କୋଭିଡ୍ ଟିକା ପାଇଁ କେନ୍ଦ୍ରକୁ ଚିଠି ଲେଖିଲା ଓଡ଼ିଶା, ୫୯% ଲୋକ ନେଇନାହାନ୍ତି ପ୍ରିକସନ୍‌ ଡୋଜ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ କୋଭିଡ୍ ସଂକ୍ରମଣ ମାମଲା ଗତ କିଛି ସପ୍ତାହ ଧରି ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ଏନେଇ ସର୍ତକତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ‘ଫିଭର କ୍ଲିନିକ’ ଖୋଲିବାକୁ ନିର୍ଦ୍ଦେଶ ଦେଇଥିବା ରାଜ୍ୟ ସରକାର ଆଜି କେନ୍ଦ୍ର ସରକାରଙ୍କୁ ଚିଠି ଲେଖି କୋଭିଡ୍ ପ୍ରିକସନ୍ ଟିକା କାର୍ଯ୍ୟକ୍ରମ ପୁଣିଥରେ ଆରମ୍ଭ କରିବା ନିମନ୍ତେ ଅନୁରୋଧ କରିଛନ୍ତି । ଏବେ ସରକାରୀ ହସ୍ପିଟାଲଗୁଡ଼ିକରେ କୌଣସି ପ୍ରିକସନ୍ ଡୋଜ୍ ଟିକା […]

Vaccine

Ordigital Desk
  • Published: Friday, 23 December 2022
  • , Updated: 23 December 2022, 08:32 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ କୋଭିଡ୍ ସଂକ୍ରମଣ ମାମଲା ଗତ କିଛି ସପ୍ତାହ ଧରି ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ଏନେଇ ସର୍ତକତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ‘ଫିଭର କ୍ଲିନିକ’ ଖୋଲିବାକୁ ନିର୍ଦ୍ଦେଶ ଦେଇଥିବା ରାଜ୍ୟ ସରକାର ଆଜି କେନ୍ଦ୍ର ସରକାରଙ୍କୁ ଚିଠି ଲେଖି କୋଭିଡ୍ ପ୍ରିକସନ୍ ଟିକା କାର୍ଯ୍ୟକ୍ରମ ପୁଣିଥରେ ଆରମ୍ଭ କରିବା ନିମନ୍ତେ ଅନୁରୋଧ କରିଛନ୍ତି । ଏବେ ସରକାରୀ ହସ୍ପିଟାଲଗୁଡ଼ିକରେ କୌଣସି ପ୍ରିକସନ୍ ଡୋଜ୍ ଟିକା ନାହିଁ । କିନ୍ତୁ ଲୋକମାନେ ଏବେ ଏହି ଟିକା ନେବା ପାଇଁ ଚାହୁଁଥିବାରୁ ପ୍ରିକସନ୍ ଡୋଜ୍ ଟିକା ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ଓଡ଼ିଶା ଅନୁରୋଧ କରିଛି ।

ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖି କହିଛନ୍ତି ଯେ, ରାଜ୍ୟରେ କୋଭିଡ୍‌-୧୯ ଟିକା ଏପର୍ଯ୍ୟନ୍ତ ୮.୧୪ କୋଟି ଟିକା ଦିଆଯାଇସାରିଛି । ସେମାନଙ୍କ ମଧ୍ୟରେ ୧୨ବର୍ଷ ବୟସରୁ ଊର୍ଦ୍ଧ୍ୱ ୩.୫୨ କୋଟି(୯୭%) ଲୋକ ପ୍ରଥମ ଡୋଜ୍ ନେଇଥିବାବେଳେ ୩.୩୦କୋଟି ଲୋକ(୯୧%) ଦ୍ୱିତୀୟ ଡୋଜ୍ ନେଇସାରିଛନ୍ତି । ସେହିପରି ୧୮ବର୍ଷ ବୟସରୁ ଅଧିକ ୧.୩୧ କୋଟି ଲୋକ(୪୧%) ପ୍ରିକସନ୍ ଡୋଜ୍ ନେଇଛନ୍ତି । ତେବେ ଭାରତ ସରକାରଙ୍କ ଦ୍ୱାରା ଦିଆଯାଇଥିବା କୋଭିଡ୍ ଟିକା ୨୦୨୨ ନଭେମ୍ବର ୨୮ତାରିଖ ସୁଦ୍ଧା ଶେଷ ହୋଇସାରିଛି । ଏବେ ରାଜ୍ୟରେ ସରକାରୀ ଭାବେ କୋଭିଡ୍ ଟିକା ମହଜୁଦ ନାହିଁ । କିନ୍ତୁ ଏବେ ଜାପାନ, ଆମେରିକା, କୋରିଆ, ବ୍ରାଜିଲ ଓ ଚୀନ ଭଳି ରାଷ୍ଟ୍ରରେ ସଂକ୍ରମଣ ବ୍ୟାପୁଥିବାରୁ ପ୍ରିକସନ୍ ଡୋଜ୍ ନେବା ପାଇଁ ଲୋକମାନେ ଆଗ୍ରହ ଦେଖାଇବା ସହ ଚାପ ପକାଉଛନ୍ତି । ରାଜ୍ୟରେ ୧୮ବର୍ଷ ବୟସରୁ ଅଧିକ ୩.୨୫କୋଟି ଲୋକ ପ୍ରିକସନ୍ ଡୋଜ୍ ପାଇଁ ଯୋଗ୍ୟ ହୋଇଥିବାବେଳେ ମାତ୍ର ୧.୩୧ କୋଟି ଲୋକଙ୍କୁ ଏହି ପ୍ରକସନ୍ ଡୋଜ୍ ଦେବା ସମ୍ଭବପର ହୋଇଛି । ଏବେବି ୧.୯୩ କୋଟି ଲୋକ (୫୯%) ଟିକା ନନେଇ ରହିଛନ୍ତି । ତେଣୁ ସରକାରୀ ଟିକା କେନ୍ଦ୍ରରେ ଏହି ବାକି ଥିବା ଲୋକମାନଙ୍କୁ ପ୍ରିକସନ୍ ଡୋଜ୍ ଦେବା ନିମନ୍ତେ ଆବଶ୍ୟକ ଟିକା ଯୋଗାଇ ଦେବାକୁ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟ ସଚିବ ଶ୍ରୀମତୀ ପଣ୍ଡିତ ଅନୁରୋଧ କରିଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ବିଶେଷଜ୍ଞ କମିଟି ଆଜି କୋଭିଡ୍ ପରିସ୍ଥିତି ଉପରେ ସମୀକ୍ଷା କରିବା ସହ ସର୍ତକତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି । ଏହାସହିତ ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନର ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ କୋଭିଡ୍ ପରିସ୍ଥିତିର ମୁକାବିଲା ପାଇଁ ଆବଶ୍ୟକ ପ୍ରସ୍ତୁତ ରହିବା ନିମନ୍ତେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଛି ।

Related story