜଣାପଡ଼ୁଛି, ରାତିରେ କେହି ପ୍ରାୟ ରହିଯାଇଥିଲା। ରାତିରେ ସେ ଏମିତି ଘଟଣା କରିଥାଇପାରେ। ପୁଲିସ ତାକୁ ଧରିବାକୁ ଚେଷ୍ଟା କରୁଛି। ଅଭିଯୁକ୍ତ ଧରା ପଡ଼ିଲେ, ପୂରା ଘଟଣା ଉପରୁ ପର୍ଦ୍ଦା ଉଠିବ। ଯାହା ଜଣାପଡୁଛି ଭାଙ୍ଗିବା ପଛରେ କିଛି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ନାହିଁ।’ ଏହା ସହିତ ସୁଆର ଓ ମହାସୁଆର ସେବାୟତଙ୍କ ଭିତରେ ସେମିତି କିଛି ଗଣ୍ଡଗୋଳ ନାହିଁ ବୋଲି ସେ କହିଥିଲେ।
ସେହିପରି ଡିଜିପି ସୁନୀଲ ବଂଶଲ୍ କହିଥିଲେ-“ଏତଲା ପରେ ପୁଲିସ ତଦନ୍ତ ଚଳାଇଛି। ସିସିଟିଭି ଫୁଟେଜର ଫୋରେନ୍ସିକ୍ ଯାଞ୍ଚ କରାଯିବ। ସିସିଟିଭିରେ ଜଣେ ଲୋକ ଦିଶୁଛି। ତାର ପରିଚୟ ଖୋଜାଯିବ। ପରିଚୟ ସହ ଭାଙ୍ଗିବା ପଛରେ ଉଦ୍ଦେଶ୍ୟ ଖୋଜାଯିବ। କ’ଣ ପାଇଁ ସଂପୃକ୍ତ ବ୍ୟକ୍ତି ଚୁଲି ଭାଙ୍ଗିଛି, ତଦନ୍ତ ବେଳେ ଜଣାପଡ଼ିବ। ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରାଯିବ। ନୂଆ ସିସିଟିଭି ଲାଗିବ। ଜେଟିପି ସହ ମନ୍ଦିରରେ ପୁଲିସ ଫୋର୍ସ ମଧ୍ୟ ମୁତୟନ ହେବେ। ଚୁଲି ଭଙ୍ଗା ପଛରେ ଷଡ଼ଯନ୍ତ୍ର ଥିବା ଜଣାପଡ଼ିନି। ତଦନ୍ତରେ ତାହା ସ୍ପଷ୍ଟ ହେବ।”
ରବିବାର ରାତିରେ ଶ୍ରୀମନ୍ଦିର ରୋଷଶାଳାରେ ୮୦ରୁ ଅଧିକ ଚୁଲି ଭାଙ୍ଗି ଦିଆଯାଇଛି। ଯେଉଁଥିପାଇଁ ମହାପ୍ରଭୁଙ୍କ ଅବଢ଼ା ପ୍ରସ୍ତୁତିରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ମହାପ୍ରଭୁଙ୍କ ନୀତିକାନ୍ତିରେ ମଧ୍ୟ ବ୍ୟାଘାତ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ପରେ ପ୍ରଶାସନର ଚେତା ପଶିଥିଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସିଂହଦ୍ୱାର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥିପାଇଁ ପୁରୀ ଏସ୍ପି ୫ ଜଣିଆ ଟିମ୍ ଗଠନ କରିଛନ୍ତି। କିନ୍ତୁ ଅଭିଯୁକ୍ତ ଧରାପଡ଼ି ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।