ବଣାଇ(ଓଡ଼ିଶା ରିପୋର୍ଟର): ଲଗାଦାର ମାସେ ଧରି ରାତିରେ କାମ କରାଇବାରୁ ଏଥିରେ ରାଗି ଯାଇ ଜିନ୍ଦଲ କମ୍ପାନୀର ଲଜିଷ୍ଟିକ୍ ମ୍ୟାନେଜରଙ୍କ ଜୀବନ ନେଇଛି ଜଣେ କର୍ମଚାରୀ। ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ବରସୁଆଁ ତଳ ବଜାର ବସ୍ତିରେ ରହୁଥିବା ଜିନ୍ଦଲ କମ୍ପାନୀର ଲଜିଷ୍ଟିକ୍ ମ୍ୟାନେଜର ମୋତିରାମ ପାଲ(୫୯)ଙ୍କ ମୃତ୍ୟୁ ଘଟଣାରେ ପୁଲିସ ଏହି ରହସ୍ୟର ପର୍ଦ୍ଦାଫାସ କରିଥିବା କହିଛି।
ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ବଣାଇ ଉପଖଣ୍ଡ ଭାରପ୍ରାପ୍ତ ପୁଲିସ ଅଧିକାରୀ ସ୍ଵରାଜ କୁମାର ଦେବତା ସୂଚନା ଦେଇଛନ୍ତି ଯେ, ଗତ ୬ ତାରିଖ ରାତିରେ ଜୁଡ଼ୁବୁଡ଼ୁ ଅବସ୍ଥାରେ ୟୁପି ମିର୍ଜାପୁର ବରେଲିର ମୋତିରାମଙ୍କୁ ହତ୍ୟା କରାଯାଇଥିଲା। ସେ ଜିନ୍ଦଲ ରେଲୱେ ସାଇଡିଂରେ ଇନ୍ଚାର୍ଜ ଭାବେ କାମ କରୁଥିଲେ। ତାଙ୍କ ପାଖରେ ପୂର୍ବରୁ କାମ କରୁଥିବା ବଣେଇ ଥାନା ଅନ୍ତର୍ଗତ ଜୀବିକା ଅଞ୍ଚଳର ସୁଶୀଲ କୁମାର ତ୍ରିପାଠୀ(୩୭) ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ତଦନ୍ତ ପରେ ଜଣାପଡ଼ିଛି। ତାଙ୍କୁ ଗିରଫ କରାଯାଇଛି।
ସୁଶୀଲ ଜଣେ କୁଶଳୀ ରୋଷେୟା ଭାବେ କାମ କରୁଥିଲେ। ହେଲେ ତାଙ୍କୁ ପଦ ଅବନତି କରାଇ ଥିଲେ ମୋତିରାମ। ତାଙ୍କୁ ଜଣେ ଅଣକୁଶଳୀ ସାଧାରଣ ଶ୍ରମିକ ଭାବେ କାମ କରିବାକୁ ପୋଷ୍ଟିଂ କରିଥିଲେ। ଯାହାକୁ ନେଇ ସୁଶୀଲ ଅସନ୍ତୁଷ୍ଟ ହୋଇଥିଲେ। ଗତ ମାସେ ଧରି ତାଙ୍କୁ ନାଇଟ୍ ସିପ୍ଟରେ କାମ କରିବାକୁ ଦିଆଯାଉଥିଲା। ଯାହାକୁ ନେଇ ସେ ପ୍ରତିଶୋଧ ପରାୟଣ ହୋଇଯାଇଥିଲେ। ଚଳିତ ମାସ ୬ ତାରିଖ ଦିନ ତାଙ୍କ ସିପ୍ଟ ସରିବା ପରେ ସେ ଘରକୁ ଯିବା ବାଟରେ ଏହାର ପ୍ରତିଶୋଧ ନେବାକୁ ମନସ୍ଥ କରିଥିଲେ। ତେଣୁ ସେ ପଛକୁ ଫେରି ମୋତିରାମଙ୍କ ଗେଷ୍ଟ ହାଉସ୍ ପାଖରେ ଅପେକ୍ଷା କରିଥିଲେ। ରାତି ପ୍ରାୟ ୧୦ ବେଳେ ମୋତିରାମ ଗେଷ୍ଟ ହାଉସ୍ରେ ଏକାକୀ ଥିବା ବେଳେ ସେ ଦୁଆର ବାଡେଇଥିଲେ। ମୋତିରାମ ଦୁଆର ଖୋଲିଥିଲେ।
ତତ୍କ୍ଷଣାତ୍ ତାଙ୍କୁ ମାଡ଼ିବସି ତଣ୍ଟି ଚିପିଦେଇଥିଲେ ସୁଶୀଲ। ଏହି ସମୟରେ ମୋତିରାମଙ୍କ ନାକ ଓ ପାଟିରୁ ପ୍ରଚୁର ରକ୍ତ ବାହାରି ବେଡ୍ସିଟ୍ ଭିଜି ଯାଇଥିଲା। ଅଭିଯୁକ୍ତ ପିନ୍ଧିଥିବା ପୋଷାକ ମଧ୍ୟ ରକ୍ତ ଜୁଡ଼ୁବୁଡ଼ୁ ହୋଇଥିଲା। ଏହି ରକ୍ତ ଜୁଡ଼ୁବୁଡୁ ବେଡ୍ସିଟ୍ ଓ ପୋଷାକକୁ ଲୁଚାଇ ନେଇ ସେ ପଳାଇଥିଲେ। ଏହାକୁ ସେ ତାଙ୍କ ଗାଁ ନାଳ କୂଳରେ ପୋଡ଼ି ନଷ୍ଟ କରିଦେଇଥିଲେ ଏବଂ ଘରକୁ ଚାଲି ଯାଇଥିଲେ।
ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଶ୍ରୀ ଦେବତା କହିଛନ୍ତି।