ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଡବଲ ଡୋଜ ଭ୍ୟାକ୍ସିନ ନେବା ପରେ ବି ହୋଇପାରେ କରୋନା। ତେଣୁ କୋଭିଡ୍ ଗାଇଡ୍ଲାଇନ୍କୁ ଠିକ୍ ଭାବେ ପାଳନ କରନ୍ତୁ।’ ସ୍ୱାସ୍ଥ୍ୟ ନିର୍ଦ୍ଦେକ ବିଜୟ ମହାପାତ୍ର ଆଜି ଏହି କଥା କହିଛନ୍ତି।
ସେ କହିଛନ୍ତି, ଆଜି ଯାଏ କୌଣସି କୋଭିଡ୍ ଭ୍ୟାକ୍ସିନ ଶତ ପ୍ରତିଶତ କାମ କରିଥିବାର ତଥ୍ୟ ମିଳିପାରିନି। ବିଭିନ୍ନ ଭ୍ୟାକ୍ସିନ ୭୦ରୁ ୯୦ପ୍ରତିଶତ ଭିତରେ କାର୍ଯ୍ୟ କରୁଛି। ଭ୍ୟାକ୍ସିନ ନେବା ଦ୍ୱାରା ଆମ ଦେହରେ କୋଭିଡ୍ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେଉଛି। କିନ୍ତୁ ଆମ ପରିବେଶରେ ଯେହେତୁ ସଂକ୍ରମଣ ରହିଛି, ତେଣୁ ସଂକ୍ରମଣ ହେବ। ମାତ୍ର ଭ୍ୟାକ୍ସିନର ଡବଲ ଡୋଜ ନେବା ପରେ ଗୁରୁତର ହେବା ଆଶଙ୍କା କମି ଯାଉଛି। ତେଣୁ ଟିକା ନେବା ପରେ ବି ସମସ୍ତେ କରୋନା ଗାଇଡଲାଇନକୁ ଠିକ୍ ଭାବେ ପାଳନ କରନ୍ତୁ। ଆମ ରାଜ୍ୟ ଏବେ ଭଲ ସ୍ଥିତିରେ ଅଛି। ଆମେ ସ୍ଥିର ସ୍ତରକୁ ଯାଉଛନ୍ତି।
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ତୃତୀୟ ଲହର ଆସିବା ନେଇ କେବଳ ଆକଳନ କରାଯାଉଛି। ମାତ୍ର ଏଥିପାଇଁ ଆମେ ଭୟଭୀତ ହେବା ନାହିଁ। ଯେକୌଣସି ପରିସ୍ଥିତିରମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।
ଅନ୍ୟପକ୍ଷରେ ଟିକା ନେବା ପରେ ବି ସଂକ୍ରମଣ ହେଉଥିବାରୁ ଏହାର ଅନୁଧ୍ୟାନ ପାଇଁ ରାଜ୍ୟରେ ଟେକ୍ନିକାଲ୍ କମିଟି ଗଠନ କରାଯାଇଛି। ଆଜି ଏହି କମିଟିର ପ୍ରଥମ ବୈଠକ ବସିବ। ଓଡ଼ିଶାରେ ଟିକା ନେବା ପରେ କେତେ ଲୋକଙ୍କର ମୃତ୍ୟୁ ହୋଇଛି ତାର ତର୍ଜମା କରାଯାଉଛି। ଦରକାର ପଡିଲେ ଅନ୍ୟ ଏକ୍ସପର୍ଟମାନଙ୍କ ସହାୟତା ନିଆଯିବ ବୋଲି ଆଇଏଲଏସ୍ ନିର୍ଦେଶକ ଅଜୟ ପରିଡା ସୂଚନା ଦେଇଛନ୍ତି।
ଆଇସିଏମଆର ଡାଟା ଅନୁଯାୟୀ, ଦେଶରେ ଟିକାର ପ୍ରଥମ ଡୋଜ ନେଇ ୦.୦୪ ପ୍ରତିଶତ ଏବଂ ଦ୍ୱିତୀୟ ଡୋଜ ନେଇ ୦.୦୩ ପ୍ରତିଶତ ସଂକ୍ରମିତ ହୋଇଛନ୍ତି। ଏହାମଧ୍ୟରେ ଭଲ ଖବର ହେଉଛି ଯେ, ଭ୍ୟାକ୍ସିନେସନ ପରେ ୭୫ ପ୍ରତିଶତ ଲୋକଙ୍କୁ ମେଡିକାଲ ଯିବାକୁ ପଡୁନି l
ଦେଶରେ ଏବେ ୨୮ ଟି ଲ୍ୟାବରେ ୪୦ ହଜାର ନମୂନାର ଜିନମ ସିକ୍ୟୁଏନ୍ସିଂ କରାଯାଇଛି l ବିହାର, ଛତିଶଗଡ଼, ଓଡିଶା ଓ ଝାଡ଼ଖଣ୍ଡର ନମୂନାକୁ ନେଇ ଆଇଏଲଏସରେ ଜିନମ ସିକ୍ୟୁଏନ୍ସିଂ ହେଉଥିବା ବେଳେ ଦେଶରେ ଏଯାଏଁ ୬ଟି କେସ୍ରେ ଡେଲଟା ପ୍ଲସ୍ ଭାଇରସ୍ ଚିହ୍ନଟ ହୋଇଥିବା ଆଇଏଲଏସ୍ ନିର୍ଦେଶକ ସୂଚନା ଦେଇଛନ୍ତି।