କେନ୍ଦ୍ରାପଡ଼ାକୁ ଯାତ୍ରବାହୀ ଟ୍ରେନ: ରାଜଧାନୀରେ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହରିଦାସପୁର-ପାରାଦ୍ୱୀପ ରେଳପଥରେ ଯାତ୍ରୀବାହୀ ଟ୍ରେନ ଚଳାଚଳ ଦାବିରେ ଭୁବନେଶ୍ୱରସ୍ଥିତ ପୂର୍ବତଟ ରେଳପଥର ମୁଖ୍ୟ କାର୍ଯ୍ୟାଳୟଠାରେ କଂଗ୍ରେସ ପକ୍ଷରୁ ଗଣବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଆଜି କେନ୍ଦ୍ରାପଡ଼ା ନଗର ଓ ବ୍ଲକ କଂଗ୍ରେସ ତରଫରୁ ଆୟୋଜିତ ଏହି ଆନ୍ଦୋଳନରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ କେନ୍ଦ୍ର ରେଳ ମନ୍ତ୍ରଣାଳୟର କେନ୍ଦ୍ରାପଡ଼ା ପ୍ରତି ଏହା ଏକ ଅବିଚାର ବୋଲି ଆରୋପ କରିଥିଲେ ଓ ଜିଲ୍ଲା ସ୍ୱାର୍ଥଦୃଷ୍ଟିରୁ ଯାତ୍ରୀବାହୀ ରେଳ […]

rail

Ordigital Desk
  • Published: Monday, 02 January 2023
  • , Updated: 02 January 2023, 10:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହରିଦାସପୁର-ପାରାଦ୍ୱୀପ ରେଳପଥରେ ଯାତ୍ରୀବାହୀ ଟ୍ରେନ ଚଳାଚଳ ଦାବିରେ ଭୁବନେଶ୍ୱରସ୍ଥିତ ପୂର୍ବତଟ ରେଳପଥର ମୁଖ୍ୟ କାର୍ଯ୍ୟାଳୟଠାରେ କଂଗ୍ରେସ ପକ୍ଷରୁ ଗଣବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଆଜି କେନ୍ଦ୍ରାପଡ଼ା ନଗର ଓ ବ୍ଲକ କଂଗ୍ରେସ ତରଫରୁ ଆୟୋଜିତ ଏହି ଆନ୍ଦୋଳନରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ କେନ୍ଦ୍ର ରେଳ ମନ୍ତ୍ରଣାଳୟର କେନ୍ଦ୍ରାପଡ଼ା ପ୍ରତି ଏହା ଏକ ଅବିଚାର ବୋଲି ଆରୋପ କରିଥିଲେ ଓ ଜିଲ୍ଲା ସ୍ୱାର୍ଥଦୃଷ୍ଟିରୁ ଯାତ୍ରୀବାହୀ ରେଳ ଚଳାଚଳର ତୁରନ୍ତ ନିଷ୍ପତ୍ତି ନେବାକୁ ରେଳ କର୍ତ୍ତୃପକ୍ଷଙ୍କୁ ଆହ୍ୱାନ ଦେଇଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି , କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ କେନ୍ଦ୍ରାପଡ଼ାବାସୀଙ୍କ ଯଥାର୍ଥ ଦାବିକୁ ପୂରଣ କରିବା ସହ ଟ୍ରେନ ଚଳାଚଳରେ ବିଳମ୍ବ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି।

ସେହିପରି ଶ୍ରୀ ବେହେରା କହିଥିଲେ ଯେ, କଂଗ୍ରେସ ହରିଦାସପୁର- ପାରାଦ୍ୱୀପ ରେଳପଥର ଯାତ୍ରୀବାହୀ ରେଳ ଚଳାଚଳ ନିମନ୍ତେ ୨୦୨୧ରେ ‘ମାଟି ପାଇଁ ପାଟି ଖୋଲ’ ଓ ଗୋପଠାରେ ‘ରେଳ ରୋକ’ ଆନ୍ଦୋଳନ ସହ ୨୦୨୨ ରେ ମାଟି ପାଇଁ ମାଡ଼ି ଚାଲ ଆନ୍ଦୋଳନ କରିଛି । ପୂର୍ବତଟ ରେଳପଥ ଜିଏମଙ୍କୁ ଭେଟି ଦୁଇ ଦୁଇ ଥର ଦାବି ପତ୍ର ଦେଇଛି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କୁ ମଧ୍ୟ ସେ ନିଜେ ତିନିଥର ଚିଠି ଲେଖି ବିଫଳ ହେବାରୁ ଆଜି ଗଣ ବିକ୍ଷୋଭ କରିବାକୁ ବାଧ୍ୟ ହୋଇଛନ୍ତି । ଆଜିର ଆନ୍ଦୋଳନ ବ୍ୟର୍ଥ ହେଲେ ‘ମାଟି ପାଇଁ ଜେଲ ଚାଲ’ ଆନ୍ଦୋଳନ ଦଳ ପକ୍ଷରୁ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି । ପୂର୍ବତଟ ରେଳପଥ ଜେନେରାଲ ମ୍ୟାନେଜରଙ୍କୁ ଆଜି କଂଗ୍ରେସ ପକ୍ଷରୁ ଦାବିପତ୍ର ଦିଆଯାଇ ଦୁଇଟି ଯାତ୍ରୀବାହୀ ଟ୍ରେନ ଯଥା କଟକ-ପାରାଦ୍ୱୀପ ଭାୟା ହରିଦାସପୁର-କେନ୍ଦ୍ରାପଡ଼ା ଓ ଭଦ୍ରକ- ପାରାଦ୍ୱୀପ ଭାୟା ହରିଦାସପୁର-କେନ୍ଦ୍ରାପଡ଼ା ଚଲାଇବା ପାଇଁ ଦାବି ହୋଇଛି।

ଏହି ଗଣ ବିକ୍ଷୋଭରେ କଂଗ୍ରେସ ନେତା ଚିନ୍ମୟ ପ୍ରସାଦ ବେଉରା, ଜ୍ଞାନଦେବ ବେଉରା, ନଗର ସଭାପତି ରାଜେଶ ମହାନ୍ତି, ବ୍ଲକ ସଭାପତି ଚିତ୍ରସେନ ପରିଡ଼ା, ବରିଷ୍ଠ କଂଗ୍ରେସ ନେତା ପ୍ରଫୁଲ ଦାସ, ଆକବର ଅଲ୍ଳୀ, ମୁକ୍ତାର ଖାଁ, ନାରାୟଣ ଚନ୍ଦ୍ର ପରିଡ଼ା, ଅମୀୟ ପାଣ୍ଡବ, ସତ୍ୟ ସାମଲ, ରମାକାନ୍ତ ଦାସ, ଅମୂଲ୍ୟ ପ୍ରଧାନ, ସର୍ବେସ୍ୱର ସେଠୀ, ପ୍ରଭାତ କୁମାର ଉଡାନ ସିଂ, ଜ୍ୟୋତିରଞ୍ଜନ ପ୍ରଧାନ, ଅଭିଷେକ ବିଶ୍ୱାଳ, ପରଭେଜ ଅଖତର, ରତିକାନ୍ତ ସାମଲ, ସେକ୍ ଅରମାନ, ବୃଷଭାନୁ ଦାସ, ଗଣେଶ ମେକାପ, କ୍ଷମାନିଧି ସାମଲ, ରାକେଶ ମହାନ୍ତି, ମୀର ମୁରସୀଦ, କମଳାକାନ୍ତ ବେହେରା, ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଓ ଭୁବନେଶ୍ୱର ବ୍ଲକ କଂଗ୍ରେସ ସଭାପତି ଅଶୋକ ଦାସ ପ୍ରମୁଖ ସାମିଲ ହୋଇଥିଲେ।

ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ାକୁ ଯାତ୍ରୀବାହୀ ଟ୍ରେନ ଚଳାଚଳ ଦାବିରେ ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଗତ ମାସରେ କରାଯାଇଥିଲା।

Related story