ବିଶ୍ୱକପ୍ ହକି: ଉଦଘାଟନୀ ଉତ୍ସବ ଟିକେଟକୁ ନେଇ ସରକାରୀ ଅଫିସର ଓ କର୍ମଚାରୀ କ୍ଷୁବ୍ଧ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱକପ୍ ପୁରୁଷ ହକି ମ୍ୟାଚର ଭବ୍ୟ ଉଦଘାଟନୀ ଉତ୍ସବ ଆସନ୍ତା ୧୧ତାରିଖରେ କଟକସ୍ଥିତ ବାରବାଟୀ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବ। ଏହି ଉଦଘାଟନୀ ଉତ୍ସବକୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ପ୍ରାୟ ୨୦ହଜାର ଦର୍ଶକ ଉପଭୋଗ କରିବେ । ଏଥିପାଇଁ ରାଜ୍ୟ ସରକାରଙ୍କସ୍ତରରେ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବାବେଳେ ଉଦଘାଟନୀ ଉତ୍ସବର ଟିକେଟକୁ ନେଇ ଏବେ ଆଇଏଏସ୍ ଓ ଓଏଏସ ଅଫିସରଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି । ବିଶେଷକରି ଆଇଏଏସ୍ ଅଫିସରମାନଙ୍କ ପାଇଁ ଲୋକସେବା ଭବନ […]

CTC

Ordigital Desk
  • Published: Thursday, 05 January 2023
  • , Updated: 06 January 2023, 10:04 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱକପ୍ ପୁରୁଷ ହକି ମ୍ୟାଚର ଭବ୍ୟ ଉଦଘାଟନୀ ଉତ୍ସବ ଆସନ୍ତା ୧୧ତାରିଖରେ କଟକସ୍ଥିତ ବାରବାଟୀ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବ। ଏହି ଉଦଘାଟନୀ ଉତ୍ସବକୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ପ୍ରାୟ ୨୦ହଜାର ଦର୍ଶକ ଉପଭୋଗ କରିବେ । ଏଥିପାଇଁ ରାଜ୍ୟ ସରକାରଙ୍କସ୍ତରରେ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବାବେଳେ ଉଦଘାଟନୀ ଉତ୍ସବର ଟିକେଟକୁ ନେଇ ଏବେ ଆଇଏଏସ୍ ଓ ଓଏଏସ ଅଫିସରଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି । ବିଶେଷକରି ଆଇଏଏସ୍ ଅଫିସରମାନଙ୍କ ପାଇଁ ଲୋକସେବା ଭବନ ଭିତରେ ଟିକେଟ୍ ବିକ୍ରିର ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିବାବେଳେ ଷ୍ଟାଡ଼ିୟମରେ ସେମାନଙ୍କ ବସିବା ନିମନ୍ତେ ମଧ୍ୟ ସ୍ୱତନ୍ତ୍ର ଜୋନ୍‌ର ବ୍ୟବସ୍ଥା ହୋଇଛି । ଅନ୍ୟପକ୍ଷରେ ରାଜ୍ୟର ଓଏଏସ୍ ଅଫିସରମାନଙ୍କ ସମେତ ସଚିବାଳୟ ସେବାସଂଘ ଅଫିସର ଓ ଅନ୍ୟ ପଦାଧିକାରୀମାନଙ୍କୁ ଅଣଦେଖା କରାଯାଇଥିବାକୁ ନେଇ ଏବେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ମିଳିଥିବା ସୂଚନା ଅନୁସାରେ, ୧୧ତାରିଖରେ କଟକ ବାରବାଟୀ ଷ୍ଟାଡ଼ିୟମରେ ବିଶ୍ୱକପ୍ ହକି ଉଦଘାଟନୀ ଉତ୍ସବର ଟିକେଟ୍ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ ହୋଇନଥିବାବେଳେ ଲୋକସେବା ଭବନ ପରିସରରେ ଆଇଏଏସ୍ ଅଫିସରମାନଙ୍କ ନିମନ୍ତେ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି । ଆଇଏଏସ ଅଫିସରମାନେ କିଭଳି ସହଜରେ ଟିକେଟ୍ ନେଇପାରିବେ ସେଥିପାଇଁ ହକି ଫେଡେରେସନ ସହ ମଧ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି । ଲୋକସେବା ଭବନରେ ଯୋଜନା ଓ ସଂଯୋଜନ ବିଭାଗର ଯୁଗ୍ମ ସଚିବ ମନୀଷ ଅଗ୍ରୱାଲଙ୍କୁ ଆଇଏଏସ୍ ଅଫିସରମାନଙ୍କୁ ଟିକେଟ୍ ବିକ୍ରି ଦାୟିତ୍ୱ ଦିଆଯାଇଛି । ଏହି ଟିକେଟର ଦାମ ୫୦୦ଟଙ୍କା ରଖାଯାଇଛି । ଆୟୋଜକ କମିଟିର ସଦସ୍ୟ ଥିବା ଆଇଏଏସ୍ ଅଫିସରମାନେ ସର୍ବାଧିକ ୪ଟି ଟିକେଟ୍ ଓ ୨ଟି କାର ପାସ୍ ନେଇପାରିବେ।

ସେହିପରି ଅନ୍ୟ ଆଇଏଏସ ଅଫିସରମାନଙ୍କୁ ୨ଟି ଟିକେଟ୍ ଓ ଗୋଟିଏ କାର ପାସ୍ ମିଳିବ। ଯେଉଁ ଆଇଏଏସ୍ ଅଫିସରମାନେ ଟିକେଟ୍ କିଣିବାକୁ ଚାହାଁନ୍ତି ସେମାନେ ଶ୍ରୀ ଅଗ୍ରୱାଲଙ୍କଠୁ ଟଙ୍କା ଦେଇ ଏହି ଟିକେଟ୍ ନେଇପାରିବେ । ଆଇଏଏସ୍ ଅଫିସରମାନେ ଚାହିଁଲେ ନିଜ ପରିବାର ଓ ସମ୍ପର୍କୀୟମାନଙ୍କ ପାଇଁ ମଧ୍ୟ ଅଧିକ ଟିକେଟ୍ କିଣି ନେଇପାରିବେ । ଜାନୁୟାରୀ ୧୦ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ ଏହି ଟିକେଟ୍ ବିକ୍ରି ହେବ । ଯଦି ଟିକେଟ୍ ବଳକା ରୁହେ, ତାକୁ ସେହିଦିନ ଅପରାହ୍ନ ୫ଟା ସୁଦ୍ଧା ହକି ଇଣ୍ଡିଆକୁ ଫେରସ୍ତ କରାଯିବ । ଏହି ଟିକେଟ୍ ବିକ୍ରି ଅର୍ଥ ମଧ୍ୟ ହକି ଇଣ୍ଡିଆକୁ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ବରିଷ୍ଠ ଆଇଏଏସମାନଙ୍କ ବସିବା ପାଇଁ ଉଦଘାଟନୀ ସମାରୋହ ଦିନ ଷ୍ଟାଡ଼ିୟମର ହଳିଦିଆ ଜୋନ୍ ଓ ଅନ୍ୟ ଆଇଏଏସଙ୍କ ବସିବା ପାଇଁ ନୀଳ ଜୋନ୍ ର ବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି।

ସେହିପରି ଉଦଘାଟନୀ ଉତ୍ସବ ନିମନ୍ତେ ଶାସକ ବିଜେଡି ପ୍ରାୟ ୫ହଜାର ଟିକେଟ୍ ଓ ପାସ୍ ନେଇଛି । ବିଜେଡି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ ଏବେ ଦଳୀୟ ନେତା ଓ କର୍ମୀମାନଙ୍କୁ ଏହି ଟିକେଟ୍ ଓ ପାସ୍ ବଂଟନ କରୁଥିବା ସୂଚନା ମିଳିଛି । ସେହିପରି କଟକର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସହରର ବିଭିନ୍ନ କମିଟିକୁ ୧୦୦ଟି ଲେଖାଏଁ ଟିକେଟ୍ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଛି ।

ଅନ୍ୟପକ୍ଷରେ ଓଡ଼ିଶାରେ ବିଶ୍ୱକପ୍ ହକି ମ୍ୟାଚର ସଫଳ ଆୟୋଜନ ପାଇଁ ରାଜ୍ୟର ଓଏଏସ୍ ଅଫିସର, ସଚିବାଳୟ ସେବାସଂଘ କର୍ମଚାରୀ, ପୁଲିସ ଅଫିସର ଓ ଅନ୍ୟାନ୍ୟ ବିଭାଗର ଅଫିସରମାନେ ଦିନରାତି ପରିଶ୍ରମ କରିଥିଲେ ମଧ୍ୟ ସେମାନଙ୍କୁ ଆଇଏଏସ୍ ଅଫିସରମାନଙ୍କ ଭଳି ସୁବିଧା ଉପଲବ୍ଧ ହୋଇପାରିନି । ଶାସକ ବିଜେଡି ଓ ଆଇଏଏସ୍ ଅଫିସରମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିବାବେଳେ ଅନ୍ୟମାନଙ୍କୁ ଏଥିରୁ ବଂଚିତ କରାଯିବାକୁ ନେଇ ଏବେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ଜଣାପଡ଼ିଛି।

Related story