ମିଶନ ଶକ୍ତି ମହିଳାଙ୍କ ପାଇଁ ୪୫୩.୫୦ କୋଟିର କୋଭିଡ୍‌ ପ୍ୟାକେଜ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମିଶନ୍‌ ଶକ୍ତି ମହିଳାଙ୍କ ପାଇଁ ୪୫୩.୫୦ କୋଟି ଟଙ୍କାର କୋଭିଡ୍‌ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର ୩୩୮ ବ୍ଲକ ସ୍ତରୀୟ ମିଶନ ଶକ୍ତି ମହାସଂଘର ନିଜସ୍ୱ ଘର ‘ମିଶନ ଶକ୍ତି ଭବନ’ ନିର୍ମାଣ ପାଇଁ ୫୦ ଲକ୍ଷ ଟଙ୍କା ଲେଖାଏ ୧୬୯ କୋଟି ଟଙ୍କା ପ୍ରଦାନ କରାଯିବ। ତାହା ସହ ସେମାନଙ୍କୁ ବ୍ୟବସାୟରେ ସହାୟତା ପାଇଁ ୮୪.୫୦ କୋଟି ଟଙ୍କାର ଆବର୍ତ୍ତନ ପାଣ୍ଠି ଓ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଋଣ […]

mission-shakti

Ordigital Desk
  • Published: Friday, 16 July 2021
  • , Updated: 17 July 2021, 07:30 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମିଶନ୍‌ ଶକ୍ତି ମହିଳାଙ୍କ ପାଇଁ ୪୫୩.୫୦ କୋଟି ଟଙ୍କାର କୋଭିଡ୍‌ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର ୩୩୮ ବ୍ଲକ ସ୍ତରୀୟ ମିଶନ ଶକ୍ତି ମହାସଂଘର ନିଜସ୍ୱ ଘର ‘ମିଶନ ଶକ୍ତି ଭବନ’ ନିର୍ମାଣ ପାଇଁ ୫୦ ଲକ୍ଷ ଟଙ୍କା ଲେଖାଏ ୧୬୯ କୋଟି ଟଙ୍କା ପ୍ରଦାନ କରାଯିବ। ତାହା ସହ ସେମାନଙ୍କୁ ବ୍ୟବସାୟରେ ସହାୟତା ପାଇଁ ୮୪.୫୦ କୋଟି ଟଙ୍କାର ଆବର୍ତ୍ତନ ପାଣ୍ଠି ଓ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଋଣ ଉପରେ ସୁଧ ଫେରସ୍ତ ପାଇଁ ୨୦୦ କୋଟି ଟଙ୍କା ପ୍ରଦାନ କରାଯିବ।

ମିଶନ ଶକ୍ତି ମହିଳାଙ୍କ ପାଇଁ ପ୍ୟାକେଜ ଘୋଷଣା କରିବା ଅବସରରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କହିଛନ୍ତି, ମିଶନ ଶକ୍ତି ହେଉଛି ଓଡ଼ିଶାର ୭୦ ଲକ୍ଷ ମାଆମାନଙ୍କର ଏକ ବିରାଟ ଅନୁଷ୍ଠାନ। ଏହା ହେଉଛି ଓଡ଼ିଶାର ବିକାଶ ବାହିନୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେମାନଙ୍କ ଦକ୍ଷତା ଉପରେ ଆସ୍ଥାପ୍ରକଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଆପଣମାନେ(ମହିଳା) ଆଗକୁ ବଢନ୍ତୁ, ମୁଁ ଆପଣମାନଙ୍କ ସାଥୀରେ ଅଛି।’

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି-“କୋଭିଡ୍‌ ସମୟରେ ମିଶନ ଶକ୍ତିର ମାଆମାନେ ବହୁତ ଭଲ କାମ କରିଛନ୍ତି। ବ୍ଲକସ୍ତରୀୟ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ଯେଉଁ ମିଶନ ଶକ୍ତି ଭବନ ଗଠନ ହେବ, ସେଥିରେ ମାଆମାନେ ତାଲିମ ପାଇବେ। ସେମାନଙ୍କ ଦ୍ୱାରା ଉତ୍ପାଦିତ ଦ୍ରବ୍ୟ ପାଇଁ ବିକ୍ରୟ କେନ୍ଦ୍ର ଖୋଲିପାରିବେ। ସେମାନଙ୍କ ନିଜସ୍ୱ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା ପର୍ଯ୍ୟାଲୋଚନା କରିପାରିବେ।”

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି-“ମାଆମାନେ କୋଭିଡ୍‌ ସମୟରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଚାଳନାଠାରୁ ଆରମ୍ଭ କରି ମାସ୍କ ତିଆରି, ଲୋକଙ୍କୁ ସଚେତନତା ଭଲ କାମ କରି ମିଶନ ଶକ୍ତି ଆନ୍ଦୋଳନର ସୁନାମ ବୃଦ୍ଧି କରିଛନ୍ତି। ମୁଁ ସବୁବେଳେ କହି ଆସିଛି, ମାଆ ସଶକ୍ତ ହେଲେ ପରିବାର ସଶକ୍ତ ହେବ। ସମାଜ ସଶକ୍ତ ହେବ। ଗୋଟିଏ ଜାତି ସଶକ୍ତ ହେବ। ଇତିହାସର ଧାରା ମଧ୍ୟ ବଦଳିଯିବ।”

କାର୍ଯ୍ୟକ୍ରମରେ ଯୋଗଦେଇ ମହିଳା ଶିଶୁବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ମିଶନ ଶକ୍ତିର ମହିଳାମାନଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ସଂପର୍କରେ ଆଲୋକପାତ କରି କହିଥିଲେ। ସେ କହିଛନ୍ତି-“କୌଣସି ବ୍ୟବସାୟ ପାଇଁ ପୁଞ୍ଜି ଯୋଗାଣ ସଞ୍ଜୀବନୀ ପରି କାର୍ଯ୍ୟ କରେ। ମହିଳାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ଆବର୍ତ୍ତନ ପାଣ୍ଠି କରିଛନ୍ତି, ତାହା ମିଶନ ଶକ୍ତିକୁ ସ୍ୱାବଲମ୍ବୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ମିଶନ ଶକ୍ତି ମାଆମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣିଛି।”

କାର୍ଯ୍ୟକ୍ରମରେ ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଏବଂ ମିଶନ ଶକ୍ତିର ଉପଦେଷ୍ଟା ଡଃ ଲୋପାମୁଦ୍ରା ବକ୍ସିପାତ୍ର ପ୍ରମୁଖ ଯୋଗଦେଇ ସେମାନଙ୍କର ମତାମତ ରଖି କହିଥିଲେ। ଏହି କାର୍ଯ୍ୟକ୍ରମରେ ମୟୂରଭଂଜ ମୋରଡା ମିଶନ ଶକ୍ତି ମହାସଂଘର ଅଧ୍ୟକ୍ଷା ବିଷ୍ଣୁପ୍ରିୟା ଦାସ, କଟକ କଣ୍ଟାପଡା ମିଶନ ଶକ୍ତି ମହାସଂଘର ସଂପାଦିକା ବିଷ୍ଣୁପ୍ରିୟା ପାତ୍ର, ସମ୍ବଲପୁର ନାକଟିଦେଉଳ ମିଶନ ଶକ୍ତି ମହାସଂଘର ସଂପାଦିକା ଗୀତାଞ୍ଜଳି ପ୍ରଧାନ, କୋରାପୁଟ ନନ୍ଦପୁର ମିଶନ ଶକ୍ତି ମହାସଂଘର ସଂପାଦିକା ହେମଲତା ପ୍ରଧାନ ଓ ଢେଙ୍କାନାଳ ଗଁଦିଆ ମିଶନ ଶକ୍ତି ମହାସଂଘର ସଂପାଦିକା ନିର୍ମଳା ସାହୁ ପ୍ରମୁଖ ଯୋଗଦେଇ ମୁଖ୍ୟମନ୍ତ୍ରୀ ସହ ଆଲୋଚନା କରିଥିଲେ।

Related story