ତେଲଘଷା ଖାଇ କୁନିଝିଅ ଶୋଇଥିଲା, ହଠାତ ଶେଜରୁ ଗାଏବ

ପାଲଲହଡ଼ା (ରବିନାରାୟଣ ପ୍ରଧାନ): କିଛି ଦିନ ତଳେ ବାଙ୍କୀରେ ଏକ ୧୫ ଦିନର ଛୁଆକୁ ମାଙ୍କଡ଼ ଟେକିନେଇ ଯାଇଥିଲା। ଏହି ଖବର ସମଗ୍ର ରାଜ୍ୟରେ ଆଲୋଡ଼ନ ଖେଳାଇ ଦେଇଥିଲା। ଆଜି ସେମିତି ଏକ ଘଟଣା ଅନୁଗୋଳ ଜିଲ୍ଲାରେ ଘଟିଛି। ୧୨ ଦିନର ଶିଶୁ କନ୍ୟାକୁ ମାଆ ତେଲ ମାରି ଘରେ ଶୋଆଇ ଶୌଚ ପାଇଁ ଯାଇଥିଲେ। ଘରରୁ ଫେରି ଦେଖନ୍ତି ଝିଅ ନାହିଁ। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ କୁକୁର ଛୁଆଟିକୁ ନେଇଥିବା ସନ୍ଦେହ କରାଯାଉଛି।

ପୂରା ଘଟଣା ଏମିତି। ଆଜି ସକାଳେ ଖମାର ଥାନା ଛାଞ୍ଚୁଣିଆ ଗାଁର ଦୁଃଶାସନ ସାହୁଙ୍କ ସ୍ତ୍ରୀ ତାଙ୍କର ୧୨ ଦିନର ଶିଶୁ କନ୍ୟାକୁ ତେଳ ମାରି ବିଛଣାରେ ଶୋଆଇ ଦେଇଥିଲେ। ମାଆଠାରୁ ଘଷା ଖାଇବା ପରେ କୁନି ଝିଅଟି ନିଦ୍ରାରେ ଶୋଇ ଯାଇଥିଲା। ପାଖରେ ବାପା ଦୁଃଶାସନ ମଧ୍ୟ ଶୁଇଥିଲେ। ଝିଅ ଶୋଇଗଲା ପରେ ମାଆ ଶୌଚ ପାଇଁ ନିକଟସ୍ଥ ନଦୀକୁ ଯାଇଥିଲେ ମାଆ। ପରେ ବାପା ଦୁଃଶାସନ ମଧ୍ୟ ବିଛଣା ଛାଡ଼ିଥିଲେ।

ଦୁଃଶାସନଙ୍କ ସ୍ତ୍ରୀ ଶୌଚ ହୋଇ ଘରକୁ ଫେରି ଦେଖନ୍ତି ବିଛଣାରେ ଝିଅ ନାହିଁ। ପଡ଼ି ରହିଛି ତା’ର ବିଛଣା। ଝିଅକୁ ଚାରିଆଡ଼େ ଖୋଜିଥିଲେ। ଏପରିକି ପରିବାର ଲୋକଙ୍କୁ ପଚାରିଥିଲେ। ମାତ୍ର ସମସ୍ତେ ମନା କରିଥିଲେ। ଖବର ପାଇ ଗାଁ ଲୋକେ ମଧ୍ୟ କୁନି ଝିଅକୁ ଘର ବାହାରେ ଖୋଜିଥିଲେ ମଧ୍ୟ ପାଇନଥିଲେ। ଏନେଇ ଖମାର ଥାନାରେ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଗାଁକୁ ଯାଇ ତଦନ୍ତ ଆରମ୍ଭ କରିଛି।