କେବେ ସୁଧରିବେ କଂଗ୍ରେସ ନେତା, କର୍ମୀ ହତୋତ୍ସାହିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ନେତାମାନଙ୍କର ଆଗଚଲା ଗୁଣ, ଆବଶ୍ୟକତାଠୁ ଅଧିକ ଗଣମାଧ୍ୟମରେ ବୟାନବାଜି ଓ ପରସ୍ପରର ଗୋଡ଼ ଟଣା ନୀତି ଯୋଗୁ ଦଳ ଏବେ ଓଡ଼ିଶାରେ ନିଜର ଅସ୍ତିତ୍ୱ ହରାଇବାକୁ ବସିଛି । ତଥାପି କଂଗ୍ରେସ ନେତାମାନଙ୍କ ଚେତା ପଶୁନି ଓଲଟା ଦୀର୍ଘ ୨୨ବର୍ଷ ଧରି କ୍ଷମତା ବାହାରେ ଦଳର ସଂଗଠନ ପାଇଁ ଲଢ଼େଇ କରୁଥିବା କର୍ମୀଙ୍କୁ ହତୋତ୍ସାହିତ କରିବା ଭଳି ବୟାନବାଜି ଦେବାରେ ଲାଗିଛନ୍ତି । ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ ରାଉତରାୟ […]

Sura

Ordigital Desk
  • Published: Saturday, 23 April 2022
  • , Updated: 24 April 2022, 10:10 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ନେତାମାନଙ୍କର ଆଗଚଲା ଗୁଣ, ଆବଶ୍ୟକତାଠୁ ଅଧିକ ଗଣମାଧ୍ୟମରେ ବୟାନବାଜି ଓ ପରସ୍ପରର ଗୋଡ଼ ଟଣା ନୀତି ଯୋଗୁ ଦଳ ଏବେ ଓଡ଼ିଶାରେ ନିଜର ଅସ୍ତିତ୍ୱ ହରାଇବାକୁ ବସିଛି । ତଥାପି କଂଗ୍ରେସ ନେତାମାନଙ୍କ ଚେତା ପଶୁନି ଓଲଟା ଦୀର୍ଘ ୨୨ବର୍ଷ ଧରି କ୍ଷମତା ବାହାରେ ଦଳର ସଂଗଠନ ପାଇଁ ଲଢ଼େଇ କରୁଥିବା କର୍ମୀଙ୍କୁ ହତୋତ୍ସାହିତ କରିବା ଭଳି ବୟାନବାଜି ଦେବାରେ ଲାଗିଛନ୍ତି । ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ ରାଉତରାୟ ଆଜି ଗଣମାଧ୍ୟମକୁ ଦେଇଥିବା ବୟାନକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା । ଅବଶ୍ୟ ପ୍ରତିଦିନ କିଛିନା କିଛି ଅପରିପକ୍ୱ ବୟାନ ଦେଇ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବା ଶ୍ରୀ ରାଉତରାୟଙ୍କ ପାଇଁ ନୂଆ ନୁହେଁ ।

କଂଗ୍ରେସ ବିଧାୟକ ଶ୍ରୀ ରାଉତରାୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଓଡ଼ିଶାରେ ପିସିସି ସଭାପତି କିଏ ହେବ, ପିସିସି ପ୍ରଭାରୀ କିଏ ହେବ ତାହା ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି କରନ୍ତି । ଶ୍ରୀ ରାଉତରାୟଙ୍କ ଭଳି ଜଣେ ବରିଷ୍ଠ ଓ ପୁରୁଖା କଂଗ୍ରେସ ନେତାଙ୍କ ଏଭଳି ବୟାନରେ ସତ୍ୟତା ଥାଉକି ନଥାଉ, ଦୀର୍ଘଦିନ ଧରି କଂଗ୍ରେସର ସଂଗଠନକୁ ତୃଣମୂଳସ୍ତରରେ ବଂଚାଇ ରଖିଥିବା କର୍ମୀଙ୍କୁ ନିରାଶ କରିଛି । ତୃଣମୂଳସ୍ତରରେ ବିଜେଡି ସହ ଲଢ଼େଇ କରୁଥିବା କଂଗ୍ରେସ କର୍ମୀଙ୍କ ପାଇଁ ଏଭଳି ବୟାନ ହତୋତ୍ସାହିତ କରିବା ସଦୃଶ ହୋଇଛି ।

ଅବଶ୍ୟ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ମଧ୍ୟ କଂଗ୍ରେସ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏଭଳି ଅଭିଯୋଗ କରିଥିଲେ । ତାଙ୍କୁ ପିସିସି ସଭାପତି ପଦରୁ ହଟାଇବା ପଛରେ ନବୀନ ଅଛନ୍ତି । ସେତେବେଳେ ତାଙ୍କର ଏହି ବୟାନକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା ।

ଅନ୍ୟପକ୍ଷରେ କଂଗ୍ରେସ ବିଧାୟକଙ୍କ ଏଭଳି ବୟାନ ଉପରେ ପ୍ରତିକ୍ରିୟା ଦେଇ ବିଜେଡି ନେତା ଦେବାଶୀଷ ସାମନ୍ତରାୟ କହିଛନ୍ତି ଯେ, ଏହା ଅତ୍ୟନ୍ତ ହାସ୍ୟାସ୍ପଦ କଥା । କଂଗ୍ରେସ ହେଉଛି ଏକ ଜାତୀୟ ଦଳ । ବିଜେଡି ଏକ ଆଂଚଳିକ ଦଳ । ଏଠି କଂଗ୍ରେସ ସହ ବିଜେଡି ସିଧାସଳଖ ଲଢ଼ୁଛି । ଆମେ କେବଳ ବିଜେଡି ସଂଗଠନ କଥା ଦେଖୁଛୁ ।

ସୂଚନାଯୋଗ୍ୟ, କଂଗ୍ରେସରେ ତୀବ୍ର ଗୋଷ୍ଠୀକନ୍ଦଳ ଯୋଗୁ ଦଳ ୨୦୦୦ ମସିହାରୁ କ୍ରମାଗତ ଭାବେ ନିଜର ଅସ୍ତିିତ୍ୱ ହରାଇବାରେ ଲାଗିଛି । ଏବେ ଦଳ ନିଜ ଅସ୍ତିତ୍ୱ ପାଇଁ ଲଢ଼େଇ କରୁଥିବାବେଳେ ପଂଚାୟତ ଓ ପୌର ନିର୍ବାଚନରେ ଅନେକ ସ୍ଥାନରେ ସମ୍ପୂର୍ଣ୍ଣ ପୋଛି ହୋଇଯାଇଛି । କେବଳ ଏହି ନେତାମାନଙ୍କ ଆଗଚଲା ଗୁଣ ଓ ଗୋଡ଼ଟଣା ନୀତି ଯୋଗୁ ସ୍ଥିତି ଏପରି ହୋଇଛି ବୋଲି ଚର୍ଚ୍ଚା ହେଉଛି ।

Related story