ଉଚ୍ଛେଦକୁ ବିରୋଧ ପରେ ନରମିଲେ ସରକାର: ଉଚ୍ଛେଦ ଅଞ୍ଚଳରେ ହେବ ଐତିହ୍ୟ ସୁରକ୍ଷା ଜୋନ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ପୁରୀ ଶ୍ରୀମନ୍ଦିରର ସୁରକ୍ଷା ଆଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମେଘନାଦ ପାଚେରୀ ଚାରିପଟେ ୭୫ ମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟାକୁ ତୀବ୍ର ବିରୋଧ ହେବାପରେ ରାଜ୍ୟ ସରକାର ନରମ ଆଭିମୁଖ୍ୟ ପୋଷଣ କରିଛନ୍ତି। ବିଶେଷକରି ପୁରୀ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ରାଜନୀତିକ ଦଳଗୁଡ଼ିକର ତୀବ୍ର ବିରୋଧ ପରେ ସରକାର ପୁରୀକୁ ବିଶ୍ୱ ଐତିହ୍ୟ ନଗରୀରେ ପରିଣତ କରିବା ନିମନ୍ତେ ଐତିହ୍ୟ ସୁରକ୍ଷା […]

puri

Manoranjan Sial
  • Published: Thursday, 05 September 2019
  • , Updated: 05 September 2019, 08:34 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ପୁରୀ ଶ୍ରୀମନ୍ଦିରର ସୁରକ୍ଷା ଆଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମେଘନାଦ ପାଚେରୀ ଚାରିପଟେ ୭୫ ମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟାକୁ ତୀବ୍ର ବିରୋଧ ହେବାପରେ ରାଜ୍ୟ ସରକାର ନରମ ଆଭିମୁଖ୍ୟ ପୋଷଣ କରିଛନ୍ତି। ବିଶେଷକରି ପୁରୀ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ରାଜନୀତିକ ଦଳଗୁଡ଼ିକର ତୀବ୍ର ବିରୋଧ ପରେ ସରକାର ପୁରୀକୁ ବିଶ୍ୱ ଐତିହ୍ୟ ନଗରୀରେ ପରିଣତ କରିବା ନିମନ୍ତେ ଐତିହ୍ୟ ସୁରକ୍ଷା ଜୋନର ପରିକଳ୍ପନା କରିଛନ୍ତି। ଆଉ ଏହି ଐତିହ୍ୟ ସୁରକ୍ଷା ଜୋନ୍ ଏବେ ଉଚ୍ଛେଦ ହେଉଥିବା ମେଘନାଦ ପାଚେରୀ ଚାରିପଟର ୭୫ ମିଟର ବ୍ୟାସାର୍ଦ୍ଧ ମଧ୍ୟରେ ରହିବ।

ଶ୍ରୀମନ୍ଦିରର ପବିତ୍ର ଭୌଗଳିକ ଅବସ୍ଥିତି, ବିଭିନ୍ନ ପ୍ରାଚୀନ ଦେବାଦେବୀ ମୂର୍ତ୍ତି, ଜଗନ୍ନାଥ ସଂସ୍କୃତି ସହ ସଂଶ୍ଲୀଷ୍ଟ ବୃକ୍ଷଲତା, କଳା ସ୍ଥାପତ୍ୟ ଓ ଭୋଗ କ୍ଷେତ୍ରକୁ ଦୃଷ୍ଟିରେ ରଖି ଏହି ଏହି ଉଚ୍ଛେଦ ଅଞ୍ଚଳର ପୁନର୍ବିନ୍ୟାସ କରାଯିବ ବୋଲି ଜଣାପଡ଼ିଛି। ଉଚ୍ଛେଦବେଳେ କୌଣସି ମଠର ଗାଦି ଓ ମନ୍ଦିରକୁ ଭଙ୍ଗାଯିବ ନାହିଁ ବୋଲି ସରକାର ପୂର୍ବରୁ ଘୋଷଣା କରିଥିଲେ।

ପୁରୀରେ ଚାରିଦିନର ବିରତି ପରେ ଆଜି ପୁଣିଥରେ ଉଚ୍ଛେଦ ପ୍ରକ୍ରିୟା ଚାଲିଥିଲେ ମଧ୍ୟ ତୀବ୍ର ବିରୋଧ ଯୋଗୁ ବଡ଼ଆଖଡ଼ା ମଠକୁ ପ୍ରଶାସନ ଛୁଇଁନାହିଁ। ଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ୩ଟି ନୂଆ ପ୍ରକଳ୍ପକୁ ଅନୁମୋଦନ ମିଳିଛି ।
ସୂଚନା ଅନୁସାରେ ମେଘନାଦ ପାଚେରୀଠାରୁ ୭୫ମିଟର ଅଞ୍ଚଳ ମଧ୍ୟରେ ଚଳାଚଳ ପାଇଁ ୧୫ମିଟର ଅଞ୍ଚଳରେ ରାସ୍ତା କରାଯିବ। ବାକି ୬୦ମିଟର ଅଞ୍ଚଳର ପୁନର୍ବିନ୍ୟାସ କରାଯିବ। ତେବେ ଏହି ଅଞ୍ଚଳର କିଭଳି ପୁନର୍ବିନ୍ୟାସ କରାଯିବ ତା’ର ତଦାରଖ ପାଇଁ ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜଗନ୍ନାଥ ସଂସ୍କୃତି, ମନ୍ଦିରର କଳା ଓ ଭାସ୍କର୍ଯ୍ୟ, ଐତିହ୍ୟ,କଳା ଇତିହାସ ତଥା ଜଗନ୍ନାଥ ସଂସ୍କୃତି ସହ ସଂଶ୍ଲୀଷ୍ଟ ବୃକ୍ଷଲତାକୁ ଭିତ୍ତିକରି ଏହି ପୁନର୍ବିନ୍ୟାସ କାର୍ଯ୍ୟକ୍ରମ ହେବ।

ସେହିପରି ଏମଆର ମଠ ଜମିର କିଛି ଅଂଶରେ ରଘୁନନ୍ଦନ ଲାଇବ୍ରେରୀ ପୁନନିର୍ମାଣ କରାଯିବ। ଏହି ଲାଇବ୍ରେରୀକୁ ଜଗନ୍ନାଥ ସଂସ୍କୃତିର ଏକ ଗବେଷଣା କେନ୍ଦ୍ର ଭାବେ ବିକଶିତ କରିବା ନିମନ୍ତେ ସରକାର ୨୫କୋଟି ଟଙ୍କା ବିନିଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂଚନା ଦେଇଛି ।ଉଚ୍ଛେଦବେଳେ ନିଜର ବାସଗୃହ ହରାଉଥିବା ଲୋକମାନଙ୍କ ପାଇଁ ବାସଗୃହ ପ୍ରକଳ୍ପକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି ।

Related story