ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ) : ମଣିଷ ସମାଜକୁ କଲବଲ କରୁଛି ମହାମାରୀ । ମହାମାରୀର ମାୟା ଜାଲରେ ଫସି ଯାଇ କେତେବେଳେ କିଏ ପ୍ରାଣ ହରାଉଛି ତ କିଏ ଭୟରେ ମୃତ୍ୟୁ ଆସିବା ଡରରେ ଜୀବନ ହାରି ଦେଉଛି। ମହାମାରୀର ମହାବିପତ୍ତି ସୁନାର ସଂସାର ଉଜାଡ଼ି ଦେଉଛି। ଏପରି ଏକ ହୃଦୟ ବିଦାରକ ଘଟଣା ନୟାଗଡ଼ ଜିଲ୍ଲାରୁ ସାମ୍ନାକୁ ଆସିଛି ।
ନୟାଗଡ଼ ଜିଲ୍ଲା ରଣପୁର ଥାନା ବେଗୁନିଆ ପାଟଣା ଗାଁରେ ଏକ କରୋନା ସଂକ୍ରମିତ ଦମ୍ପତି ଆତ୍ମହତ୍ୟା କରିଥିବା ଜଣାଯାଇଛି। ଏହି ଦମ୍ପତି ୪ ଦିନ ତଳେ କରୋନାରେ ଆକ୍ରାନ୍ତ ଥିବା ଜାଣିବାକୁ ପାଇଥିଲେ l ଡାକ୍ତରଙ୍କ ପରାମର୍ଶକ୍ରମେ ଗୃହ ସଂଘରୋଧରେ ଥିଲେ l ଏପରିକି ତାଙ୍କର ଏକମାତ୍ର ପୁଅ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ପୁରୀରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି l
ପରିବାରର ସମସ୍ତେ ମହାମାରୀ ଦ୍ୱାରା କବଳିତ ହୋଇଥିବାରୁ ମାନସିକ ଚାପରେ ଥିଲେ। ଫଳରେ ଅଜଣା ଆଶଙ୍କାରେ ଏହି ଦମ୍ପତି ଆତ୍ମହତ୍ୟା କରିଥିବା ଗ୍ରାମବାସୀ ଆଶଙ୍କା କରୁଛନ୍ତି । କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବାରୁ ଭୟଭୀତ ହୋଇ ଦମ୍ପତି ଏପରି ଚରମ ନିଷ୍ପତି ନେଇ ଥାଇପାରନ୍ତି ବୋଲି କହିଛନ୍ତି ଗ୍ରାମବାସୀ । ଏଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଅଲୋଡ଼ନ ସୃଷ୍ଟି ହୋଇଛି l
ପୁଲିସ୍ ଖବର ପାଇ ଘଟଣାସ୍ଥଳରେ ପହଂଚିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତକୁ ଆଗକୁ ବଢ଼ାଇଛି । ଏନେଇ ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ କିନ୍ତୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।