‘ତୁମ ଇଚ୍ଛା ବିନା ପତ୍ରଟେ ହଲେନି, ଆହେ ଜଗନ୍ନାଥ... ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ତୁମ ଇଚ୍ଛା ବିନା ପତ୍ରଟେ ହଲେନି, ଆହେ ଜଗନ୍ନାଥ… ।’ ପୁରୀ ଶ୍ରୀମନ୍ଦିର ପ୍ରକଳ୍ପକୁ ନେଇ ଆଜି ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ  ମୁଖ୍ୟମନ୍ତ୍ରୀଙ୍କ ଏପରି ଟ୍ୱିଟକୁ ନେଇ ଚର୍ଚ୍ଚା ଜୋର ଧରିଛି।  ସୁପ୍ରିମକୋର୍ଟଙ୍କ ରାୟ ରାଜ୍ୟ ସରକାରଙ୍କ ସପକ୍ଷରେ ଯାଇଥିବା ସତ୍ତ୍ୱେ ସିଧାସଳଖ ରାୟ ସମ୍ପର୍କରେ କିଛି ଲେଖି ନ ଥିବା ମୁଖ୍ୟମନ୍ତ୍ରୀ କିନ୍ତୁ ଇସାରା, ଇସାରାରେ ଟ୍ୱିଟ କରିଛନ୍ତି । ପୁରୀ ଶ୍ରୀମନ୍ଦିର ପ୍ରକଳ୍ପକୁ ନେଇ ରାଜ୍ୟ ସରକାର ଦୀର୍ଘ […]

Chief-Minister-Naveen-Patnaik

Niharika Rout
  • Published: Friday, 03 June 2022
  • , Updated: 03 June 2022, 10:15 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ତୁମ ଇଚ୍ଛା ବିନା ପତ୍ରଟେ ହଲେନି, ଆହେ ଜଗନ୍ନାଥ... ।’ ପୁରୀ ଶ୍ରୀମନ୍ଦିର ପ୍ରକଳ୍ପକୁ ନେଇ ଆଜି ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ  ମୁଖ୍ୟମନ୍ତ୍ରୀଙ୍କ ଏପରି ଟ୍ୱିଟକୁ ନେଇ ଚର୍ଚ୍ଚା ଜୋର ଧରିଛି।  ସୁପ୍ରିମକୋର୍ଟଙ୍କ ରାୟ ରାଜ୍ୟ ସରକାରଙ୍କ ସପକ୍ଷରେ ଯାଇଥିବା ସତ୍ତ୍ୱେ ସିଧାସଳଖ ରାୟ ସମ୍ପର୍କରେ କିଛି ଲେଖି ନ ଥିବା ମୁଖ୍ୟମନ୍ତ୍ରୀ କିନ୍ତୁ ଇସାରା, ଇସାରାରେ ଟ୍ୱିଟ କରିଛନ୍ତି ।

ପୁରୀ ଶ୍ରୀମନ୍ଦିର ପ୍ରକଳ୍ପକୁ ନେଇ ରାଜ୍ୟ ସରକାର ଦୀର୍ଘ ଦିନ ଧରି ସମାଲୋଚନାର ଶିକାର ହେବା ପରେ ଆଜିର ରାୟ ବେଶ୍‌ ଆଶ୍ୱସ୍ତି ଦେଇଛି। ଗତକାଲିଠୁ ଏହି ମାମଲାର ରାୟ ସଂରକ୍ଷିତ ରଖିଥିବା ସୁପ୍ରିମକୋର୍ଟ ଆଜି ରାଜ୍ୟ ସରକାରଙ୍କ ସପକ୍ଷରେ ରାୟ ଦେଇଛନ୍ତି। ଏହାପରେ ଖୁସି ବ୍ୟକ୍ତ କରି ଟ୍ୱିଟ କରିଥିବା ମୁଖ୍ୟମନ୍ତ୍ରୀ କିନ୍ତୁ ସିଧାସଳଖ ରାୟ ସମ୍ପର୍କରେ  କିଛି ଉଲ୍ଲେଖ କରି ନାହାନ୍ତି ।

ଏହି ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରେ ସୁପ୍ରିମକୋର୍ଟରେ ମାମଲା ଲଢ଼ୁଥିବା ଆଡଭୋକେଟ ପିନାକୀ ମିଶ୍ର କହିଛନ୍ତି,  ସର୍ବୋଚ୍ଚ କୋର୍ଟଙ୍କ କଣ୍ଠରେ ମହାପ୍ରଭୁଙ୍କ ବାଣୀ ବସିଛି । ପୁରୀକୁ ବିଶ୍ୱ ଐତିହ୍ୟ ସ୍ଥଳ ଭାବେ ଗଢ଼ିବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ସଠିକ୍ ପ୍ରମାଣିତ ହୋଇଛି । ପରିକ୍ରମା ପ୍ରକଳ୍ପକୁ ସବୁବେଳେ ରାଜନୀତିଶୂନ୍ୟ ରଖିବାକୁ ଚାହିଁଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରକଳ୍ପ ନିର୍ମାଣର ପ୍ରତିଟି ପାଦରେ ସବୁ ଦଳଙ୍କୁ ସାଙ୍ଗରେ ନେଇ ଯିବାକୁ ସେ ଚାହିଁଛନ୍ତି ।  ବ୍ୟକ୍ତିଗତ ଓ ରାଜନୈତିକ ଉଦ୍ଦେଶ୍ୟ ଲାଗି ଏଭଳି ଦିବ୍ୟ କାମକୁ ବିରୋଧ କରା ନ ଯାଉ ।

ଏହାବାଦ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ପୁରୀ ଗସ୍ତ କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ୍ ଓ ପ୍ରଣବ ପ୍ରକାଶ ଦାଶ । ରାୟ ଆସିବାର କିଛି ସମୟ ପରେ ଶ୍ରୀମନ୍ଦିରକୁ ଯାଇ ସେମାନେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ସେମାନଙ୍କ ସହ ପୁରୀ ଜିଲ୍ଲାପାଳ, ପୁରୀ ଏସ୍ପିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଏଥିପାଇଁ ଶ୍ରୀମନ୍ଦିର ପାଖରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

[caption id="attachment_738805" align="aligncenter" width="650"] ପୁରୀରେ ମହାପ୍ରଭୁଙ୍କ ଦର୍ଶନ ସାରି ଫେରୁଛନ୍ତି ୫ଟି ସଚିବ ।[/caption]

ପୁରୀରେ ଗଣମାଧ୍ୟମ ପ୍ରତିନିଧୀଙ୍କୁ  ପ୍ରଣବ ପ୍ରକାଶ ଦାଶ କହିଛନ୍ତି, ‘ଯେ ବିଶ୍ୱକୁ ନିୟନ୍ତ୍ରଣ କରୁଛନ୍ତି, ସେ ତାଙ୍କ କାମ ନିଜେ କରୁଛନ୍ତି। ସେ ନିଜେ ସତ୍ୟ, ସେ ନିଜେ ପୂଣ୍ୟ। ଆମେମାନେ କିଛି ନୁହଁ। ସେ ଯାହା ମାର୍ଗଦର୍ଶନ ଦେଇଛନ୍ତି, ସେ ଯାହା ଆମକୁ ବତାଇଛନ୍ତି, ଯେଉଁ ଭଳିଆ ଚାହିଁଛନ୍ତି, ସେଭଳି କାମ ହୋଇଛି। ଆଜି ଉଚ୍ଚତମ ନ୍ୟାୟାଳୟ ଯେଉଁ ରାୟ ଦେଇଛନ୍ତି, ପ୍ରଭୁଙ୍କ ନିର୍ଦ୍ଦେଶରେ ଦେଇଛନ୍ତି।  ପ୍ରଭୁଙ୍କ ପାଖକୁ ଯେଉଁ ଭକ୍ତମାନେ ଆସୁଥିଲେ, ସେମାନେ କିପରି ଭଲରେ ଦର୍ଶନ କରି ଯିବେ ସେ ନେଇ ବ୍ୟବସ୍ଥା କରାଯାଉଥିଲା। ଭକ୍ତର ଭଗବାନ। ମହାପ୍ରଭୁଙ୍କ କୌଣସି କାମ ଅଟକି ନାହିଁ ।’

ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ହେଉଥିବା ନିର୍ମାଣକୁ ବିରୋଧ କରି ଅର୍ଦ୍ଧେନ୍ଦୁ ଦାସ ଓ ସୁମନ୍ତ ଘଡ଼େଇ  ଅଲଗା ଅଲଗା ଦୁଇଟି ସ୍ୱତନ୍ତ୍ର ଲିଭ୍ ପିଟିସନ୍ ଦାଖଲ କରିଥିବା ବେଳେ ଏହାର  ଶୁଣାଣି ହୋଇ ଆଜି ରାୟ ପ୍ରକାଶ ପାଇଛି । ସୁମନ୍ତଙ୍କ ପକ୍ଷରୁ ଓକିଲ ମହାଲକ୍ଷ୍ମୀ ପାଭାନୀ ଓ ଅର୍ଦ୍ଧେନ୍ଦୁଙ୍କ ଓକିଲ ନଚିକେତା ଯୋଶୀ ସୁପ୍ରିମକୋର୍ଟରେ ଏହି ମାମଲା ଲଢ଼ିଥିଲେ। ଅପରପକ୍ଷେ, ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ଅଶୋକ ପରିଜା, କପିଲ ସିବଲ, ପିନାକୀ ମିଶ୍ର ଏହି ମାମଲା ଲ‍ଢ଼ିଥିଲେ।

ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ବଡ଼ ବିବାଦ ଉପୁଜିଥିବା ବେଳେ ASI ନିୟମ ଉଲ୍ଲଙ୍ଘନ କରି ପ୍ରକଳ୍ପ କାର୍ଯ୍ୟ କରାଯାଉଥିବା ଅଭିଯୋଗ ହୋଇଥିଲା। ଏହି ମାମଲାକୁ ନେଇ ରାଜ୍ୟ ସରକାର ଅଡ଼ୁଆରେ ପଡ଼ିଥିବା ବେଳେ ଆଜି ପ୍ରକାଶିତ ସୁପ୍ରିମକୋର୍ଟଙ୍କ ରାୟ ସେମାନଙ୍କୁ ଆଶ୍ୱସ୍ତ ଦେଇଛି।

ଆଉ ରାତିରେ ଶ୍ରୀଜଗନ୍ନାଥ ମନ୍ଦିରର ସେବାୟତମାନେ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଶ୍ରୀମନ୍ଦିର ପରିକ୍ରମା କାର୍ଯ୍ୟରେ ସରକାରଙ୍କୁ ସହଯୋଗ କରିବା ପାଇଁ ସେବାୟତମାନେ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି । ତେବେ ଶ୍ରୀମନ୍ଦିର ଚାରିପଟେ ଚାଲିଥିବା ନିର୍ମାଣ କାର୍ଯ୍ୟ ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ସେବାୟତମାନଙ୍କ ପ୍ରାୟୋଜିତ ସାକ୍ଷାତକାର କରାଇ ବିଜେଡି ଏଥିରୁ ରାଜନୀତିକ ଫାଇଦା ନେବାକୁ ପ୍ରୟାସ କରିଥିବା ଚର୍ଚ୍ଚା ହେଉଛି ।

Related story