ଯମର ଚକ୍ରାନ୍ତ ବୁଝି ପାରିଲାନି କୁନି ଝିଅ; ଶବ ସହ ତିନି ଦିନ...

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଯମର ଚକ୍ରାନ୍ତ ବୁଝି ପାରିଲାନି କୁନି ଝିଅ! ଶବ ସହ ଶୋଇଥିଲା ତିନି ଦିନ! ସେ ଶବ ନଥିଲା ଆଉ କାହାର। ଥିଲା ତା’ ମାଆର। ମାଆର ଶବ ପାଖରେ ଶୋଇଲା ବେଳେ ଡାକିଥିଲା… ଖାଇବାକୁ ମାଗିଥିଲା… ହେଲେ ମାଆ ଉଠିନଥିଲା କି ଡାକର ଜବାବ ଦେଇନଥିଲା। ଆଜି ହଠାତ୍‌ ମାଆ ପାଟିରୁ ପୋକ ବାହାରୁଥିବା ଦେଖି ପଡ଼ୋଶୀଙ୍କୁ ଡାକି ପକାଇଥିଲା କୁନିଝିଅ। ଆଉ ଏହା ପରେ ପୂରା ଘଟଣା ଉପରୁ ପର୍ଦ୍ଦା ହଟିଥିଲା। […]

Balangir

Manoranjan Sial
  • Published: Monday, 27 December 2021
  • , Updated: 27 December 2021, 08:55 PM IST

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଯମର ଚକ୍ରାନ୍ତ ବୁଝି ପାରିଲାନି କୁନି ଝିଅ! ଶବ ସହ ଶୋଇଥିଲା ତିନି ଦିନ! ସେ ଶବ ନଥିଲା ଆଉ କାହାର। ଥିଲା ତା’ ମାଆର। ମାଆର ଶବ ପାଖରେ ଶୋଇଲା ବେଳେ ଡାକିଥିଲା... ଖାଇବାକୁ ମାଗିଥିଲା... ହେଲେ ମାଆ ଉଠିନଥିଲା କି ଡାକର ଜବାବ ଦେଇନଥିଲା। ଆଜି ହଠାତ୍‌ ମାଆ ପାଟିରୁ ପୋକ ବାହାରୁଥିବା ଦେଖି ପଡ଼ୋଶୀଙ୍କୁ ଡାକି ପକାଇଥିଲା କୁନିଝିଅ। ଆଉ ଏହା ପରେ ପୂରା ଘଟଣା ଉପରୁ ପର୍ଦ୍ଦା ହଟିଥିଲା।

ବଲାଙ୍ଗିର ସହର ଇନ୍ଦିରାନଗର ପଡାର କୁନି ନାଏକ ଲାଲଟିକ୍ରା ପଡାରେ ବିବାହ କରିଥିଲେ। ଝିଅ ଜନ୍ମର କିଛିଦିନ ପରେ ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଥିଲା। ଏହା ପରେ ପରିବାର ଚଳାଇବା ତାଙ୍କ ପକ୍ଷେ କଷ୍ଟକର ହୋଇଥିଲା। ସେଥିପାଇଁ ସେ ପର ଘରେ ଅଇଁଠା ବାସନ ମାଜିବାକୁ ଯାଇଥିଲା। କୁନି ଅଇଁଠା ବାସନ ମାଜୁଥିବାରୁ ଛୁଆଁଅଛୁଆଁ ଅନ୍ଧବିଶ୍ୱାସର ବସବର୍ତ୍ତି ହୋଇଥିଲେ। ଯେଉଁଥିପାଇଁ କୁନିଙ୍କୁ ତାଙ୍କ ବାପ ଘର ଓ ଶାଶୁଘର ଲୋକେ ଘରୁ ତଡିଦେଇଥିଲେ। ଯାହା ଫଳରେ ସେ ସାଗରପଡାର ଶିବମନ୍ଦିର ନିକଟରେ ଥିବା ଶୁଭେନ୍ଦୁ କୁମାର ହୋତାଙ୍କ ଭଡା ଘରେ ନିଜର ୫ ବର୍ଷର ଝିଅ ସହ ରହୁଥିଲେ। ପରଘରେ ବାସନ ମାଜି ଯାହା ଉପାର୍ଜନ କରନ୍ତି, ସେଥିରେ ଚଳୁଥିଲେ ମାଆ ଓ ଝିଅ। କିନ୍ତୁ ଗତ ଦୁଇ ତିନି ଦିନ ଧରି ଘରୁ ବାହାରୁନଥିଲେ କୁନି।

ଆଜି ସକାଳେ ହଠାତ କୁନିଙ୍କ ଝିଅ ପାଖ ପଡୋଶୀଙ୍କୁ ଡାକିଥିଲା। ଆଉ କହିଥିଲା, ମାଆ ପାଟିରୁ ପୋକ ବାହାରୁଛି। ତା’ପରେ ପାଖ ପଡୋଶୀ ଦେଖିବା ପାଇଁ ଘର ଭିତରକୁ ଯାଇଥିଲେ। ଘର ଭିତରକୁ ପଶିବା ମାତ୍ରେ ପଚା ଗନ୍ଧ ବାହାରୁଥିଲା। କୁନି ନାଏକଙ୍କ ପାଟିରୁ ପୋକ ବାହାରୁଥିବା ଦେଖିବାକୁ ପାଇଥିଲେ ପଡ଼ୋଶୀ। ପ୍ରାୟ ୩ ଦିନ ତଳୁ କୁନି ମରିଥିବା ଅନୁମାନ କରାଯାଉଛି।

ମାଆ ମରିଥିଲେ ମଧ୍ୟ ଜାଣିପାରିନଥିଲା କୁନି ଝିଅ। ରୋଗାଗ୍ରସ୍ତ ମାଆ ବଞ୍ଚିଛି ବୋଲି ଭାବି ଜଗି ରହିଥିଲା ଘର ଭିତରେ। ମଝିରେ ମଝିରେ ଘର ବାହାରକୁ ଆସୁଥିଲା। ପଡ଼ୋଶୀ ଯିଏ ଯାହା ଦେଉଥିଲା, ତାକୁ ଖାଇବା ଘର ଭିତକୁ ଚାଲି ଯାଉଥିଲା। ଆଉ ମୃତ ମାଆଙ୍କ ସହିିତ ଶୋଇ ଯାଉଥିଲା। ମାଆକୁ ଅନେକ ଥର ଉଠାଇବାକୁ ଚେଷ୍ଟା କରିଥିଲା କୁନି ଝିଅ। କିନ୍ତୁ ମାଆ ଉଠୁନଥିଲା। ଡାକିଲେ ମଧ୍ୟ ଶୁଣୁନଥିବା କହିଥିଲା କୁନି ଝିଅ।

ମହିଳାଙ୍କ ମୃତ୍ୟୁ ସଂର୍ପକରେ ଖବର ପାଇବା ପରେ ବଲାଙ୍ଗିର ଏସ୍‌ଡିପିଓ ତୋଫାନ ବାଗ, ଟାଉନ ଥାନା ପୁଲିସ ଟିମ୍‌ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘର ଭିତରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା ପୁଲିସ। କିନ୍ତୁ ବର୍ତ୍ତମାନ ସୁଦ୍ଧା ମହିଳାଙ୍କ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ତେବେ ପ୍ରାଥମିକ ତଦନ୍ତରୁ ରୋଗାଗ୍ରସ୍ତ ହୋଇ ମୃତ୍ୟୁବରଣ କରିଥିବା ପୁଲିସ ସନ୍ଦେହ କରୁଛି।

ସେପଟେ ମହିଳାଙ୍କ ମୃତ୍ୟୁ ପରେ ଅସହାୟ ହୋଇଯାଇଛି ପାଂଚ ବର୍ଷର କୁନି ଝିଅ। ଘଟଣା ସଂର୍ପକରେ ଖବର ପାଇଁ ଚାଇଲଡ ଲାଇନର ଦୁଇଜଣିଆ ଟିମ୍‌ ଘଟଣାସ୍ଥଳକୁ ଆସି ତଦନ୍ତ କରୁଛି। କୁନି ଝିଅର ମେଡ଼ିକାଲ୍‌ ଚେକ୍‌ଅପ୍‌ ପରେ ଶିଶୁ ମଂଗଳ କମିଟିରେ ହାଜର କରାଯାଇଛି।

Related story