ଜୋର ଧରିଲା ନରସିଂହ ହଟାଓ ଦାବି, ସୋମବାର ଆସିବେ ଚେଲ୍ଲାକୁମାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କୁ ବିଦା ନିମନ୍ତେ କଂଗ୍ରେସ ହାଇକମାଣ୍ଡ ସବୁଜ ସଙ୍କେତ ଦେଇଥିବାବେଳେ ଏବେ କଂଗ୍ରେସ ବିଧାୟକ ଦଳ ନେତା ପଦରୁ ନରସିଂହ ମିଶ୍ରଙ୍କୁ ହଟାଇବାକୁ ଦାବି ଜୋର ଧରିଛି । ଏପରିକି ଆସନ୍ତା କିଛିଦିନ ମଧ୍ୟରେ କଂଗ୍ରେସ ବିଧାୟକମାନେ ଦିଲ୍ଲୀ ଗସ୍ତରେ ଯାଇ ନରସିଂହଙ୍କୁ ପଦଚ୍ୟୁତ କରିବା ନିମନ୍ତେ ରାହୁଲ ଗାନ୍ଧି ଓ ଅନ୍ୟ ବରିଷ୍ଠ ନେତାମାନଙ୍କୁ ଭେଟିବାର ସମ୍ଭାବନା ରହିଛି । ଆଉ ଏସବୁ ଭିତରେ ଆସନ୍ତା ୨୫ତାରିଖ […]

narasingha

Ordigital Desk
  • Published: Saturday, 23 April 2022
  • , Updated: 24 April 2022, 10:20 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କୁ ବିଦା ନିମନ୍ତେ କଂଗ୍ରେସ ହାଇକମାଣ୍ଡ ସବୁଜ ସଙ୍କେତ ଦେଇଥିବାବେଳେ ଏବେ କଂଗ୍ରେସ ବିଧାୟକ ଦଳ ନେତା ପଦରୁ ନରସିଂହ ମିଶ୍ରଙ୍କୁ ହଟାଇବାକୁ ଦାବି ଜୋର ଧରିଛି । ଏପରିକି ଆସନ୍ତା କିଛିଦିନ ମଧ୍ୟରେ କଂଗ୍ରେସ ବିଧାୟକମାନେ ଦିଲ୍ଲୀ ଗସ୍ତରେ ଯାଇ ନରସିଂହଙ୍କୁ ପଦଚ୍ୟୁତ କରିବା ନିମନ୍ତେ ରାହୁଲ ଗାନ୍ଧି ଓ ଅନ୍ୟ ବରିଷ୍ଠ ନେତାମାନଙ୍କୁ ଭେଟିବାର ସମ୍ଭାବନା ରହିଛି । ଆଉ ଏସବୁ ଭିତରେ ଆସନ୍ତା ୨୫ତାରିଖ ସୋମବାର ପିସିସି ପ୍ରଭାରୀ ଏ ଚେଲ୍ଲାକୁମାର ଓଡ଼ିଶା ଗସ୍ତରେ ଆସି ଦଳୀୟ ନେତାମାନଙ୍କ ସହ ବିଚାରବିମର୍ଶ କରିବେ ବୋଲି ଜଣାପଡ଼ିଛି ।

କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନିରଞ୍ଜନ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ନିଜ ଆଡ଼ୁ ପିସିସି ସଭାପତି ପଦରୁ ଇସ୍ତଫା ପତ୍ର କଂଗ୍ରେସ ହାଇକମାଣ୍ଡଙ୍କ ନିକଟକୁ ପଠାଇ ସାରିଛନ୍ତି । ସେ ପିସିସି ସଭାପତି ପଦରେ ଆଉ ରହିବାକୁ ଚାହାଁନ୍ତି ନାହିଁ ବୋଲି ମଧ୍ୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇସାରିଛନ୍ତି । ନିରଞ୍ଜନଙ୍କ ସ୍ଥାନରେ କାହାକୁ ପିସିସି ସଭାପତି ଦାୟିତ୍ୱ ମିଳିବ ତାହା ଜଣାପଡ଼ିନଥିବାବେଳେ ଦଳର ବିଧାୟକମାନେ ଏବେ ନରସିଂହ ମିଶ୍ରଙ୍କୁ ବିଧାୟକ ଦଳ ନେତା ପଦରୁ ହଟାଇବାକୁ ଦାବି କରିଛନ୍ତି । ନୂଆ ବିଧାୟକ ଦଳ ନେତା ଚୟନ ପାଇଁ ଦଳର ନେତାମାନେ ଖୁବଶୀଘ୍ର ଦିଲ୍ଲୀ ଗସ୍ତ କରିବେ ବୋଲି ଜଣାପଡ଼ିଛି । ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ କାର୍ଯ୍ୟକଳାପରେ ଅଧିକାଂଶ ବିଧାୟକ ଖୁସି ନାହାନ୍ତି ଓ ତାଙ୍କୁ ହଟାଇବାକୁ ଚାହୁଁଛନ୍ତି । ଶ୍ରୀ ମିଶ୍ର ଗତ ୮ବର୍ଷ ହେଲା ବିଧାୟକ ଦଳର ନେତା ଭାବେ କାର୍ଯ୍ୟ କରୁଥିଲେ ମଧ ଦଳକୁ ଏକ ନୂଆ ଦିଶା ଦେବାରେ ସକ୍ଷମ ହୋଇନାହାନ୍ତି ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ଶ୍ରୀ ମିଶ୍ର ୨୦୧୪ରୁ ୨୦୧୯ ମସିହା ପର୍ଯ୍ୟନ୍ତ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ କାର୍ଯ୍ୟ କରିଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ଦଳର ବିପର୍ଯ୍ୟୟ ଓ ବିଧାୟକ ସଂଖ୍ୟା ହ୍ରାସ ପାଇବା ସତ୍ତ୍ୱେ ନରସିଂହ ନିଜର ପଦ ବଜାୟ ରଖିବାରେ ସକ୍ଷମ ହୋଇଛନ୍ତି ।

ପିସିସି ସଭାପତି ପଦରୁ ନିରଞ୍ଜନଙ୍କୁ ହଟାଇବାକୁ ଦଳର ହାଇକମାଣ୍ଡ ନିଷ୍ପତ୍ତି ନେଇସାରିଥିବା ଓ ମେ’ ୭ତାରିଖ ସୁଦ୍ଧା ନୂଆ ପିସିସି ସଭାପତି ନିଯୁକ୍ତିକୁ ନେଇ ଚର୍ଚ୍ଚା ଭିତରେ ବିଧାୟକମାନେ ବି ଏହି ସୁଯୋଗରେ ବିଧାୟକ ଦଳ ନେତା ପଦରୁ ନରସିଂହଙ୍କୁ ହଟାଇ ଅନ୍ୟ କାହାରିକୁ ଉକ୍ତ ଦାୟିତ୍ୱ ଦେବାକୁ ଦାବି ଜଣାଇବାକୁ ଚାହୁଁଚନ୍ତି ।

ପିସିସି ପ୍ରଭାରୀ ଚେଲାକୁମାରଙ୍କ ଗସ୍ତବେଳେ ବିଧାୟକମାନେ ଏହି ପ୍ରସଙ୍ଗରେ ନିଜ ନିଜର ଦାବି ଉପସ୍ଥାପନ କରିପାରିବାର ସମ୍ଭାବନା ଥିବାବେଳେ ନିରଞ୍ଜନଙ୍କୁ ହଟାଇବାକୁ ନେଇ ଦଳର ବିଧାୟକମାନେ ଏକ ଦାବିପତ୍ର ଶ୍ରୀ ଚେଲାକୁମାରଙ୍କୁ ଦେଇପାରନ୍ତି ବୋଲି ଜଣାପଡ଼ିଛି ।

ଏପଟେ କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ଯେ, ପିସିସି ସଭାପତି ହେଉ କି କଂଗ୍ରେସ ପ୍ରଭାରୀ ସବୁ ନିଷ୍ପତ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇଚ୍ଛାରେ ନିଆଯାଏ । ଆସନ୍ତା ମେ’ ୭ତାରିଖ ସୁଦ୍ଧା ରାଜ୍ୟରେ ନୂଆ ପିସିସି ସଭାପତି ନିଯୁକ୍ତି ପ୍ରକ୍ରିୟା ଶେଷ ହେବ ବୋଲି ସେ କହିଛନ୍ତି ।

Related story