ସାମ୍ବାଦିକମାନଙ୍କୁ ଜେରା: କଡ଼ା ସମାଲୋଚନା କଲା କଂଗ୍ରେସ ଓ ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ବରିଷ୍ଠ ସାମ୍ବାଦିକମାନଙ୍କୁ କ୍ୟାପିଟାଲ ଥାନା ପୁଲିସ୍ ଦୁଇଦିନ ଧରି ଜେରା କରିବା ଘଟଣାକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିବା ସହ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ପୁଲିସର ବ୍ରିଟିଶ ଶାସନ ମାନସିକତା ଉପରେ କଂଗ୍ରେସ ଅଙ୍ଗୁଳି ଉଠାଇ ଉତ୍ତରପୀଢ଼ୀ କାହାରିକୁ କ୍ଷମା ଦେବେ ନାହିଁ ବୋଲି ସତର୍କ କରାଇ ଦେଇଛି। ପିସିସି ମିଡିଆ କମିଟିର ସଂଯୋଜକ ତଥା ବରିଷ୍ଠ ନେତା ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଆଜି […]

arjay

Manoranjan Sial
  • Published: Friday, 21 August 2020
  • , Updated: 21 August 2020, 06:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ବରିଷ୍ଠ ସାମ୍ବାଦିକମାନଙ୍କୁ କ୍ୟାପିଟାଲ ଥାନା ପୁଲିସ୍ ଦୁଇଦିନ ଧରି ଜେରା କରିବା ଘଟଣାକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିବା ସହ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ପୁଲିସର ବ୍ରିଟିଶ ଶାସନ ମାନସିକତା ଉପରେ କଂଗ୍ରେସ ଅଙ୍ଗୁଳି ଉଠାଇ ଉତ୍ତରପୀଢ଼ୀ କାହାରିକୁ କ୍ଷମା ଦେବେ ନାହିଁ ବୋଲି ସତର୍କ କରାଇ ଦେଇଛି।

ପିସିସି ମିଡିଆ କମିଟିର ସଂଯୋଜକ ତଥା ବରିଷ୍ଠ ନେତା ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଆଜି ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ କହିଛନ୍ତି ଯେ, ବରିଷ୍ଠ ସାମ୍ବାଦିକମାନଙ୍କୁ ଥାନାକୁ ଡାକି ଘଣ୍ଟା ଘଣ୍ଟା ବସାଇ ଜେରା କରିବା ନାଁରେ ମାନସିକ ନିର୍ଯାତନା ଦେବା ଗଣତନ୍ତ୍ର ପାଇଁ ସୁସ୍ଥ ପରମ୍ପରା ନୁହେଁ। ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ସେ ଅନୁରୋଧ କରିବା ସହ ପୁଲିସର ଏହି ବ୍ରିଟିଶ ଶାସନ ମାନସିକତାରେ ପରିବର୍ତ୍ତନ ଦାବି କରିଛନ୍ତି। ସବୁଦିନେ ସେମାନେ ସେହି ଚୌକିରେ ରହିବେ ବୋଲି ସେମାନେ ଭାବିବା ଅନୁଚିତ୍। ସମୟର ପରିବର୍ତ୍ତନ ହେବ। ଉତ୍ତରପୀଢ଼ୀ ଯିଏବି ହେଉ, କାହାକୁ କ୍ଷମା ଦେବେ ନାହିଁ। ଶ୍ରୀ ଜ୍ଞାନେନ୍ଦ୍ର ମଧ୍ୟ ଇ-ମେଲ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଚିଠି ଲେଖି ହସ୍ତକ୍ଷେପ ପାଇଁ ଦାବି କରିଛନ୍ତି।

କମିଶନରେଟ ପୁଲିସର ଦକ୍ଷତା ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଥିବାବେଳେ ସତ୍ୟକୁ ସାମ୍ନା କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଭୁବନେଶ୍ୱର ମହାନଗର ନିଗମ ନଖରେ ଛିଣ୍ଡିବା ଏକ ଘଟଣାକୁ ନେଇ ଥାନାକୁ ଯିବା ଓ କୁରାଢ଼ୀ-କଟୁରୀ ଲଗାଇବାର କ’ଣ ଆବଶ୍ୟକତା ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଗତ ଦୁଇଦିନ ଧରି ରାଜ୍ୟର ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାରମାନଙ୍କୁ କ୍ୟାପିଟାଲ ଥାନା ପୁଲିସ ଜେରା କରିବା ଘଟଣାକୁ ସେ ନିନ୍ଦା କରି କହିଛନ୍ତି ଯେ ସେ ଜଣେ ସାଧାରଣ ଶ୍ରୋତା ଭାବେ ଅଡିଓ ବାର୍ତ୍ତାକୁ ଶୁଣିଛନ୍ତି। ସେଥିରେ ସେଭଳି କିଛି ନାହିଁ ଯେଉଁଥିରେ ସରକାରୀ କଳ ବିବ୍ରତ ହୋଇପଡ଼ିବ। ଏହାଠୁ ଆହୁରି କଟୂଭାଷାରେ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ନିନ୍ଦିତ କଲା ଭଳି ଭିଡିଓ ସୋସିଆଲ ମିଡିଆରେ ବୁଲୁଛି। ସରକାର ଓ କମିଶନରେଟ ପୁଲିସ୍ ତ କେବେ କାର୍ଯ୍ୟାନୁଷ୍ଠାନ କରିନାହାନ୍ତି? ପୁଲିସ ଏହି ଘଟଣାରେ ଯେଭଳିତ୍ତତତ୍ପରତା ପ୍ରକାଶ କରୁଛି, ଯଦି କମିଶନରେଟ ପୁଲିସ ଅଂଚଳରେ ଦିନ ଦ୍ୱିପ୍ରହରରେ ହେଉଥିବା ଲୁଟ୍ ପ୍ରତି ଧ୍ୟାନଦିଅନ୍ତା ନଗରବାସୀ ଉପକୃତ ହୁଅନ୍ତେ।

ସେହିପରି ରାଜ୍ୟ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା ସୋସିଆଲ ମିଡିଆ ମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ‘ଏକ ସମାନ୍ତରାଳ ଗଣଚେତନାର ନିର୍ଭୀକ ଗୋଲନ୍ଦାଜ ସାମ୍ବାଦିକ ଦେବେନ୍ଦ୍ର ପୃଷ୍ଟିଙ୍କୁ ପୁଲିସର ଘଘନ ଜେରା ଶାସନକଳର ଭୟକୁ ହିଁ ପ୍ରମାଣିତ କରୁଛି।

Related story