ତିର୍ତ୍ତୋଲରେ ଅଳ୍ପକେ ସମ୍ମାନ ରଖିଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତିର୍ତ୍ତୋଲ ବିଧାନସଭା ଆସନରେ ବିଜେଡି ବାଜିମାତ୍ କରିଥିବାବେଳେ ବିଜେପିଠୁ ବାଲେଶ୍ୱର ସଦର ଆସନକୁ ଛଡ଼ାଇ ନେଇଛି। ଉଭୟ ଆସନରେ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ ଟକ୍କର ହୋଇଥିବାବେଳେ କଂଗ୍ରେସ ବାଲେଶ୍ୱର ଆସନରେ ନିଜର ଅସ୍ତିତ୍ୱ ହରାଇ ବସିଛି। କଂଗ୍ରେସକୁ ଏହି ଦୁଇଟି ଯାକ ଆସନରେ ମୋଟ ୧୦.୨୫% ଭୋଟ୍ ପଡ଼ିଥିବାବେଳେ ବାଲେଶ୍ୱରରେ ଦଳର ପ୍ରାର୍ଥୀ ମମତା କୁଣ୍ଡୁ ଅମାନତ ହରାଇଛନ୍ତି। ତେବେ ତିର୍ତ୍ତୋଲ ଆସନରେ ଦଳୀୟ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକଙ୍କ ଅମାନତ […]

congress

Manoranjan Sial
  • Published: Tuesday, 10 November 2020
  • , Updated: 10 November 2020, 11:09 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତିର୍ତ୍ତୋଲ ବିଧାନସଭା ଆସନରେ ବିଜେଡି ବାଜିମାତ୍ କରିଥିବାବେଳେ ବିଜେପିଠୁ ବାଲେଶ୍ୱର ସଦର ଆସନକୁ ଛଡ଼ାଇ ନେଇଛି। ଉଭୟ ଆସନରେ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ ଟକ୍କର ହୋଇଥିବାବେଳେ କଂଗ୍ରେସ ବାଲେଶ୍ୱର ଆସନରେ ନିଜର ଅସ୍ତିତ୍ୱ ହରାଇ ବସିଛି। କଂଗ୍ରେସକୁ ଏହି ଦୁଇଟି ଯାକ ଆସନରେ ମୋଟ ୧୦.୨୫% ଭୋଟ୍ ପଡ଼ିଥିବାବେଳେ ବାଲେଶ୍ୱରରେ ଦଳର ପ୍ରାର୍ଥୀ ମମତା କୁଣ୍ଡୁ ଅମାନତ ହରାଇଛନ୍ତି। ତେବେ ତିର୍ତ୍ତୋଲ ଆସନରେ ଦଳୀୟ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକଙ୍କ ଅମାନତ ଅଳ୍ପକେ ରକ୍ଷା ପାଇଯାଇଛି।

ନିର୍ବାଚନ କମିଶନଙ୍କ ଫଳାଫଳ ଅନୁସାରେ ଏହି ଦୁଇଟି ଯାକ ଆସନରେ ବିଜେଡିକୁ ମୋଟ ୫୨.୩୬ ପ୍ରତିଶତ ଭୋଟ୍ ମିଳିଥିବାବେଳେ ବିଜେପିକୁ ୩୫.୬୪% ଓ କଂଗ୍ରେସକୁ ୧୦.୨୫ ପ୍ରତିଶତ ଭୋଟ୍ ମିଳିଛି।

ତିର୍ତ୍ତୋଲ ଆସନରେ ବିଜେଡିକୁ ୫୨.୯୧ %, ବିଜେପିକୁ ୨୭.୯୨ ପ୍ରତିଶତ ଓ କଂଗ୍ରେସକୁ ୧୭.୨୪ ପ୍ରତିଶତ ଭୋଟ୍ ମିଳିଛି। ଏହି ଆସନରେ କଂଗ୍ରେସର ବରିଷ୍ଠ ତଥା ପ୍ରଭାବଶାଳୀ ନେତା ଚିରଞ୍ଜିବୀ ବିଶ୍ୱାଳ ଓ ରଞ୍ଜିବ ବିଶ୍ୱାଳଙ୍କ ପ୍ରଭାବ ରହିଥିଲେ ମଧ୍ୟ ଦଳୀୟ ପ୍ରାର୍ଥୀ ଅମାନତ ହରାଇବାରୁ ଅଳ୍ପକେ ବର୍ତ୍ତିଛନ୍ତି। କଂଗ୍ରେସ ପ୍ରାର୍ଥୀଙ୍କୁ ୨୮୭୭୮ଟି ଭୋଟ୍ ମିଳିଥିବାବେଳେ ଅମାନତ ଭୋଟ୍ ୨୭୮୨୧ ଖଣ୍ଡ ବୋଲି ହିସାବରୁ ଜଣାପଡ଼ିଛି। ତିର୍ତ୍ତୋଲରେ ପୋଷ୍ଟାଲ ଭୋଟ୍ ସର୍ବାଧିକ ୧୫୧୩ଟି ବିଜେଡି ସପକ୍ଷରେ ପଡ଼ିଥିବାବେଳେ ବିଜେପିକୁ ୫୦୭ଟି, କଂଗ୍ରେସକୁ ୪୨୧ଟି ମିଳିଛି। ଏଠାରେ ୫ଜଣ ସ୍ୱାଧୀନ ପ୍ରାର୍ଥୀ ଥିଲେ ମଧ୍ୟ କାହାରି ଭୋଟ୍ ପରିମାଣ ହଜାରେ ଛୁଇଁପାରିନି।

ସେହିପରି ବାଲେଶ୍ୱର ସଦର ଆସନରେ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁଙ୍କୁ ମାତ୍ର ୩.୦୭% ଭୋଟ୍ ମିଳିଛି । ଶ୍ରୀମତୀ କୁଣ୍ଡୁଙ୍କୁ ମାତ୍ର ୪୯୮୩ଟି ଭୋଟ୍ ମିଳିଥିବାବେଳେ ବିଜେଡି ପ୍ରାର୍ଥୀଙ୍କୁ ୫୧.୮ ପ୍ରତିଶତ ଅର୍ଥାତ୍ ୮୪୦୯୭ ଖଣ୍ଡ ଓ ବିଜେପି ପ୍ରାର୍ଥୀ ମାନସ କୁମାର ଦତ୍ତଙ୍କୁ ୪୩.୫୮ ପ୍ରତିଶତ ଅର୍ଥାତ ୭୦୭୪୬ଖଣ୍ଡ ଭୋଟ୍ ପଡ଼ିଛି। ତିର୍ତ୍ତୋଲରେ ନୋଟାରେ ୭୮୬ଟି ଭୋଟ୍ ଓ ବାଲେଶ୍ୱରରେ ୭୦୦ଟି ଭୋଟ୍ ପଡ଼ିଥିବା ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି।

Related story