ଶ୍ରୀଜଗନ୍ନାଥ ଅର୍ଥ ସୁରକ୍ଷିତ ନେଇ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି କଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୟେସ୍ ବ୍ୟାଙ୍କ ଭଳି ଘରୋଇ ବ୍ୟାଙ୍କରେ ଶ୍ରୀମନ୍ଦିରର ସ୍ଥାୟୀ ଜମା ସୁରକ୍ଷିତ ଥିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଦାବି କରିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର କହିଛନ୍ତି ଯେ, ଏବେ ସମଗ୍ର ଦେଶରେ ଆର୍ଥିକ ସଙ୍କଟ ଦେଖାଦେଇଛି। ସରକାରୀ ହେଉ ଅବା ବେସରକାରୀ ବ୍ୟାଙ୍କକୁ ଲୁଟାଯାଉଛି। ୟେସ୍ ବ୍ୟାଙ୍କ ଏବେ ଦେବାଳିଆ ପରିସ୍ଥିତିରେ ପହଂଚିଛି। ପୁରୀ […]

narasingha

Manoranjan Sial
  • Published: Saturday, 07 March 2020
  • , Updated: 07 March 2020, 10:09 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୟେସ୍ ବ୍ୟାଙ୍କ ଭଳି ଘରୋଇ ବ୍ୟାଙ୍କରେ ଶ୍ରୀମନ୍ଦିରର ସ୍ଥାୟୀ ଜମା ସୁରକ୍ଷିତ ଥିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଦାବି କରିଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର କହିଛନ୍ତି ଯେ, ଏବେ ସମଗ୍ର ଦେଶରେ ଆର୍ଥିକ ସଙ୍କଟ ଦେଖାଦେଇଛି। ସରକାରୀ ହେଉ ଅବା ବେସରକାରୀ ବ୍ୟାଙ୍କକୁ ଲୁଟାଯାଉଛି। ୟେସ୍ ବ୍ୟାଙ୍କ ଏବେ ଦେବାଳିଆ ପରିସ୍ଥିତିରେ ପହଂଚିଛି। ପୁରୀ ଶ୍ରୀଜଗନ୍ନାଥଙ୍କ ୫୪୫କୋଟି ଟଙ୍କା ଘରୋଇ ‘ୟେସ୍ ବ୍ୟାଙ୍କ’ରେ କେଉଁ ପରିସ୍ଥିତିରେ, କ’ଣ ପାଇଁ ଓ କାହା ନିର୍ଦ୍ଦେଶରେ ରଖାଗଲା ତା’ର ଉତ୍ତର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଦିଅନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି।

ସରକାରଙ୍କ ବିନା ନିର୍ଦ୍ଦେଶରେ ଘରୋଇ ବ୍ୟାଙ୍କରେ ଅର୍ଥ ରଖି ହେବ ନାହିଁ । ତେବେ କିଭଳି ଭାବେ କେଉଁ ଅଧିକାରୀ ଏହି ଟଙ୍କା ରଖିଲେ ଓ ଯଦି ସରକାରଙ୍କ ଅଜାଣତରେ ରଖାଯାଇଥିଲା ତା’ହେଲେ ମୁଖ୍ୟମନ୍ତ୍ରୀ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ତା’ର ଜବାବ ଦିଅନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି। ପ୍ରତ୍ୟେକ ଜଗନ୍ନାଥପ୍ରେମୀଙ୍କର ଜଗନ୍ନାଥଙ୍କ ସମ୍ପତ୍ତି ସମ୍ପର୍କରେ ଜାଣିବାର ଅଧିକାର ରହିଛି । ତେଣୁ ମୁଖ୍ୟମନ୍ତ୍ରୀ ଏହାର ଯଦି ତୁରନ୍ତ ଜବାବ ନଦିଅନ୍ତି ତେବେ ଏହା ପଛରେ ତାଙ୍କର ପ୍ରଚ୍ଛନ୍ନ ହାତ ରହିଛି। ତାଙ୍କ ଇଙ୍ଗିତରେ କରାଯାଇଥିବା ପ୍ରମାଣିତ ହେବ। ଏହି ଘଟଣାକୁ ନେଇ କଂଗ୍ରେସ ବିଧାନସଭାରେ ପ୍ରଶ୍ନ ଉଠାଇବ ଓ ସରକାରଙ୍କଠୁ ଜବାବ ଲୋଡ଼ିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କୁ ଯେତେବେଳ ସାମ୍ବାଦିକମାନେ ଏହା ଉପରେ ପ୍ରଶ୍ନ କରିଥିଲେ ସେ କହିଥିଲେ ଯେ ଅନୁଧ୍ୟାନ କରି କହିବେ। ଏହାର ଅର୍ଥ ହେଲା ସେ ଏହାକୁ ଗୁରୁତ୍ୱ ନଦେଇ ଖାମଖିଆଲି ଭାବେ କହୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ମତ ଲୋକଙ୍କ ମନରେ ଅଧିକ ସନ୍ଦେହ ସୃଷ୍ଟି କରିଛି। ଯଦି ମୁଖ୍ୟମନ୍ତ୍ରୀ ଏହାର ସ୍ପଷ୍ଟ ଉତ୍ତର ନରଖିବେ ତେବେ ଧରାଯିବ ଯେ ଏଥିରେ ଓଡ଼ିଶା ସରକାରଙ୍କ ମନ୍ଦ ଉଦ୍ଦେଶ୍ୟ ଅଛି ଓ ଏହା ପଛରେ ସରକାରଙ୍କ ହାତ ରହିଛି। ତେଣୁ ଏହି ଘଟଣାର ନିରପେକ୍ଷ ତଦନ୍ତ ହେବାର ଆବଶ୍ୟକତା ଅଛି। ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ କମିଶନ ତଦନ୍ତ ଭଳି ଏହା କରାନଯାଉ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ଶିବାନନ୍ଦ ରାୟ, କୈଳାସ ଆଚାର୍ଯ୍ୟ ଓ ମନୋଜ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Related story