ନବୀନଙ୍କ ଲୋକପ୍ରିୟତା ଉପରେ ପ୍ରଶ୍ନ ଉଠାଇଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏକ ଜାତୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ଅଭିହିତ କରାଯିବା ପରେ ବିରୋଧୀ କଂଗ୍ରେସ ତୀବ୍ର ସମାଲୋଚନା କରିବା ସହ ଉକ୍ତ ଗଣମାଧ୍ୟମ ସଂସ୍ଥାର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଆଜି ତାଙ୍କ ଦଳ ବିଜେଡି ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିବାବେଳେ ରାଜ୍ୟର ସ୍ଥିତି ଏତେ ବିପର୍ଯ୍ୟସ୍ତ ଥିବାବେଳେ ନବୀନ କିଭଳି ଏକନମ୍ବର ହେଲେ […]

congress

Manoranjan Sial
  • Published: Saturday, 16 January 2021
  • , Updated: 16 January 2021, 07:00 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏକ ଜାତୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ଅଭିହିତ କରାଯିବା ପରେ ବିରୋଧୀ କଂଗ୍ରେସ ତୀବ୍ର ସମାଲୋଚନା କରିବା ସହ ଉକ୍ତ ଗଣମାଧ୍ୟମ ସଂସ୍ଥାର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଆଜି ତାଙ୍କ ଦଳ ବିଜେଡି ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିବାବେଳେ ରାଜ୍ୟର ସ୍ଥିତି ଏତେ ବିପର୍ଯ୍ୟସ୍ତ ଥିବାବେଳେ ନବୀନ କିଭଳି ଏକନମ୍ବର ହେଲେ ବୋଲି କଂଗ୍ରେସ ଆଶ୍ଚର୍ଯ୍ୟବ୍ୟକ୍ତ କରିଛି। ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟରେ ଚାଷୀ ହତାଶ ସ୍ଥିତିରେ ଥିବାବେଳେ ବେକାରୀ ଓ ଦାଦନ ସମସ୍ୟା ବଢ଼ିଚାଲିଛି। ନାରୀ ନିର୍ଯାତନା, ପିଲାଚୋରି, ରାଜନୀତିକ ହତ୍ୟା ଓ ଦୁର୍ନୀତି ବଢ଼ିବାରେ ଲାଗିଛି। ଏସବୁ ସତ୍ତ୍ୱେ ନବୀନ ପଟ୍ଟନାୟକ ଏକ ନମ୍ବର ମୁଖ୍ୟମନ୍ତ୍ରୀ। କେବଳ ଲୋକଙ୍କୁ ବିଭ୍ରାନ୍ତି କରିବା ପାଇଁ ଏପରି ଡ୍ରାମା ଚାଲିଛି ବୋଲି ନିରଞ୍ଜନ କହିଛନ୍ତି।

ସେହିପରି କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ଯେ, ଉକ୍ତ ସଂସ୍ଥା କେଉଁଆଡ଼ୁ ନବୀନ ପଟ୍ଟନାୟକଙ୍କୁ ଏକନମ୍ବର କଲା ତାହା ସେ ବୁଝିପାରୁନାହାନ୍ତି । ଓଡ଼ିଶା ଋଣଭାରରେ ବୁଡ଼ି ରହିଛି। ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶିଶୁ ହତ୍ୟା, ପରୀ, ଇତିଶ୍ରୀ,ବେବିନା,ମାଧବୀଲତା,ସ୍ମିତାରାଣୀ ଭଳି ମହିଳାଙ୍କ ହତ୍ୟା ହୋଇଛି। ୯ମାସ ଧରି ମୁଖ୍ୟମନ୍ତ୍ରୀ ଘରେ ରହିଛନ୍ତି। ଆଇନଶୃଙ୍ଖଳା ଫେଲ୍ ମାରିଛି। ଚାଷୀ ହନ୍ତସନ୍ତ ହେଉଛନ୍ତି। ଏଠି ଗଣତନ୍ତ୍ରକୁ ହତ୍ୟା କରାଯାଉଛି। ଲୋକପ୍ରତିନିଧିଙ୍କ ସ୍ଥାନ ନାହିଁ। ଅଫିସର ସବୁକିଛି। ତଥାପି ନବୀନ ପଟ୍ଟନାୟକ କିଭଳି ଏକ ନମ୍ବର ହେଲେ ବୋଲି ସେ ପ୍ରଶ୍ନ କରିଛନ୍ତି।

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମରେ ଓଡ଼ିଶାକୁ ଅଗ୍ରାଧିକାର ଦେବା ସହ ପ୍ରାକୃତିକ ବିପର୍ଯ୍ୟୟ ଓ କରୋନା କାଳରେ ଅଧିକ ସମ୍ବେଦନଶୀଳତା ଦେଖାଇ ସହଯୋଗର ହାତ ବଢ଼ାଇଥିଲେ। ଓଡ଼ିଶାବାସୀ ଏହାକୁ ସ୍ୱୀକୃତି ଦେଇଛନ୍ତି। ଏଠାର ସରକାର ଯେଉଁଭଳି କେନ୍ଦ୍ରୀୟ ଯୋଜନାକୁ ନିଜସ୍ୱ ବ୍ରାଣ୍ଡିଂ ପାଇଁ ଅହରହ ଉଦ୍ୟମ କରୁଛି ତାହା ମଧ୍ୟ ଲୋକେ ଜାଣିସାରିଲେଣି।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କୁ ଜାତୀୟ ଗଣମାଧ୍ୟମ ସଂସ୍ଥା ଏବିଭି ପକ୍ଷରୁ ଦେଶର ଏକନମ୍ବର ମୁଖ୍ୟମନ୍ତ୍ରୀ ଭାବେ ଅଭିହିତ କରାଯିବାପରେ ଆଜି ନବୀନ ନିବାସରେ ଶ୍ରୀ ପଟ୍ଟନାୟକଙ୍କୁ ବିଜେଡିର ବରିଷ୍ଠ ନେତାମାନେ ସାକ୍ଷାତ କରି ଶୁଭେଚ୍ଛା ଜଣାଇଛନ୍ତି। ସମାଜର ବିଭିନ୍ନ ବର୍ଗର ଲୋକମାନଙ୍କୁ ମଧ୍ୟ ନବୀନ ନିବାସ ନିଆଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରାଇବାର ସୁଯୋଗ ଦିଆଯାଇଥିଲା। ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଯୁବ ଓ ଛାତ୍ର ୱିଙ୍ଗ ପକ୍ଷରୁ ଏନେଇ ସେଲିବ୍ରେସନ୍ ହୋଇଥିବାବେଳେ ପୁରୀରେ ବିଜେଡି କର୍ମୀମାନେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ସମ୍ମୁଖରେ ସମୂହ ଦୀପଦାନ କରି ନବୀନଙ୍କ ଦୀର୍ଘାୟୁ କାମନା କରିଛନ୍ତି।

Related story