ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜୀବନ ଯୁଦ୍ଧରେ ହାରିଗଲେ ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନା। ଆଜି ତାଙ୍କର ପରଲୋକ ହୋଇଯାଇଛି। ତାଙ୍କ ସାନ ଭାଇ ମନୋଜ ଜେନା ଏହି ସୂଚନା ଦେଇଛନ୍ତି। ସଂଗ୍ରାମ ହେଉଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କ ପୁଅ।
ମୃତ୍ୟୁ ବେଳକୁ ସଂଗ୍ରାମଙ୍କୁ ୪୪ ବର୍ଷ ହୋଇଥିଲା। ସେ କୋଭିଡ୍ରେ ଆକ୍ରାନ୍ତ ହୋଇ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ। ୮୪ ଦିନ ହେଲା ଇକ୍ମୋ ଚିକିତ୍ସାରେ ରହିଥିଲେ। ତାଙ୍କ ଅବସ୍ଥାରେ ସୁଧାର ମଧ୍ୟ ଆସିଥିଲା। ତେବେ ଆଜି ସକାଳେ ତାଙ୍କର ହୃଦ୍ଘାତରେ ପରଲୋକ ହୋଇଥିଲା।
କୋଭିଡ୍ରେ ଆକ୍ରାନ୍ତ ହୋଇ ଗୁରୁତର ହେବା ପରେ ମେ’ ମାସ ଶେଷ ସପ୍ତାହରେ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ହାଇଦ୍ରାବାଦ ନିଆଯାଇଥିଲା। ତା’ପୂର୍ବରୁ ଓଡ଼ିଶାରେ ୩ ସପ୍ତାହରୁ ଅଧିକ ଦିନ ଧରି ଏକ ଘରୋଇ ହସ୍ପିଟାଲ୍ରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟାରେ ସଂଗ୍ରାମଙ୍କ ମୃତଦେହକୁ ହାଇଦ୍ରାବାଦରୁ ଭୁବନେଶ୍ୱର ଅଣାଯିବ। ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବାର କାର୍ଯ୍ୟକ୍ରମ ରହିଛି।
ସଂଗ୍ରାମଙ୍କ ପରଲୋକରେ ଦୁଃଖ ପ୍ରକାଶ କରିଛନ୍ତି ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ। ସେ ପୂର୍ବତନ ରାଜ୍ୟ କଂଗ୍ରେସ ସଭାପତି ଜୟଦେବ ଜେନା ଓ ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।
ସେହିପରି ଦଳର ଅନ୍ୟ ନେତାମାନେ ମଧ୍ୟ ସଂଗ୍ରାମଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି। ସୁର ରାଉତରାୟ, ନରସିଂହ ମିଶ୍ର ଓ ରାମଚନ୍ଦ୍ର ଖୁଣ୍ଟିଆ ପ୍ରମୁଖ ଶୋକବ୍ୟକ୍ତ କରିବା ସହିତ ସଂଗ୍ରାମଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ସେହିପରି ଅନ୍ୟ ରାଜନୈତିକ ଦଳର ନେତାମାନେ ବି ଶୋକ ପ୍ରକାଶ କରିଛନ୍ତି। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ସଂଗ୍ରାମଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।
ସୂଚନାଯୋଗ୍ୟ, ସଂଗ୍ରାମ ୨୦୧୪ ସାଧାରଣ ନିର୍ବାଚନରେ ଭଦ୍ରକ ଲୋକସଭା ଆସନରେ କଂଗ୍ରେସ ତରଫରୁ ପ୍ରାର୍ଥୀ ହୋଇଥିଲେ। ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନରେ ସଭାପତି ପଦବୀ ପାଇଁ ମଧ୍ୟ ଲଢ଼ିଥିଲେ।