ଲୋକଙ୍କ ଦାବି ହାଇକୋର୍ଟ ବେଞ୍ଚ, ନବୀନଙ୍କ ଉପହାର କମିଶନ ପରେ କମିଟି!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ଦୁଇଦଶନ୍ଧି ଧରି କ୍ଷମତାରେ ଥିବା ନବୀନ ପଟ୍ଟନାୟକ ସରକାର ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ଦାବିକୁ ନେଇ ନୂଆ ରାଜନୀତି ଆରମ୍ଭ କରିଛନ୍ତି। ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ସ୍ଥାପନ ନିମନ୍ତେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଓ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ସହ ବିଚାରବିମର୍ଶ ପାଇଁ ରାଜ୍ୟ ସରକାର ଚଳିତବର୍ଷ ମାର୍ଚ୍ଚ ୮ ତାରିଖରେ ଗଢ଼ିଥିବା ଅଫିସର ସ୍ତରୀୟ କମିଟିକୁ ଗତକାଲି ପୁନର୍ଗଠନ କରିଛନ୍ତି। ସଂଶୋଧିତ କମିଟିରେ ଗୃହ ସଚିବଙ୍କ ବଦଳରେ ଉନ୍ନୟନ […]

naveen

Manoranjan Sial
  • Published: Thursday, 29 August 2019
  • , Updated: 29 August 2019, 07:04 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ଦୁଇଦଶନ୍ଧି ଧରି କ୍ଷମତାରେ ଥିବା ନବୀନ ପଟ୍ଟନାୟକ ସରକାର ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ଦାବିକୁ ନେଇ ନୂଆ ରାଜନୀତି ଆରମ୍ଭ କରିଛନ୍ତି। ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ସ୍ଥାପନ ନିମନ୍ତେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଓ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ସହ ବିଚାରବିମର୍ଶ ପାଇଁ ରାଜ୍ୟ ସରକାର ଚଳିତବର୍ଷ ମାର୍ଚ୍ଚ ୮ ତାରିଖରେ ଗଢ଼ିଥିବା ଅଫିସର ସ୍ତରୀୟ କମିଟିକୁ ଗତକାଲି ପୁନର୍ଗଠନ କରିଛନ୍ତି। ସଂଶୋଧିତ କମିଟିରେ ଗୃହ ସଚିବଙ୍କ ବଦଳରେ ଉନ୍ନୟନ କମିଶନରଙ୍କୁ ଅଧ୍ୟକ୍ଷ ରଖାଯାଇଥିବାବେଳେ କମିଟିର ଅନ୍ୟ ୬ ଜଣ ସଦସ୍ୟ ଅପରିବର୍ତ୍ତିତ ରହିଛନ୍ତି। ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନକୁ ନେଇ ସ୍ପଷ୍ଟ ଆଭିମୁଖ୍ୟ ଗ୍ରହଣ କରିବା ପରିବର୍ତ୍ତେ ବିଚାର ବିଭାଗୀୟ କମିଶନ ସ୍ଥାପନ, କେନ୍ଦ୍ର ସରକାର ସହ ତୁତୁମେମେ ଓ ଏବେ ଅଫିସର ସ୍ତରୀୟ କମିଟିର ପୁନର୍ଗଠନ କରି ୨୦ ବର୍ଷ ଧରି କ୍ଷମତାରେ ଥିବା ନବୀନ ସରକାର କାହାକୁ ଠକିବାକୁ ପ୍ରୟାସ କରୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି।

ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ସ୍ଥାପନର ବିଭିନ୍ନ ଦିଗ ଉପରେ ବିଚାରବିମର୍ଶ କରିବା ପାଇଁ ରାଜ୍ୟ ସରକାର ଚଳିତ ବର୍ଷ ମାର୍ଚ୍ଚ ୮ ତାରିଖରେ ଗଠିତ କମିଟିରେ ସଂଶୋଧନ କରିଛନ୍ତି। ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ନେତୃତ୍ୱରେ ପୂର୍ବରୁ ଅଫିସର ସ୍ତରୀୟ ଏକ କମିଟି ଥିବାବେଳେ ଏବେ ସେହି କମିଟିର ଅଧ୍ୟକ୍ଷ ଭାବେ ଉନ୍ନୟନ କମିଶନରଙ୍କୁ ନିଯୁକ୍ତି ମିଳିଛି। କମିଟିରେ ଅନ୍ୟମାନଙ୍କ ମଧ୍ୟରେ ଗୃହ, ଅର୍ଥ, ରାଜସ୍ୱ, ଆଇନ ବିଭାଗର ସଚିବମାନେ ସଦସ୍ୟ ଥିବାବେଳେ ଗୃହ ବିଭାଗର ସ୍ୱତନ୍ତ୍ର ସଚିବଙ୍କୁ କମିଟିର ଆବାହକ ରହିବେ।

ତେବେ ପ୍ରଶ୍ନ ଉଠୁଛି, ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ସ୍ଥାପନ ପାଇଁ ଦୀର୍ଘବର୍ଷ ଧରି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ କ୍ରମାଗତ ଦାବି ହେଉଥିବାବେଳେ ରାଜ୍ୟ ସରକାର ଏହାର ସ୍ଥାୟୀ ମାର୍ଗ ଅନ୍ୱେଷଣରେ କାହିଁକି ବିଫଳ ହେଉଛନ୍ତି। ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ସ୍ଥାପନର ସ୍ଥାନ ନିରୂପଣ କାର୍ଯ୍ୟ ନିମନ୍ତେ ରାଜ୍ୟ ସରକାର ୨୦୦୮ ମାର୍ଚ୍ଚ ମାସରେ ଜଷ୍ଟିସ ପାଲ୍ କମିଶନ ଗଠନ କରିଥିଲେ। କମିଶନ ପ୍ରାୟ ୬ ବର୍ଷ ଧରି ବିଭିନ୍ନ ଦିଗକୁ ବିଚାରକୁ ନେଇ ୨୦୧୪ ମେ’ ୩୧ ତାରିଖରେ ରାଜ୍ୟ ସରକାରଙ୍କୁ ନିଜର ରିପୋର୍ଟ ପ୍ରଦାନ କରିଛନ୍ତି। କମିଶନଙ୍କ ନିଯୁକ୍ତି ବାବଦରେ ରାଜକୋଷରୁ ୧.୫୨ କୋଟି ଟଙ୍କା ଖର୍ଚ୍ଚ ହେଲା, କିନ୍ତୁ ଜଷ୍ଟିସ ପାଲ୍ କମିଶନ ଦେଇଥିବା ରିପୋର୍ଟକୁ ୫ ବର୍ଷ ହେଲା ରାଜ୍ୟ ସରକାର ଚାପି ରଖିଛନ୍ତି। ସ୍ଥାୟୀ ବେଞ୍ଚକୁ ନେଇ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାବାସୀଙ୍କ ଦାବି ଓ ଆକ୍ରୋଶକୁ ଦେଖି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବାରମ୍ବାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଲୋକଙ୍କ ନଜର ଏଡ଼ାଇବାକୁ ତାଳିପକା ଉଦ୍ୟମ କରି ଆସୁଥିଲେ। କିନ୍ତୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ଆଇନ ମନ୍ତ୍ରୀ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ନିର୍ଦ୍ଦିଷ୍ଟ ସ୍ଥାନ ଚିହ୍ନଟ ସହ ବିଧିବଦ୍ଧ ପ୍ରସ୍ତାବ ପଠାଇବାକୁ ରୋକଠୋକ୍ ଭାବେ ଜଣାଇବାପରେ ମୁଖ୍ୟମନ୍ତ୍ରୀଙ୍କ ଏହି ତାଳିପକା ଉଦ୍ୟମ ଫେଲ୍ ମାରିଥିଲା। ନିଜ ଜାଲରେ ନିଜେ ଫସୁଥିବା ଦେଖି ରାଜ୍ୟ ସରକାର ଚଳିତବର୍ଷ ବଜେଟରେ ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ବଜେଟରେ ୫ କୋଟି ଟଙ୍କାର ବ୍ୟୟବରାଦ କରିବା ସହ ଏହି ଅଫିସରସ୍ତରୀୟ କମିଟି ଗଠନ କରିଥିଲେ।

ତେବେ ପ୍ରଶ୍ନ ଉଠୁଛି, ଯେଉଁ ସରକାରଙ୍କ ପାଖରେ ଜଷ୍ଟିସ ପାଲ କମିଶନଙ୍କ ରିପୋର୍ଟ ଗୁରୁତ୍ୱହୀନ ହୋଇ ପଡ଼ିରହିଛି ସେଠି ନିଜ ଅଧସ୍ତନ ସରକାରୀ ବାବୁମାନେ ଏହି ସ୍ଥାୟୀ ବେଞ୍ଚ ସ୍ଥାପନକୁ ନେଇ କି ସମାଧାନ ବାହାର କରିବେ? ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓ ତାଙ୍କ ସରକାର ରାଜ୍ୟର ୬୦ ପ୍ରତିଶତ ଲୋକଙ୍କୁ ଆଉ ଭୁଆଁ ନବୁଲାଇ ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ନିରୂପଣ ସହ ବିଧିବଦ୍ଧ ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ପଠାଇବା ଉଚିତ୍। ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ବିଚାରବିମର୍ଶ କରି ସରକାର ବେଞ୍ଚ ପାଇଁ ସ୍ଥାନ ନିରୂପଣ କରିବା ଉଚିତ ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ ଅନେକ ଥର କହିସାରିଲେଣି। ନିୟମ ଅନୁସାରେ ନିର୍ଦ୍ଦିଷ୍ଟ ସ୍ଥାନରେ ବେଞ୍ଚ ସ୍ଥାପନ ନେଇ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସମ୍ମତି ଚିଠି ସହିତ ରାଜ୍ୟ ସରକାରଙ୍କ କେନ୍ଦ୍ରକୁ ପ୍ରସ୍ତାବ ଦେବା କଥା। ଓଡ଼ିଶା ସରକାର ତାହା ନକରି ବେଞ୍ଚ ଦାବି କରୁଥିବା ଲୋକମାନଙ୍କୁ ବିଭିନ୍ନ ବାଟରେ ଭୁଆଁ ବୁଲଉଛନ୍ତି ଓ ପଶ୍ଚିମ ଓଡ଼ିଶାରେ ବେଞ୍ଚ ସ୍ଥାପନ କରିବାକୁ କେନ୍ଦ୍ରକୁ ଚିଠି ଲେଖୁଛନ୍ତି। ପଶ୍ଚିମ ଓଡ଼ିଶା କହିଲେ କେଉଁ ସହର ଓ ଗାଁ ତାହା କିଏ ସ୍ଥିର କରିବ?

Related story