ସ୍ୱାମୀମାନେ ଫସିଥିଲେ, ଏବେ ପତ୍ନୀଙ୍କ ପାଳି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ୱାମୀମାନେ ଫସି ଥିଲେ। ଏବେ ପତ୍ନୀଙ୍କ ପାଇଁ ପଢ଼ିଲା ଅଡୁଆ। ସିସୋର ଚିଟଫଣ୍ଡ ଠକେଇ ମାମଲାରେ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀ ଓ ଅବସରପ୍ରାପ୍ତ ବରିଷ୍ଠ ଓଏଏସ୍‌ ଅଫିସର ପ୍ରଦୀପ ହୋତାଙ୍କ ପତ୍ନୀ ପ୍ରତିମାଙ୍କ ବିରୋଧରେ ସିବିଆଇ ଆଣିଛି ସାଂଘାତିକ ଅଭିଯୋଗ। ଅପରାଧୀକ ଷଡଯନ୍ତ୍ର ଭଳି ସଂଗୀନ ଅଭିଯୋଗ ଆଣି ଉଭୟଙ୍କ ନାଁରେ ଦାଖଲ କରିଛି ସପ୍ଲିମେଣ୍ଟାରୀ ଚାର୍ଜସିଟ। ସପ୍ଲିମେଣ୍ଟାରୀ ଚାର୍ଜସିଟରେ ଦର୍ଶାଯାଇଛି, ସିସୋରଠାରୁ ପ୍ରଭାତ ବିଶ୍ୱାଳ ନେଇଛନ୍ତି ପ୍ରୋଟେକସନ […]

chitfund scam in odisha

Rakesh Mallick
  • Published: Saturday, 03 February 2018
  • , Updated: 03 February 2018, 08:15 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ୱାମୀମାନେ ଫସି ଥିଲେ। ଏବେ ପତ୍ନୀଙ୍କ ପାଇଁ ପଢ଼ିଲା ଅଡୁଆ। ସିସୋର ଚିଟଫଣ୍ଡ ଠକେଇ ମାମଲାରେ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀ ଓ ଅବସରପ୍ରାପ୍ତ ବରିଷ୍ଠ ଓଏଏସ୍‌ ଅଫିସର ପ୍ରଦୀପ ହୋତାଙ୍କ ପତ୍ନୀ ପ୍ରତିମାଙ୍କ ବିରୋଧରେ ସିବିଆଇ ଆଣିଛି ସାଂଘାତିକ ଅଭିଯୋଗ। ଅପରାଧୀକ ଷଡଯନ୍ତ୍ର ଭଳି ସଂଗୀନ ଅଭିଯୋଗ ଆଣି ଉଭୟଙ୍କ ନାଁରେ ଦାଖଲ କରିଛି ସପ୍ଲିମେଣ୍ଟାରୀ ଚାର୍ଜସିଟ।

ସପ୍ଲିମେଣ୍ଟାରୀ ଚାର୍ଜସିଟରେ ଦର୍ଶାଯାଇଛି, ସିସୋରଠାରୁ ପ୍ରଭାତ ବିଶ୍ୱାଳ ନେଇଛନ୍ତି ପ୍ରୋଟେକସନ ମନି। ପତ୍ନୀ ଲକ୍ଷ୍ମୀ ବିଲାସିନୀ ବିଶ୍ୱାଳଙ୍କ ଆକାଉଣ୍ଟ ନମ୍ବର  ୩୦୬୨୧୬୦୬୪୭୮କୁ ଏହି ବାବଦକୁ ୨୫ ଲକ୍ଷ ଟଙ୍କା ଯାଇଛି। କଟକ ଓ ଆଖପାଖ ଅଞ୍ଚଳରେ ସିସୋର ଚିଟ୍‌ଫଣ୍ଡ ସଂସ୍ଥାର ଅର୍ଥ କାରବାର ଯେଭଳି ସୁରୁ ଖୁରୁରେ ଚାଲିବ, ସେହି ବାବଦକୁ ପତ୍ନୀଙ୍କ ଆକାଉଣ୍ଟ ଜରିଆରେ ପ୍ରଭାତ ବିଶ୍ୱାଳ ନେଇଛନ୍ତି ୨୫ ଲକ୍ଷ ଟଙ୍କା। ତେଣୁ ପତ୍ନୀ ଲକ୍ଷ୍ମୀ ବିଳାସିନୀ ମଧ୍ୟ ଯୋଡ଼ି ହୋଇଛନ୍ତି ଏହି ଅପରାଧୀକ ଷଡଯନ୍ତ୍ରରେ। ପୂର୍ବରୁ ଅନେକ ଥର ସିବିଆଇ ଜେରାର ସାମ୍ନା କରିଛନ୍ତି ଲକ୍ଷ୍ମୀ ବିଳାସିନୀ। ସେହି ସମୟରେ ସେ ଏହି ଟଙ୍କା ବିଭିନ୍ନ ଲୋକଙ୍କଠାରୁ ଆଣି ସିସୋରକୁ ସୁଝି ଦେଇଥିଲେ ବୋଲି ମିଛ କହିଥିବା ସପ୍ଲିମେଣ୍ଟାରୀ ଚାର୍ଜସିଟରେ ସିବିଆଇ ଦର୍ଶାଯାଇଛି। ନକଲି ଷ୍ଟାମ୍ପ ପେପର ଓ ମିଥ୍ୟା କାଗଜପତ୍ର ପ୍ରସ୍ତୁତ କରି ଏଭଳି ଚଞ୍ଚକତା କରାଯାଇଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି।

ସେହିପରି ଆପିକଲର ପୂର୍ବତନ ଅବସରପ୍ରାପ୍ତ ଏମ୍‌ଡି ତଥା ବରିଷ୍ଠ ଓଏଏସ ପ୍ରଦୀପ କୁମାର ହୋତାଙ୍କ କଳାକାରନାମା ସମ୍ପର୍କରେ ମଧ୍ୟ ଚାର୍ଜସିଟରେ ଦର୍ଶାଇଛି ସିବିଆଇ। ୨୦୦୮ରୁ ୨୦୧୨ ମସିହା ମଧ୍ୟରେ ପ୍ରଦୀପ ହୋତା ଓ ତାଙ୍କ ପତ୍ନୀ ପ୍ରତିମା ହୋତା ଜଏଣ୍ଟ ଆକାଉଣ୍ଟ ଜରିଆରେ ୧୯ଲକ୍ଷ  ୭୦ ହଜାର ୯୨୫ ଟଙ୍କା ନେଇଥିବା ଚାର୍ଜସିଟରୁ ସ୍ପଷ୍ଟ ହୋଇଛି। ଏପରିକି ଭୁଆଁ ବୁଲାଇବା ପାଇଁ ପତ୍ନୀଙ୍କୁ ଚିଟ୍‌ଫଣ୍ଡ ସଂସ୍ଥା ସିସୋରରେ ଜାଲ୍ ନିଯୁକ୍ତି ବି ଦେଇଥିଲେ ପ୍ରଦୀପ ହୋତା।

ବର୍ତ୍ତମାନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ପୂର୍ବତନ ଅବସରପ୍ରାପ୍ତ ଓଏଏସ୍ ଅଧିକାରୀ ପ୍ରଦୀପ କୁମାର ହୋତା ଜେଲ୍‌ ଅଛନ୍ତି। ସିବିଆଇର ଏହି ଚାର୍ଜସିଟ୍ ପରେ କଣ ହେବ ଉଭୟଙ୍କ ପତ୍ନୀ ଭାଗ୍ୟ, ତା ଉପରେ ସମସ୍ତଙ୍କ ନଜର।

Related story