ଦୁଇ ମାସ ପରେ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଳାହାଣ୍ଡି ସନ୍‌ସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକୁ ପାଖାପାଖି ଦୁଇ ମାସ ବିତିଥିବା ବେଳେ ଶେଷରେ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ପ୍ରସଙ୍ଗରେ ସେ ଆଜି ବିଧାନସଭାରେ ବିବୃତି ଦେଇଛନ୍ତି। ସେ କହିଛନ୍ତି, “ଘଟଣାକୁ ଯେମିତି ରାଜନୀତିକରଣ କରାଯାଉଛି, ତାହା ମୋତେ ବ୍ୟଥିତ କରୁଛି। ପରିବାର ଲୋକଙ୍କ ନିବେଦନ ସତ୍ତ୍ୱେ ରାଜନୀତିକରଣ ଚାଲୁ ରହିଛି। ମହିଳା ଓ ସମ୍ବେଦନଶୀଳ ବର୍ଗଙ୍କୁ ନ୍ୟାୟ ପ୍ରତି ମୁଁ ସର୍ବଦା କାର୍ଯ୍ୟରତ। ବିନା ଭୟ […]

CM Naveen and Mamita

Manoranjan Sial
  • Published: Friday, 03 December 2021
  • , Updated: 03 December 2021, 06:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଳାହାଣ୍ଡି ସନ୍‌ସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକୁ ପାଖାପାଖି ଦୁଇ ମାସ ବିତିଥିବା ବେଳେ ଶେଷରେ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ପ୍ରସଙ୍ଗରେ ସେ ଆଜି ବିଧାନସଭାରେ ବିବୃତି ଦେଇଛନ୍ତି।

ସେ କହିଛନ୍ତି, “ଘଟଣାକୁ ଯେମିତି ରାଜନୀତିକରଣ କରାଯାଉଛି, ତାହା ମୋତେ ବ୍ୟଥିତ କରୁଛି। ପରିବାର ଲୋକଙ୍କ ନିବେଦନ ସତ୍ତ୍ୱେ ରାଜନୀତିକରଣ ଚାଲୁ ରହିଛି। ମହିଳା ଓ ସମ୍ବେଦନଶୀଳ ବର୍ଗଙ୍କୁ ନ୍ୟାୟ ପ୍ରତି ମୁଁ ସର୍ବଦା କାର୍ଯ୍ୟରତ। ବିନା ଭୟ ଓ ଦ୍ୱନ୍ଦ୍ୱରେ ପୁଲିସ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛି। ପ୍ରମାଣ ଥିଲେ ଯିଏ ହେଉନା କାହିଁକି କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଛି। ଦାୟିତ୍ୱରେ ଯିଏ ବି ଅବହେଳା କରିଥିବ, ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ।”

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଅବସରପ୍ରାପ୍ତ ଜିଲ୍ଲା ଜଜ ତଦନ୍ତ ପ୍ରକ୍ରିୟାର ତଦାରଖ କରିବେ। ହାଇକୋର୍ଟଙ୍କୁ ଏନେଇ ଅନୁରୋଧ କରିଥିଲେ ରାଜ୍ୟ ସରକାର। ନ୍ୟାୟିକ ତତ୍ତ୍ୱାବଧାନରେ ତଦନ୍ତ ଚାଲିଛି, ନ୍ୟାୟ ବ୍ୟବସ୍ଥା ପ୍ରତି ଆସ୍ଥା ରହୁ। କିଛି ପ୍ରମାଣ ଥିଲେ କୋର୍ଟକୁ ଦିଅନ୍ତୁ। ଜଣେ ସଦସ୍ୟଙ୍କୁ ଆସିବାକୁ ବାଧା ଦିଆଯାଉଛି। ଏହା ଖରାପ ପରମ୍ପରା ସୃଷ୍ଟି କରୁଛି। ବିରୋଧୀଙ୍କୁ ନିବେଦନ କରୁଛି ଗୃହ କାର୍ଯ୍ୟରେ ସହଯୋଗ କରନ୍ତୁ। ମମିତା ମେହେରଙ୍କୁ ନ୍ୟାୟ ଦେବାକୁ ମୋ ସରକାର ଅଙ୍ଗିକାରବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ବିବୃତିରେ କହିଛନ୍ତି।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେ କହିଛନ୍ତି, ମମିତାଙ୍କ ଚରିତ୍ର ସଂହାର ବିରୋଧୀ ନୁହଁନ୍ତି, ରାଜ୍ୟ ସରକାର କରିଛନ୍ତି। ରାଜ୍ୟର ମୁଖ୍ୟମନ୍ତ୍ରୀ ଯାହା ପଢୁଛନ୍ତି ତାହା ବୁଝିନାହାନ୍ତି ବା ମିଥ୍ୟା କହୁଛନ୍ତି। ଚକ୍ରାନ୍ତକାରୀଙ୍କୁ ସୁରକ୍ଷା ଦେବାକୁ ସେ ଉଦ୍ୟମ କରୁଥିବା ତାଙ୍କ ବକ୍ତବ୍ୟରୁ ପ୍ରମାଣିତ ହେଉଛି। ପରୀ ଘଟଣାରେ SIT ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଚିଠି କରିଥିଲେ। ଏବେ ପଛଘୁଞ୍ଚା କାହିଁକି ବୋଲି ନରସିଂହ ପ୍ରଶ୍ନ କରିଛନ୍ତି।

ସନ୍‌ସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହରଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ପୁଲିସ୍‌ ଗୋବିନ୍ଦ ସାହୁ ଓ ତାଙ୍କ ସହଯୋଗୀ ରାଧେକୁ ଗିରଫ କରିଛି। ତେବେ ଏହି ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆସିବା ପରେ ବିରୋଧୀ କଂଗ୍ରେସ ଓ ବିଜେପି ଖଡ୍‌ଗ ହସ୍ତ ହୋଇଛନ୍ତି। ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଓ ଗିରଫ ଦାବିରେ ରାଜରାସ୍ତାରେ ହୋ-ହଲ୍ଲା କରୁଛନ୍ତି ବିଜେପି ଓ କଂଗ୍ରେସ। ହେଲେ ମୁଖ୍ୟମନ୍ତ୍ରୀ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ବିରୋଧୀ ଅଭିଯୋଗ କରୁଛନ୍ତି।

ସେପଟେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବିଧାନସଭା ଭିତରେ ପ୍ରବେଶ କରିବାକୁ ଦେବେ ନାହିଁ ବୋଲି ବିରୋଧୀ ପୂର୍ବରୁ ଚେତାବନୀ ଦେଇଥିଲେ। ଏହା ସତ୍ତ୍ୱେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ବିଧାନସଭାକୁ ଆସିଥିଲେ। ଯାହାକୁ ବିରୋଧୀ ବିରୋଧ କରି ଗୃହ ମଧ୍ୟ ଭାଗକୁ ଆସି ହୋ-ହଲ୍ଲା କରିଥିଲେ। ଗତକାଲି ବିଜେପି ବିଧାୟକମାନେ ଗୃହ ମଧ୍ୟ ଭାଗକୁ ଆସି କଳା ଗାମୁଛା ଦେଖାଇ ପ୍ରତିବାଦ କରିଥିଲେ। ଆଜି ମଧ୍ୟ ମନ୍ତ୍ରୀଙ୍କୁ ବିରୋଧ କରିଥିଲେ କଂଗ୍ରେସ ଓ ବିଜେପି ବିଧାୟକ। ବିଧାୟକଙ୍କ ବିରୋଧ ଯୋଗୁ ଗୃହ ଚାଲି ପାରିନଥିଲା। ଯେଉଁଥିପାଇଁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୂଲତବି ରଖିଥିଲେ ବାଚସ୍ପତି। ଅପରାହ୍ନରେ ଗୃହ ଆରମ୍ଭ ହେବା ପରେ ମୁଖ୍ୟମନ୍ତ୍ରୀ ବିବୃତି ରଖିଛନ୍ତି।

Related story