କୋଭିଡ଼ ରୋଗୀ ବଂଚିଛନ୍ତି ନା ମରିଛନ୍ତି, ଜାଣିପାରୁନି ପ୍ରଶାସନ!

ବାରିପଦା(ମାଣିକଲାଲ ପାଣି): “ଆଠ ତାରିଖରେ ଫୋନ ଆସିଲା ତୁମ ମା ଚାଲିଗଲେ। ଆସ ଦେଖି ଯାଅ।” କିନ୍ତୁ କୋଭିଡ୍ କଟକଣା ଯୋଗୁ ରାଇରଙ୍ଗପୁରରୁ ଭୁବନେଶ୍ୱର ଆସିବା ପରିବାର ଲୋକଙ୍କ ପାଇଁ ସମ୍ଭବ ହୋଇ ନଥିଲା। ତେବେ ଗତକାଲି ଅର୍ଥାତ୍ ଅଠର ତାରିଖରେ ପୁଣି ଫୋନ ଆସିଲା, “ତୁମ ମା’ ବଞ୍ଚିଛନ୍ତି” । ମା ମୃତ କି ଜୀବିତ, ଏହାକୁ ନେଇ ପରିବାର ଲୋକେ ଦ୍ୱନ୍ଦ୍ୱରେ ପଡ଼ିଥିବା ବେଳେ ଜିଲ୍ଲା ପ୍ରଶାସନ ଏଥି୍ରେ ହସ୍ତକ୍ଷେପ କରି ସଂପୃକ୍ତ ମହିଳାଙ୍କୁ […]

covid

Manoranjan Sial
  • Published: Saturday, 19 September 2020
  • , Updated: 19 September 2020, 07:28 PM IST

ବାରିପଦା(ମାଣିକଲାଲ ପାଣି): "ଆଠ ତାରିଖରେ ଫୋନ ଆସିଲା ତୁମ ମା ଚାଲିଗଲେ। ଆସ ଦେଖି ଯାଅ।" କିନ୍ତୁ କୋଭିଡ୍ କଟକଣା ଯୋଗୁ ରାଇରଙ୍ଗପୁରରୁ ଭୁବନେଶ୍ୱର ଆସିବା ପରିବାର ଲୋକଙ୍କ ପାଇଁ ସମ୍ଭବ ହୋଇ ନଥିଲା। ତେବେ ଗତକାଲି ଅର୍ଥାତ୍ ଅଠର ତାରିଖରେ ପୁଣି ଫୋନ ଆସିଲା, "ତୁମ ମା’ ବଞ୍ଚିଛନ୍ତି" । ମା ମୃତ କି ଜୀବିତ, ଏହାକୁ ନେଇ ପରିବାର ଲୋକେ ଦ୍ୱନ୍ଦ୍ୱରେ ପଡ଼ିଥିବା ବେଳେ ଜିଲ୍ଲା ପ୍ରଶାସନ ଏଥି୍ରେ ହସ୍ତକ୍ଷେପ କରି ସଂପୃକ୍ତ ମହିଳାଙ୍କୁ ମୃତ ଘୋଷଣା କରିଛି। ମୟୂରଭଞ୍ଜ ଜିଲ୍ଲାର ଜଣେ କୋରନା ଆକ୍ରାନ୍ତ ବୟସ୍କ ମହିଳାଙ୍କ କ୍ଷେତ୍ରରେ ଘଟିଥିବା ଏହି ଅଭାବନୀୟ ଘଟଣା କେବଳ ପରିବାର ଲୋକଙ୍କୁ ଅକଥନୀୟ ମାନସିକ ଯନ୍ତ୍ରଣା ଦେଇନାହିଁ ବରଂ ରାଜ୍ୟରେ କୋଭିଡ୍ ଚିକିତ୍ସାର ପରିଚାଳନାଗତ ଅବ୍ୟବସ୍ଥାକୁ ପଦାକୁ ଆଣିଛି।

ଅଭିଯୋଗ ଅନୁସାରେ, ରାଇରଙ୍ଗପୁର ୧୨ ନମ୍ୱର ୱାର୍ଡର ଚନ୍ଦନ ବେହେରାଙ୍କ ମା’ ଋକ୍ମଣୀ ଓ ପତ୍ନୀ କରୋନା ଆକ୍ରାନ୍ତ ହୋଇ ଗତ ୭ ତାରିଖରେ ବାରିପଦା କିମ୍ସ କୋଭିଡ୍‌ ସେଣ୍ଟରରେ ଭର୍ତ୍ତି ହୋଇଥିଲେ। ସେଠାରେ ଋକ୍ମଣୀଙ୍କ ସ୍ୱାସ୍ଥ୍ୟ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘୋରଇ କୋଭିଡ୍ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରିବାକୁ ଡାକ୍ତରମାନେ ଚନ୍ଦନଙ୍କୁ ପରାମର୍ଶ ଦେଇଥିଲେ। ଡାକ୍ତରଙ୍କ କଥାରେ ରାଜି ହୋଇଥିଲେ ଚନ୍ଦନ। ହେଲେ ୮ ତାରିଖରେ ମା’ଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କେତେବେଳେ କରାଗଲା, ସେକଥା ପରିବାର ଲୋକଙ୍କୁ ଜଣାଗଲା ନାହିଁ। ଆଉ ଏହା ପର ଦିନ ଦିନ ଚନ୍ଦନଙ୍କୁ ଫୋନ୍‌ରେ ଜଣାଇ ଦିଆଗଲା ଯେ ତୁମ ମା’ଙ୍କର ମୃତ୍ୟୁ ଘଟିଛି। ତୁମେ ଭୁବନେଶ୍ୱର ଆସି ଦେଖି ଯାଅ। ତେବେ ଚନ୍ଦନ ଭୁବନେଶ୍ୱର ଆସିବା ସମ୍ଭବ ନଥିଲା ଏବଂ କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ଭୁବନେଶ୍ୱରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ତାଙ୍କୁ କୁହାଯାଇଥିଲା।

ଗତକାଲି ହଠାତ୍‌ ଚନ୍ଦନଙ୍କ ପାଖକୁ ଆଉ ଏକ ଫୋନ୍‌ କଲ୍‌ ଆସିଥିଲା। ଫୋନ୍‌ କରିଥିବା ବ୍ୟକ୍ତି କହିଥିଲେ ଯେ ତୁମ ମା’ ବଞ୍ଚିଛନ୍ତି। ମା ବଞ୍ଚିଥିବା କଥା ଶୁଣି ପୂରା ପରିବାର ସ୍ତବ୍ଧ ହୋଇଯାଇଥିଲା। ତେଣୁ କାଳ ବିଳମ୍ୱ ନକରି ମା’ଙ୍କୁ ଖୋଜିବା ପାଇଁ ଚନ୍ଦନ ଓ ତାଙ୍କ ସାଙ୍ଗମାନେ ବାରିପଦା ଆସିଥିଲେ। କିମ୍ସ କୋଭିଡ୍‌ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ହେଁ ତାହା ମାତ୍ର ସମ୍ଭବପର ହୋଇନଥିଲା।

କୋଭିଡ୍‌ ହସ୍ପିଟାଲ୍‌ରୁ ନିରାଶ ହୋଇ ଫେରିବା ପରେ ଚନ୍ଦନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସିଡିଏମଓଙ୍କ କାର୍ଯ୍ୟାଳୟ ଯାଇଥିଲେ। ମାତ୍ର ସେଠାରୁ ନିଜ ମା’ଙ୍କ ସମ୍ପର୍କରେ କୌଣସି ସୂଚନା ମିଳି ନଥିଲା। ତେବେ ଏହି ଘଟଣାକୁ ନେଇ ଜିଲ୍ଲା ପ୍ରଶାସନିକ କରିଡରରରେ ଚର୍ଚ୍ଚା ହେବା ପରେ ଚନ୍ଦନଙ୍କ ମା’ଙ୍କ ମୃତ୍ୟୁ ଘଟିଥିବା କଥା ସ୍ପଷ୍ଟ କରିଥିଲା ଜିଲ୍ଲା ପ୍ରଶାସନ।

ସେହିପରି ଅନ୍ୟ ଏକ ଘଟଣା କ୍ରମେ ଗତକାଲି ରାତିରେ ଉକ୍ତ କୋଭିଡ୍‌ ହସ୍ପିଟାଲ୍‌ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା। ଚିକିତ୍ସାରେ ଅବହେଳାର ଅଭିଯୋଗ ଆଣି ମୃତକଙ୍କ ପରିବାର ଲୋକେ ମେଡିକାଲ୍‌ ଆଗରେ ହୋହଲ୍ଲା କରିଥିଲେ। ସୁରକ୍ଷା ଦୃଷ୍ଟିରେ ସେଠାରେ ଜିଲ୍ଲା ପ୍ରଶାସନ ପୁଲିସ ମୁତୟନ କରିଥିଲା। ଏନଇ ବାରିପଦା କୋଭିଡ୍‌ କିମ୍ସ ମେଡିକାଲ୍‌ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲା। ମାତ୍ର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଅନ୍ୟପକ୍ଷରେ ଡ୍ୟୁଟିରେ ଥିବା ଆଡିସିଅନାଲ୍‌ ଏସପିଙ୍କୁ ପଚାରିବାରୁ ସେ କଥାକୁ ଏଡାଇ ଯାଇଥିଲେ।

ତେବେ ଘଟଣା ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଫୋନ୍‌ ଯୋଗାଯୋଗ କରିଥିଲୁ। ସେ ଡାକ୍ତର ଏନ.ଆର. ଦାସଙ୍କୁ ଜିଲ୍ଲା କୋଭିଡ୍‌ ଦାୟିତ୍ଵ ଦିଆଯାଇଥିବା କହିଥିଲେ। ତେବେ ଡାକ୍ତର ଏନ.ଆର. ଦାସଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିବାରୁ ସେ କିଛି କହିବାକୁ ରାଜି ହୋଇନଥିଲେ।

Related story